ବ୍ରଜରାଜନଗର : ବ୍ରଜରାଜନଗରସ୍ଥିତ ଓରିଏଣ୍ଟ୍‌ କାଗଜକଳ ପାଚେରି ଡେଇଁ ୧୫ରୁ ଅଧିକ ଦୁର୍ବୃତ୍ତ ମାରଣାସ୍ତ୍ର ଧରି ଭିତରେ ଥିବା ସୁରକ୍ଷାକର୍ମୀଙ୍କୁ ଅତର୍କିତ ଆକ୍ରମଣ କରିଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଘଟିଥିବା ଏହି ଘଟଣାରେ କାରଖାନାର ୨ଟି ସ୍ଥାନରେ ଥିବା ସୁରକ୍ଷାକର୍ମୀଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି। ଦୁର୍ବୃତ୍ତମାନେ ଖଣ୍ଡା, ଲୁହାରଡ୍‌ ଆଦି ଧରି ଏହି ଆକ୍ରମଣ କରିଛନ୍ତି। ସେମାନଙ୍କ ଆକ୍ରମଣରୁ ବର୍ତ୍ତିନାହିଁ କାରଖାନା ଫାଟକରେ ଥିବା ଏକ ଜିପ୍‌ ଓ ଚେୟାର୍‌ ଟେବୁଲ୍‌। ସେମାନେ ଏସବୁକୁ ବାଡ଼େଇ ଭାଙ୍ଗି ଚୂରମାର କରି ଦେଇଛନ୍ତି।

Advertisment

publive-image

ଏ ବାବଦରେ ବ୍ରଜରାଜନଗର ଥାନାରେ ଅଭିଯୋଗ ହୋଇଛି। ଗୁରୁତର ଆହତ ସୁରକ୍ଷା କର୍ମୀ ଶ୍ରୀରାମ ଶର୍ମା, ସତ୍ୟେନ୍ଦ୍ର ମିଶ୍ର ଓ ଦେବଲାଲ ରାୟ ଅଛନ୍ତି। ସମସ୍ତଙ୍କୁ ଚିକିତ୍ସା ପାଇଁ କେନ୍ଦ୍ରୀୟ ଚିକିତ୍ସାଳୟରେ ଭର୍ତ୍ତି କରରାଯାଇଛି। ଶ୍ରୀରାମଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ଜଣାପଡ଼ିଛି। ଏହି ଘଟଣାରେ ଓରିଏଣ୍ଟ କାଗଜକଳର ବରିଷ୍ଠ ମହାପ୍ରବନ୍ଧକ ଜୟନ୍ତ ଶ୍ରୀବସ୍ତାବ ଗଭୀର ଉଦବେଗ ପ୍ରକାଶ କରିଛନ୍ତି।

publive-image

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ଓରିଏଣ୍ଟ କାଗଜକଳ ପରିସରରେ ନୂତନ ଭାବେ ଏକ କଷ୍ଟିକ ପ୍ଲାଣ୍ଟ ନିର୍ମାଣ ପାଇଁ ଅନୁମତି ଦେବାପରେ ଓପିଏମ୍‌ କର୍ତୃପକ୍ଷ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରୁଛନ୍ତି। ଏଭଳି ସମୟରେ ବାରମ୍ବାର ସୁରକ୍ଷା କର୍ମୀଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣା ପରିଚାଳନା ନୂତନ ପ୍ଲାଣ୍ଟ ନିର୍ମାଣରେ ନିରୁତ୍ସାହିତ କରିବ ବୋଲି ମତପ୍ରକାଶ ପାଇଛି। ଘଟଣାକୁ ଜିଲ୍ଲା ପ୍ରଶାସନ ଗମ୍ଭୀରତାର ସହ ଗ୍ରହଣ କରିବାକୁ ଶ୍ରୀ ବାସ୍ତବ ଅନୁରୋଧ କରିଛନ୍ତି। ଶ୍ରୀ ଶ୍ରୀବସ୍ତ ଏବେ ଓରିଏଣ୍ଟ କାଗଜକଳ ଆମଲାଇରେ ବିଶେଷ କାର୍ଯ୍ୟରେ ଯାଇଥିବା ସୂଚନା ଦେଇଥିଲେ।

publive-image

ଶୁକ୍ରବାର ରାତି ପ୍ରାୟ ୧୧ଟା ୩୦ରେ ୧୫ରୁ ଅଧିକ ଦୁର୍ବୃତ୍ତ ଓରିଏଣ୍ଟ କାଗଜକଳ ରେଲ୍‌ୱେ ସାଇଡିଂ ଗେଟ୍‌ ନିକଟ ପାଚେରି ଡେଇଁ ଭିତରେ ପଶିଥିଲେ। ସେଠାରେ ଥିବା ସୁରକ୍ଷା କର୍ମୀ ଦେବଲାଲ ବିରୋଧ କରିବାରୁ ତାଙ୍କୁ ମାଡ଼ ମାରିବା ସହିତ ସାଙ୍ଗରେ ଧରି କମ୍ପାନିର ଷ୍ଟୋର୍‌ ନିକଟକୁ ଯାଇଥିଲେ। ଷ୍ଟୋରରେ ଡ୍ୟୁଟି କରୁଥିବା ସୁରକ୍ଷା କର୍ମୀ ପୁଲିସ ରାୟ ଓ ଅର୍ଜୁନ ସିଂ କୁ ଷ୍ଟୋରର ଚାବି ମାଗିଥିଲେ। ସେମାନଙ୍କ ନିକଟରେ ଚାବି ନଥିବା କହିବାରୁ ସେମାନଙ୍କୁ ମାଡ଼ ମାରିବା ସହ ଷ୍ଟୋର୍‌ର ତାଲା ଭାଙ୍ଗିବାକୁ ପ୍ରୟାସ କରିଥିଲେ। ସେଥିରେ ଅସଫଳ ହେବାରୁ ନିରାଶ ହେଇ କାରଖାନାର ମୁଖ୍ୟ ଗେଟ୍‌ ନିକଟକୁ ଯାଇଥିଲେ। ଷ୍ଟୋର ନିକଟରେ ୩ ସୁରକ୍ଷା କର୍ମୀଙ୍କୁ ୬ରୁ ଅଧିକ ଦୁର୍ବୃତ୍ତ ଜଗି ରହିଥିଲେ। ଅନ୍ୟମାନେ କାଗଜକାଳର ମୁଖ୍ୟ ଗେଟ୍‌କୁ ଆସିଥିଲେ। ସେଠାରେ ଦାୟିତ୍ବରେ ଥିବା ସତ୍ୟେନ୍ଦ୍ର ଓ ଶ୍ରୀରାମଙ୍କୁ ଷ୍ଟୋର ଓ ମୁଖ୍ୟ ଗେଟ୍‌ର ଚାବି ମାଗିବାରୁ ସେମାନେ ଦେଇ ନଥିଲେ। ଫଳରେ ସେମାନେ ଉଭୟଙ୍କୁ ଆକ୍ରମଣ କରିବା ସହିତ ସେଠାରେ ଥିବା ଜିପ୍‌ ଓ ଚୌକି କୁ ଲୁହା ରାଡ୍‌ରେ ପିଟି ଭାଙ୍ଗି ଗେଟ୍‌ ଡେଇଁ ଫେରାର ହୋଇଯାଇଥିଲେ।

publive-image

ଖବରପାଇ ଓପିଏମ ସୁରକ୍ଷା ଅଧିକାରୀ ଗୌତମ ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚି ଆହତ ୩ ଜଣଙ୍କୁ ଚିକିତ୍ସା ପାଇଁ ମଣ୍ଡଳିଆସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳୟକୁ ନେଇଥିଲେ। ବ୍ରଜରାଜନଗର ପୁଲିସ ପକ୍ଷରୁ ଏସ୍‌ଆଇ ଏସ୍‌ କେ ପଟେଲ ଫୋର୍ସ ସହିତ ଘଟଣା ସ୍ଥଳରେ ପହଞ୍ଚି ବିଭିନ୍ନ ସ୍ଥାନ ଚଢ଼ଉ କରିଥିଲେ। ଏନେଇ ଆଇଆଇସି ବୈକୁଣ୍ଠ ସେଠଙ୍କୁ ପଚାରିବାରୁ ଗତକାଲିର ଘଟଣାକୁ ପୁଲିସ ଗମ୍ଭୀରତାର ସହିତ ଗ୍ରହଣ କରିବା ସହିତ ଶୀଘ୍ର ଅପରାଧୀଙ୍କୁ ଧରିବାକୁ ସମସ୍ତ ପ୍ରକାର ପ୍ରୟାସ କରାଯାଉଛି ବୋଲି କହିଥିଲେ।