ବରଗଡ଼ : ବରଗଡ଼ ସହରର ଉଜୁଡ଼ା ଆଇନ ଶୃଙ୍ଖଳାର ନଗ୍ନ ରୂପ ପୁଣି ସାମନାକୁ ଆସିଛି। ସହରର ବ୍ୟସ୍ତବହୁଳ ସରକାରୀ ବସ୍‌ଷ୍ଟାଣ୍ଡ ପାଖ ଗଳିରେ ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଶହଶହ ଲୋକଙ୍କ ଉପସ୍ଥିତିରେ ଏହି ଆକ୍ରମଣ ହୋଇଥିଲା। ଆକ୍ରମଣ ବେଳେ ଦୁଇ ରାଉଣ୍ଡ ଗୁଳି ଫୁଟିଥିଲା। ଗୁରୁତର ଆହତ ଯୁବକ ଜଣକ ହେଲେ ଜଗନ୍ନାଥ କର୍ଣ୍ଣ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ମୁତାବକ, ଗୁରୁବାର ରାତି ୯.୧୫ରେ ଏହି ଘଟଣା ଘଟିଥିଲା। ଜଗନ୍ନାଥ ଏବଂ ତାଙ୍କ କିଛି ସାଙ୍ଗ ବସ୍‌ଷ୍ଟାଣ୍ଡ ସଂଲଗ୍ନ ଗଳିରେ ଥିବା ଫୁଡ୍‌ କୋର୍ଟ ପାଖରେ ବସିଥିଲେ। ପ୍ରଥମେ ୨/୩ ଜଣ ଯୁବକ ଆସି ସେମାନଙ୍କ ସାଙ୍ଗରେ ବଚସା କରିଥିଲେ। ପରେ ୨୦ରୁ ୨୫ଜଣ ଦୁର୍ବୃତ୍ତ ସଂଘବଦ୍ଧ ହୋଇ ଆକ୍ରମଣ କରିଥିଲେ। ଭୁଜାଲି ମାଡ଼ରେ ଜଗନ୍ନାଥଙ୍କ ଗୋଟିଏ ଆଙ୍ଗୁଠି ଛିଣ୍ଡି ଯାଇଛି। ତାଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ଲଗାତାର ଆକ୍ରମଣ ହୋଇଥିଲା।

publive-image

ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେ ସେଠାରେ ଗୁରୁତର ହୋଇ ଟଳିପଡ଼ିଥିଲେ। ଆଖପାଖରେ ‌ଲୋକଙ୍କ ଗହଳି ଥିଲେ ହେଁ ଏହି ଆତଙ୍କରାଜ ଜାରିରହିଥିଲା। ଗୁରୁତର ଜଗନ୍ନାଥଙ୍କୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚିଥିଲା। ଘଟଣା ସ୍ଥଳରୁ ୨ଟି ଖୋକା ଜବତ ହୋଇଛି। ଏହି ଘଟଣାଟି ଟାଉନ୍‌ ଥାନାରୁ ମାତ୍ର ୨ଶହ ମିଟର୍‌ ଦୂରରେ ଘଟିଥିଲା। ଖବର ଲେଖାଯିବା ପର୍ଯ୍ୟନ୍ତ ସହରରେ ଭୟର ବାତାବରଣ ଲାଗିରହିଥିଲା।