ଶୋଇଥିବା ଅବସ୍ଥାରେ ମରଣାନ୍ତକ ଆକ୍ରମଣ : ମା’ଙ୍କ ମୃତ୍ୟୁ, ଝିଅ ଅବସ୍ଥା ସଂକଟାପନ୍ନ

ମାଲକାନଗିରି : ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ରାତିରେ ଶୋଇଥିବା ଅବସ୍ଥାରେ ମାଆ ଓ ଝିଅଙ୍କୁ କେହି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଛି। ଘଟଣାରେ ବୃଦ୍ଧା ମାଆର ମୃତ୍ୟୁ ହୋଇଯାଇଥିବା ବେଳେ ଝିଅ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛି।

ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ବିନାୟକପୁର ଗ୍ରାମରେ ମାଆ ସାଲବମ ଲାଚ୍ଛି(୮୫), ଝିଅ କାନି ସାଲବମ(୪୫) ଏବଂ ନାତି ସାଲବମ ଭେଙ୍କଟେସ ରହୁଥିଲେ। ମାଆ ଝିଅ କାଲିମେଳା ଅଞ୍ଚଳରେ ପତ୍ର ଗୋଦାମରେ କାମ କରୁଥିଲେ। ଗତକାଲି ରାତିରେ ଖାଇ ସରିବା ପରେ ଦୁହେଁ ଶୋଇ ପଡ଼ିଥିଲେ। କେହି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ବୃଦ୍ଧା ସାଲବମ ଲାଚ୍ଛି ଏବଂ ତାଙ୍କ ଝିଅ କାନି ସାଲବମକୁ ମରଣାନ୍ତକ ଆକ୍ରମଣ କରିଥିଲା। ଯଦ୍ବାରା ବୃଦ୍ଧା ମାଆ ସାଲବମଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବାବେଳେ କାନି ଗୁରୁତର ଅବସ୍ଥାରେ ପଡ଼ି ରହିଥିଲେ।

ସକାଳୁ କେନ୍ଦୁପତ୍ର ପଇସା ଦେବା ପାଇଁ ଦୁଇଜଣ ଯୁବକ ସେହି ରାସ୍ତା ଦେଇ ଯାଉଥିବା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମାଆ ଓ ଝିଅ ପଡ଼ିଥିବା ଦେଖିଥିଲେ। ତୁରନ୍ତ ଏ ସଂପର୍କରେ ମୋଟୁ ଥାନାକୁ ଖବର ଦେଇଥିଲେ। ଖବର ପାଇ ମୋଟୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି କାନିଙ୍କୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଝିଅ କାନି ସାଲବମଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ମୋଟୁ ପରେ ମାଲାକନଗିରି ନିଆଯାଇଥିଲା। ତେବେ ମାଲକାନଗିରିରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟ ମଡିକାଲ କଲେଜ ସ୍ଥାନାନ୍ତର କରାଯାଇଛି। ତେବେ କିଏ କାହିଁକି ମାଆ ଓ ଝିଅଙ୍କୁ ଆକ୍ରମଣ କରିଛି ତାହା ପୁଲିସର ତଦନ୍ତ ପରେ ହିଁ ଜଣାପଡ଼ିବ। ଘଟଣା ପ୍ରଚାର ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ସମ୍ବନ୍ଧିତ ଖବର