ଛେଳି ମୃତ୍ୟୁକୁ ନେଇ ମାହାଙ୍ଗାରେ ତୁମୁଳକାଣ୍ଡ: ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ବୃଦ୍ଧଙ୍କୁ ମାଡ଼

ଦିବ୍ୟାଙ୍ଗ ପତ୍ନୀଙ୍କୁ ପିଟିଲେ; ଘରେ ପଶି ଭଙ୍ଗାରୁଜା

ମାହାଙ୍ଗା : ଛେଳି ମୃତ୍ୟୁ ଭଳି ଏକ ଘଟଣାକୁ ନେଇ ମାହାଙ୍ଗା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଗ୍ରାମର ଜଣେ ବୃଦ୍ଧ ଛେଳିଟିକୁ ମାରିଥିବା ଅଭିଯୋଗ କରି ତାଙ୍କୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ସହ ତାଙ୍କର ଦିବ୍ୟାଙ୍ଗ ପତ୍ନୀଙ୍କୁ ବି ମାଡ଼ ମରାଯାଇଛି। ତାଙ୍କ ଘରେ ପଶି ବ୍ୟାପକ ଭଙ୍ଗାରୁଜା କରାଯାଇଛି। ଏଭଳି ଘଟଣାର ଭିଡିଓ ଭାଇରାଲ୍‌ ହେବା ପରେ ମାହାଙ୍ଗା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।

ଅଭିଯୋଗ ମୁତାବକ, ଗୋତରା ଗ୍ରାମର ବୃଦ୍ଧ ଗୌରାଙ୍ଗ ରାଉତ ଜୀବିକାନିର୍ବାହ ପାଇଁ ନିଜ ଜମିରେ ନଳିତା ଚାଷ କରନ୍ତି। ଗତକାଲି ତାଙ୍କ ଜମି ନିକଟରେ ସେହି ଗ୍ରାମର କାର୍ତ୍ତିକ ଚନ୍ଦ୍ର ସାହୁଙ୍କ ଏକ ଛେଳି ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। ଛେଳିଟିକୁ ଗୌରାଙ୍ଗ ମାରି ଦେଇଛନ୍ତି ବୋଲି ଭଣଜା ମନୋଜ ସାହୁ କାର୍ତ୍ତିକଙ୍କୁ କହିଥିଲେ। ଏ ନେଇ ମାହାଙ୍ଗା ଥାନାରେ ଅଭିଯୋଗ କରାଯାଇଥିଲା। ହେଲେ ଅଭିଯୋଗ ପୂର୍ବରୁ ଗୋତରା ଗ୍ରାମର ଅଛୁତି ସାହୁଙ୍କ ପୁଅ ନରେନ୍ଦ୍ର ସାହୁ, ନରେନ୍ଦ୍ର ସାହୁଙ୍କ ପୁଅ କାର୍ତ୍ତିକ ସାହୁ, ନାରାୟଣ ସାହୁଙ୍କ ପୁଅ ଦେବେନ୍ଦ୍ର ସାହୁ ଓ ରବୀନ୍ଦ୍ର ସାହୁ, ରବୀନ୍ଦ୍ର ସାହୁଙ୍କ ପୁଅ ଶରତ ଓ ସୁବାସ, ତୁଳସୀ ସାହୁ, ମନୁଆ ସାହୁ ପ୍ରମୁଖ ସଂଘବଦ୍ଧ ଭାବେ ଠେଙ୍ଗା, ଭୁଜାଲି ଆଦି ଧରି ଗୌରାଙ୍ଗଙ୍କ ଘରେ ପହଞ୍ଚି ଥିଲେ। ଏହାପରେ ସେମାନେ ବୃଦ୍ଧ ଗୌରାଙ୍ଗଙ୍କୁ ଘରୁ ଘୋଷାଡ଼ି ଆଣି ଗାଁର ଏକ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ସହ ତାଙ୍କ ମୁଣ୍ଡକୁ ହାଣି ଦେଇଥିଲେ। ଗୌରାଙ୍ଗଙ୍କ ଦିବ୍ୟାଙ୍ଗ ପତ୍ନୀଙ୍କୁ ମଧ୍ୟ ଘୋଷାଡ଼ି ମାଡ଼ ମାରିଥିଲେ। ଅଭିଯୁକ୍ତମାନେ ବୃଦ୍ଧ ଗୌରାଙ୍ଗଙ୍କ ଘର ଭିତରେ ପଶି ଆସବାବପତ୍ର ଭଙ୍ଗାରୁଜା କରିବା ସହ ଟେକାପଥର ଫୋପାଡ଼ି ଘର ଆଜ୍‌ବେଷ୍ଟସ୍‌ ଭାଙ୍ଗି ଦେଇଥିଲେ। ବୃଦ୍ଧ ଦମ୍ପତିଙ୍କ ସମ୍ପର୍କୀୟମାନେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏ ନେଇ ଆଜି ଗୌରାଙ୍ଗ ମାହାଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର