ମା’କୁ ଆକ୍ରମଣ, ଝିଅକୁ ଅପହରଣ, କମିସନରେଟ ପୁଲିସ ଅସହାୟ

ଚନ୍ଦ୍ରଶେଖରପୁର : ଦିନକୁ ଦିନ ରାଜଧାନୀରେ ୍ଅପରାଧ ବଢ଼ି ଚାଲିଛି। କମିସନରେଟ୍ ପୁଲିସକୁ ଚ୍ୟାଲେଞ୍ଜ କରି ଅପରାଧୀମାନେ ଅପରାଧ ଘଟାଉଛନ୍ତି। ହେଲେ ପୁଲିସ ସେମାନଙ୍କର ଟେର୍‌ ପାଉନି। ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଛି ଏମିତି ଏକ ଘଟଣା। ଦୁର୍ବୃତ୍ତମାନେ ମା’କୁ ପ୍ରାଣାନ୍ତକ ଆକ୍ରମଣ କରି ତାଙ୍କ ଆଖି ସାମ୍ନାରୁ ଝିଅକୁ ଅପହରଣ କରି ନେଇଛନ୍ତି। ଦୁର୍ବୃତ୍ତମାନଙ୍କ ସହିତ ସହିତ ଲଢ଼େଇ କରିଥିଲେ ମଧ୍ୟ ସେ ଝିଅକୁ ସେମାନଙ୍କ କବଳରୁ ରକ୍ଷା କରିପାରି ନାହାନ୍ତି। ଅନ୍ୟପକ୍ଷରେ ଏ ନେଇ ଥାନାରେ ଅଭିଯୋଗ ହେବା ପରେ ୭ରୁ ଅଧିକ ପିସିଆର୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ ମଧ୍ୟ ଅପହର୍ତାମାନଙ୍କୁ ଧରିବାରେ ସଫଳ ହୋଇନି। ଘଟଣାଟି ଇନ୍‌ଫୋସିଟି ଥାନା ଅଧୀନ ପଥରଗାଡ଼ିଆ ଅଞ୍ଚଳରେ ଚର୍ଚାର ବିଷୟ ହୋଇଛି।

ସୂଚନା ଅନୁଯାୟୀ ଏକ ବିବାହ ଉତ୍ସବରୁ ଫେରି ମା’ ଓ ଝିଅ ଚାଲିଚାଲି ଘରକୁ ଫେରୁଥିଲେ। ଇନ୍ ଇନ୍‌ଫୋସିଟି ଥାନା ଅଧୀନ ପଥରଗାଡ଼ିଆ ରାସ୍ତା ରାଜ ବାଟିକା ନିକଟରେ ୪ ଜଣ ଯୁବକ ଉଭୟଙ୍କୁ ଅଟକାଇଥିଲେ। ସେମାନେ ଝିଅକୁ ବଳପୂର୍ବକ ଅପହରଣ କରିବା ବେଳେ ମା’ ଏହାର ବିରୋଧ କରିଥିଲେ। ଫଳରେ ମା’ ଦୁର୍ବୃତ୍ତଙ୍କ ଆକ୍ରମଣ ଶିକାର ହୋଇଥିଲେ। ଏ ନେଇ ସେ ନିକଟସ୍ଥ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଦୁର୍ବୃତ୍ତଙ୍କ ଟେର୍‌ ପାଇ ନଥିଲା। ଦୁର୍ବୃତ୍ତମାନେ ଆଖି ପିଛୁଳାକେ ପଥର ଗାଡ଼ିଆ ରାସ୍ତାଦେଇ ଚନ୍ଦକା ଅଞ୍ଚଳକୁ ପଳାଇଥିଲେ। ସୂଚନା ପାଇ କମିସନରେଟ୍‌ ପୁଲିସ ପକ୍ଷରୁ ଆରମ୍ଭ ହୋଇଥିଲା ରାତି ଅଧିଆ ଅପରେସନ୍‌। ୭ରୁ ଅଧିକ ପିସିଆର୍‌ ଭ୍ୟାନ୍‌ ଆଖପାଖ ଅଞ୍ଚଳ ଓ ସନ୍ଦେହ ଘେରରେ ଥିବା ଯୁବକଙ୍କୁ ଖୋ‌ଜାଖୋଜି କରିଥିଲା। ହେଲେ ଅଭିଯୁକ୍ତମାନେ ଫେରାର୍ ହୋଇଯାଇଥିଲେ। ମାତ୍ର ପୁଲିସ ଦୁଇ ଜଣ ସହଯୋଗୀଙ୍କୁ ଚିହ୍ନଟ କରିବା ସହିତ ଅପହରଣରେ ବ୍ୟବହାର ହୋଇଥିବା ଗୋଟିଏ ବାଇକ୍ ଜବତ କରିଛି। ଅପହରଣ କରିଥିବା ଯୁବକ ଜଣଙ୍କ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ତା’ ନାଁରେ ପୂର୍ବରୁ ଅନେକ ଅଭିଯୋଗ ରହିଛି। ସେ ବିଭିନ୍ନ ସମୟରେ ମା’ ଝିଅଙ୍କୁ ହଇରାଣ କରିଥାଏ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଖୁବ୍ ଜଲଦି ଅପହର୍ତାଙ୍କୁ ଗିରଫ କରାଯିବା ସହିତ ଯୁବତୀଙ୍କୁ ଉଦ୍ଧାର କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର