ପାଣ୍ଡିଆନଙ୍କ ଘର ଉପରକୁ ଗୋବର ମାଡ଼ ଘଟଣାକୁ ସମାଲୋଚନା

ଭାରତବର୍ଷରେ ପ୍ରଥମ ଘଟଣା: ସାଂସଦ ଭର୍ତ୍ତୃହରି ମହତାବ
ବିଜେପି ଓ ବୈଜୟନ୍ତଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ:ମନ୍ତ୍ରୀ ପ୍ରତାପ ଜେନା

କଟକ :ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନକୁ ବିଜେପି କର୍ମୀଙ୍କ ଗୋବର ମାଡ ଘଟଣାକୁ ଅତ୍ୟନ୍ତ କଡା ଭାଷାରେ ନିନ୍ଦା କରିଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହାତାବ ଏବଂ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା । ଆଜି କଟକ ଗସ୍ତ ଅବସରରେ ଏହି ଦୁଇ ନିର୍ବାଚିତ ପ୍ରତିନିିଧି ପୃଥକ ପୃଥକ ସ୍ଥାନରେ ଏ ନେଇ ପ୍ରତିକ୍ରିୟା ରଖି ଘଟଣାକୁ କଡା ଭାଷାରେ ସମାଲୋଚନା କରିବା ସହ ବିଜେପିର ଗୁଣ୍ଡାଗିରିକୁ ନିନ୍ଦା କରିଛନ୍ତି ।

ଏହି ଘଟଣା ଉପରେ ପ୍ରତିକ୍ରିୟା ରଖି କଟକ ସାଂସଦ ଭର୍ତ୍ତୃହରି ମହାତବ କହିଛନ୍ତି ଯେ ଏହି ଘଟଣା ଅତ୍ୟନ୍ତ ନିନ୍ଦନୀୟା ଯେଉଁମାନେ ବ୍ୟକ୍ତିଗତ ସଚିବ ରହିଥାନ୍ତି ସେମାନେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିଥାନ୍ତି । ତେଣୁ ଏ କ୍ଷେତ୍ରରେ ତାଙ୍କୁ ଟାର୍ଗେଟ କରିବା ନିଜର ଦୁର୍ବଳତାର ପରିଚୟ ଦେବା ସହ ହୀନ ରାଜନୀତିର ପରିଚୟ ଦେଉଛି ବୋଲି ସାଂସଦ ଶ୍ରୀ ମହତାବ କହିଛନ୍ତି । ଗତ କିଛି ଦିନ ହେବ କେତେକ ବ୍ୟକ୍ତି ଟେଲିଭିଜନରେ ପାଣ୍ଡିଆନଙ୍କୁ ଟାର୍ଗେଟ କରୁଥିଲେ । ଆଉ ଆଜି ସେମାନେ ତଳସ୍ତରକୁ ଖସିଯାଇଥିବା ଶ୍ରୀ ମହତାବ କହିଛନ୍ତିା ।

ସେହିପରି ବିଜେପିକୁ ଟାର୍ଗେଟ କରି ଶ୍ରୀ ମହତାବ କହିଛନ୍ତି, କୌଣସି ସରକାରୀ କର୍ମଚାରୀଙ୍କ ଘରେ ଦଳୀୟ ପତାକା ଧରି ଧସେଇ ପଶିବା ଭାରତୀୟ ଇତିହାସରେ ପ୍ରଥମ ଘଟଣା, ଯାହାକୁ ଭାରତୀୟ ଜନତା ପାର୍ଟି କର୍ମୀମାନେ ଭିଆଇଛନ୍ତି । ଏହାଦ୍ୱାରା ସେମାନଙ୍କ ଅସହିଷ୍ଣୁତା ପଦାରେ ପଡିଛିି ବୋଲି କଟକ ପରମହଂସଠାରେ ରାଜୀବ ଆବାସ ଯୋଜନା ଉଦଘାଟନ ସମାରୋହ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେ ଶ୍ରୀ ମହାତାବ କହିଛନ୍ତି।

ଅନ୍ୟପକ୍ଷରେ ଭି.କେ.ପାଣ୍ଡିଆନଙ୍କ ସମର୍ଥନରେ ଅଣ୍ଟା ଭିଡିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ପ୍ରତାପ ଜେନା । କଟକ ଇଣ୍ଡୋର ଷ୍ଟାଡିୟମଠାରେ ଆୟୋଜିତ ଜୀବନବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ ସମାରୋହରେ ଯୋଗ ଦେଇ ଶ୍ରୀ ଜେନା କହିଛନ୍ତି ଯେ ସରକାରୀ କର୍ମଚାରୀଙ୍କ ଘର ଉପରେ ଆକ୍ରମଣ ରାଜନୀତିରେ ପ୍ରଥମ ଘଟଣା । ଓଡିଶାରେ ଏପରି ଘଟଣା କେବେ ଘଟି ନାହିଁ । ତେବେ ଏହା ବିଜେପିର ଗୁଣ୍ଡାଗିରି ବୋଲି ଶ୍ରୀ ଜେନା ଅଭିଯୋଗ କରିବା ସହ ଏହା ସମ୍ପୂର୍ଣ୍ଣ ଭାବେ ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ସେ କହିଛନ୍ତିା ଏହି ପ୍ରସଙ୍ଗରେ ସେ ସିଧାସଳଖ ବିଜେପି ଓ ନିଲମ୍ବିତ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଏହା ଦୁଇ ଜଣଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ । ପ୍ରଥମତଃ ବିଜେପି ଏବଂ ଦ୍ୱିତୀୟରେ ଏହା ବୈଜୟନ୍ତ ପଣ୍ଡାଙ୍କ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ସେ ସିଧାସଳଖ ଅଭିଯୋଗ କରିଛନ୍ତି । ଏହି ଘଟଣା ଅତ୍ୟନ୍ତ ଅପମାନଜନକ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ହେବ ନବୀନ ସରକାରଙ୍କ ତୃତୀୟ ମହଲା ଏବଂ ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନଙ୍କୁ ବିଜେପି ଓ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପକ୍ଷରୁ ଲଗାତର ଭାବେ ଟାର୍ଗେଟ କରାଯାଉଥିଲା । ଏହି ପ୍ରସଙ୍ଗରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦଳରୁ ନିଲମ୍ବିତ କରିଥିଲା ଶାସକ ବିଜେଡି ।

ସମ୍ବନ୍ଧିତ ଖବର