ନିରଞ୍ଜନଙ୍କ ଉପରେ ଆକ୍ରମଣ : ବିଜେପି ଯୁବ ମୋର୍ଚ୍ଚା ସମ୍ପାଦକ ଗିରଫ

ଟ୍ବିଟ୍‌ କରି ବିଜେପିକୁ ଭର୍ତ୍ସନା କଲେ ନିରଞ୍ଜନ
ରାଜ୍ୟ ସାରା ପ୍ରତିବାଦ, ସବୁ ଏସ୍‌ପିଙ୍କୁ ସ୍ମାରକପତ୍ର
ଡିଜିଙ୍କୁ ‌ଭେଟିଲେ କଂଗ୍ରେସ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ
ବିଜେଡି ବି ନିନ୍ଦା କଲା, ବିଜେପିକୁ ଘେରିଲା
ମାପିଚୁପି ପ୍ରତିକ୍ରିୟା ରଖିଲା ବିଜେପି

ଭୁବନେଶ୍ବର/କେନ୍ଦୁଝର/କଟକ : ଗତକାଲି ରାତିରେ କେନ୍ଦୁଝର ସହରର କାଶୀପୁର ନିକଟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ମହାନ୍ତି ଗିରଫ ହୋଇଛନ୍ତି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି ବୋଲି ପୁଲିସ୍‌ କହିଛି। ଅଭିଯୁକ୍ତ ସଞ୍ଜୟ ବିଜେପି ଯୁବ ମୋର୍ଚ୍ଚାର ସମ୍ପାଦକ ବୋଲି ଜଣାପଡ଼ିବା ପରେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି। ନିଜେ ନିରଞ୍ଜନ ଟ୍ବିଟ୍‌ କରି ବିଜେପିକୁ ତୀବ୍ର ଭର୍ତ୍ସନା କରିଛନ୍ତି। କଂଗ୍ରେସ ପକ୍ଷରୁ ବିଜେପିକୁ କଡ଼ା ସମା‌େଲାଚନା କରାଯାଇଛି। ବିଜେଡି ମଧ୍ୟ ଏହି ଘଟଣାକୁ ନିନ୍ଦା କରିବା ସହ ବିଜେପିକୁ ଘେରିଛି। ଅପରପକ୍ଷରେ ବିଜେପି ରକ୍ଷଣାତ୍ମକ ଢଙ୍ଗରେ ପ୍ରତିକ୍ରିୟା ରଖି ଅଭିଯୁକ୍ତଙ୍କ ସହ ବିଜେପିର ସମ୍ପର୍କ ନାହିଁ ବୋଲି ସଫେଇ ଦେଇଛି।

ଟ୍ବିଟ୍‌ କରି ନିରଞ୍ଜନ କହିଛନ୍ତି ଯେ ଗତକାଲି ରାତିରେ କେନ୍ଦୁଝର ଯାଉଥିଲା ବେଳେ ମୋର କାର୍‌କୁ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। ମୋ ଡ୍ରାଇଭର୍‌ ଓ ପିଏସ୍‌ଓକୁ ମାର୍‌ଧର କଲେ। ପୁଲିସ୍‌ରେ ଏ ସମ୍ପର୍କରେ ଏତଲା ଦିଆଯାଇଛି। ସେହି ଦୁର୍ବୃତ୍ତମାନେ ବିଜେପି ଯୁବ ଶାଖାର ସଦସ୍ୟ ଥିବା ଜାଣି ମୁଁ ଆଶ୍ଚର୍ଯ୍ୟ। କଂଗ୍ରେସ ରାଜ୍ୟରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଉଛି। ବିଜେପିର ନୀତି ବିରୋଧରେ କଂଗ୍ରେସ ଲଗାତର କହୁଛି। କଂଗ୍ରେସ ସେମାନଙ୍କ ପାଇଁ ବଡ଼ ପ୍ରତିବନ୍ଧକ ସାଜିଛି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ପ୍ରଭାରୀ ଡି ପୁର‌େନ୍ଦଶ୍ବରୀଙ୍କୁ ନିରଞ୍ଜନ ପ୍ରଶ୍ନ କରିଛନ୍ତି ଯେ ଆପଣଙ୍କ ଦଳ ଏପରି ଭୀରୁଙ୍କ ପରି କାହିଁକି ବ୍ୟବହାର କରୁଛି ? ଆପଣମାନଙ୍କ ହୃଦୟରେ କଂଗ୍ରେସ ପ୍ରତି ଭୟ ଥିବା ମୁଁ ବୁଝିପାରୁଛି। କିନ୍ତୁ ଏମିତି ଗୁଣ୍ଡା କାହିଁକି ପଠାଉଛନ୍ତି ? ଆପଣଙ୍କ ଦଳ କ’ଣ ବୌଦ୍ଧିକ ସ୍ତରରେ ଏତେ ଦୁର୍ବଳ ଯେ ଗଣତାନ୍ତ୍ରିକ ରାସ୍ତାରେ ଲଢ଼େଇ କରିବାକୁ ବାଟ ପାଉନି ? ଯଦି ମୋ କ୍ଷେତ୍ରରେ ଏହା ଘଟିପାରିଲା ତେବେ ଆମ ମା’, ଭଉଣୀମାନେ ଓଡ଼ିଶାରେ କେତେ ସୁରକ୍ଷିତ ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି।

ଆକ୍ରମଣ ଘଟଣାକୁ କଂଗ୍ରେସ ଗୁରୁତର ସହ ନେଇଛି। ଆଜି ଭୁବନେଶ୍ବର ସମେତ ବିଭିନ୍ନ ଜିଲ୍ଲା ମୁଖ୍ୟାଳୟରେ ଘଟଣାର ପ୍ରତିବାଦ କରାଯାଇ ଏସ୍‌ପିମାନଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। କଂଗ୍ରେସର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ କଟକରେ ପୁଲିସ୍‌ ଡିଜିଙ୍କୁ ଭେଟି ସବୁ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ଏହି ପ୍ରତିନିଧି ଦଳରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର, କଟକ ନଗର କଂଗ୍ରେସ ସଭାପତି ଗିରିବାଳା ବେହେରା, ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ୟାସିର୍‌ ନୱାଜ ଓ ଅଶୋକ ସ୍ବାଇଁ ପ୍ରମୁଖ ସାମିଲ ହୋଇଥିଲେ। ସମସ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ କେନ୍ଦୁଝର ଯୁବ କଂଗ୍ରେସ ପକ୍ଷରୁ ପୁଲିସ୍‌କୁ ୪୮ ଘଣ୍ଟା ସମୟ ଦିଆଯାଇଛି। ନଚେତ ଜିଲ୍ଲା ବନ୍ଦ ଡାକରା ଦିଆଯିବ ବୋଲି ଯୁବ କଂଗ୍ରେସ ସଭାପତି ସୁନେଶ ଧୀର କହିଛନ୍ତି। ସରକାରଙ୍କୁ ଟାର୍ଗେଟ୍‌ କରି ବରିଷ୍ଠ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ, ‘ଯଦି ପିସିସି ସଭାପତିଙ୍କୁ ମାଡ଼ ହେବ, ତେବେ ଛୋଟ କର୍ମୀଙ୍କ ଅବସ୍ଥା କ’ଣ ହେବ? ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର। ନଚେତ ଆମେ ନବୀନ ପଟ୍ଟନାୟକଙ୍କ ଗାଡ଼ିକୁ ଅଟକାଇବୁ। ପ୍ରଥମେ ତାଙ୍କୁ ଭଲ ରକମର ଥୋଇବୁ। ତା’ ପରେ ବିଜେପିକୁ ଥୋଇବୁ।’

ବିଜେଡି ମଧ୍ୟ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛି। ଓଡ଼ିଶାରେ ବିଜେପି ତ୍ରିପୁରା ମଡେଲ ଆପଣାଇଥିବା ଦଳର ମୁଖପାତ୍ର ଲେଲିନ୍ ମହାନ୍ତି କହିଛନ୍ତି। ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଟ୍ବିଟ୍‌ କରି କହିଛନ୍ତି ଯେ ଏହା ବିଜେପି ନେତାମାନଙ୍କ ଅସଲ ରଙ୍ଗ ପଦାକୁ ଆଣିଛି। ଗଣତନ୍ତ୍ର ଓ ସଭ୍ୟ ସମାଜରେ ହିଂସାର ସ୍ଥାନ ନାହିଁ।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଘଟଣାକୁ ନିନ୍ଦା କରିଛନ୍ତି। ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ବୋଲି ଟ୍ବିଟ୍‌ କରି ସେ କହିଛନ୍ତି। କିନ୍ତୁ ଅଭିଯୁକ୍ତ ଜଣଙ୍କ ବିଜେପି କର୍ମକର୍ତ୍ତା ଜଣାପଡ଼ିବା ପରେ ଦଳର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ବିଜେପି ହିଂସାକାଣ୍ଡରେ ବିଶ୍ୱାସ କରେନି। ବିଜେପି ସହିତ ଜଡ଼ିତ କୌଣସି ବ୍ୟକ୍ତି ଏଭଳି ହିଂସାକାଣ୍ଡ କରିବ ନାହିଁ। ସଂପୃକ୍ତ ଅଭିଯୁକ୍ତ ବିଜେପି ଯୁବ‌େମାର୍ଚ୍ଚାରେ ନାହାନ୍ତି। କେନ୍ଦୁଝରର ବିଜେପି ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ମଧ୍ୟ କହିଛନ୍ତି ଯେ ସଞ୍ଜୟ ମହାନ୍ତିଙ୍କ ସହ ବିଜେପିର କୌଣସି ସମ୍ପର୍କ ନାହିଁ।

ସମ୍ବନ୍ଧିତ ଖବର