ଶେରଗଡ଼ : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍‌ରେ ଆବାସ ତାଲିକାରୁ ଅଯୋଗ୍ୟ ଦର୍ଶାଇ ନାଁ କାଟି ଦିଆଯିବା ଘଟଣାକୁ ନେଇ ଆଜି ବ୍ଲକ୍‌ କାର୍ଯ୍ୟାଳୟ ପରିସର ରଣକ୍ଷେତ୍ର ପାଲଟିଥିଲା। ଏହାକୁ ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଜଣେ ହିତାଧିକାରୀ ଆକ୍ରମଣ କରିବା ପରେ ମାମଲା ଥାନାକୁ ଯାଇଛି।

Advertisment

ବ୍ଲକ୍‌ରେ ପକ୍କାଘର ଥିବା ଅନେକ ଲୋକଙ୍କୁ ଆବାସ କାର୍ଯ୍ୟାଦେଶ ମିଳିଥିବା ବେଳେ ଅସହାୟଙ୍କୁ ବଞ୍ଚିତ କରାଯାଇଛି। ଏନେଇ ଅଭିଯୋଗ କରିବାକୁ ଆସିଥିବା ବୁଢ଼ା ରେଡ଼ୀ ନାମକ ଜଣେ ଯୁବକ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଶେରଗଡ଼ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଭୟ ସାହୁଙ୍କୁ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଶେରଗଡ଼ ପଞ୍ଚାୟତ ରାମକୃଷ୍ଣପୁର ଗ୍ରାମର ଜଣେ ହିତାଧିକାରୀଙ୍କ ଆବାସ ଅନ୍‌ଲାଇନରେ ପଞ୍ଜୀକୃତ ଅଭିଯୋଗ ଆଧାରରେ କଟିଯାଇଛି। ହେଲେ ଏହାକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଉଦ୍ଦେଶ୍ୟମୂଳକ ଭାବେ କାଟି ଦେଇଥିବା ନେଇ ବୁଢ଼ା ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ପାଟି କରିବା ସହ ନିର୍ବାହୀ ଅଧିକାରୀ ଶ୍ରୀ ସାହୁଙ୍କୁ ଆକ୍ରମଣ କରିଥିଲେ। ଅଭୟ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ଘଟଣାକୁ ପୁଲିସ ଅନୁଧ୍ୟାନ କରୁଛି।