ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପ ବିରୋଧୀ ଉଗ୍ରମୁଖା: ରାତିରେ ଘରୁ ଟେକି ନେଇ ବୃଦ୍ଧଙ୍କୁ ନିସ୍ତୁକ ମାଡ଼

୮ ଜଣଙ୍କ ନାଁରେ ମାମଲା, ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ଏସ୍‌ପି

ଜଗତସିଂହପୁର : ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପ ପ୍ରତି ସ୍ଥାନୀୟ ଲୋକଙ୍କର ସମର୍ଥନ ଧୀ‌ରେ ଧୀରେ ଯେତିକି ବଢ଼ୁଛି, ପ୍ରକଳ୍ପକୁ ବିରୋଧ କରୁଥିବା ଢିଙ୍କିଆର ନେତାମାନେ ସେତିକି ରକ୍ତମୁଖା ହେଉଛନ୍ତି। ଗତକାଲି ଗାଁର ଜଣେ ବୃଦ୍ଧ ଅରକ୍ଷିତ ସାମଲ(୬୦) ଘରେ ଖାଇ ବସିଥିବା ବେଳେ ତାଙ୍କୁ ଟେକି ଆଣି ପ୍ରବଳ ମାଡ଼ ମରାଯାଇଛି। ଭୟରେ ସେ ରାତିସାରା ଜଙ୍ଗଲରେ ଲୁଚି ରହି ରବିବାର ସକାଳେ ଅଭୟଚାନ୍ଦପୁର ଥାନାରେ ପହଞ୍ଚିଥିଲେ। ଅରକ୍ଷିତ ଥାନାରେ ଲିଖିତ ଅଭିଯୋଗ କରିବା ସହ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ଦାବିରେ ଥାନା ସାମ୍ନାରେ ଧାରଣା ଦେଇଥିଲେ। ଏ ନେଇ ପୁଲିସ ୮ ଜଣଙ୍କ ନାଁରେ ମାମଲା ରୁଜୁ କରିଛି। ସମସ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି ଅଖିଳେଶ୍ବର ସିଂ କହିଛନ୍ତି।

ଥାନାରେ ହୋଇଥିବା ଅଭିଯୋଗ ମୁତାବକ, ଶନିବାର ରାତି ପ୍ରାୟ ୯ଟାରେ ଅରକ୍ଷିତ ଘରେ ଖାଇବାକୁ ବସିଥିଲେ। ହଠାତ୍ ପ୍ରକଳ୍ପକୁ ବିରୋଧ କରୁଥିବା ଢିଙ୍କିଆ ଗାଁର ଦିଲ୍ଲୀପ କାଣ୍ଡି, ମେଘା ଦାସ, ଅଭୟ ମଲ୍ଲିକ ଓ ସନାତନ ଦାସ ତାଙ୍କ ଘରେ ପହଞ୍ଚି ଅରକ୍ଷିତଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଗାଁର ଫୁଲଖାଇ ମନ୍ଦିର ନିକଟକୁ ଟେକି ନେଇଥିଲେ। ସେଠାରେ ଦେବେନ୍ଦ୍ର ସ୍ବାଇଁ, ନିତ୍ୟାନନ୍ଦ ସ୍ବାଇଁ, ପ୍ରଦୀପ ଶତପଥୀ, ବୃନ୍ଦବାନ ରାଉତ ଓ ନାରାୟଣ ମୁଦୁଲି ତାଙ୍କୁ ଭିଡ଼ି ନେଇ ପ୍ରଶାସନକୁ କାହିଁକି ସାହାଯ୍ୟ କରୁଛୁ ବୋଲି ପଚାରିବା ସହ ଅରକ୍ଷିତଙ୍କ ତଣ୍ଟିକୁ ଚିପି ଧରି ମାଡ଼ ମାରିଥିଲେ। ବିଧା, ଗୋଇଠା ଯିଏ ଯେମିତି ପାଇଲା ସେମିତି ମାରିଥିଲେ। ଏହି ସମୟରେ ଉକ୍ତ ସଭାରେ ଉପସ୍ଥିତ ଅନ୍ୟ ଲୋକମାନେ ଅରକ୍ଷିତଙ୍କୁ ଉଦ୍ଧାର କରିବାରୁ ସେ ରକ୍ଷା ପାଇଯାଇଥିଲେ। ଏହାପରେ ତାଙ୍କୁ ମାଡ଼ ମାରିଥିବା ବ୍ୟକ୍ତିମାନେ ପ୍ରଶାସନକୁ ସାହାଯ୍ୟ କଲେ ଘରେ ନିଆଁ ଲଗାଇ ଦେବା ସହ ଗାଁରୁ ନିଆଁ ପାଣି ବାସନ୍ଦ କରିବାକୁ ଧମକ ଦେଇଛନ୍ତି ବୋଲି ଅରକ୍ଷିତ କହିଛନ୍ତି। ଅରକ୍ଷିତ ଜୀବନ ବିକଳରେ ସେଠାରୁ ଦୌଡ଼ି ଜଙ୍ଗଲକୁ ପଳାଇଥି‌ଲେ। ଭୟରେ ଆଉ ଗାଁକୁ ନ ଫେରି ସେ ସେଠାରେ ରାତି ବିତାଇଥିଲେ।

ଏ ନେଇ ଏସ୍‌ପି ଶ୍ରୀ ସିଂ କହିଛନ୍ତି, ମାମଲାର ତଦନ୍ତକୁ ଜୋରଦାର କରାଯିବ। ଯେହେତୁ ଜାତିଆଣ ମାମଲା ବି ରହିଛି, ସେଥିପାଇଁ ଡିଏସ୍‌ପିଙ୍କୁ ତଦନ୍ତ ଭାର ଦିଆଯିବ। ଯେଉଁମାନଙ୍କ ବିରୋଧରେ ପ୍ରମାଣ ମିଳିବ, ସମସ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆନ୍ଦୋଳନ କରିବାର ଅଧିକାର ସମସ୍ତଙ୍କର ରହିଛି। ମାତ୍ର ଏମିତି ଅରାଜକତା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର