୭ ଅଭିଯୁକ୍ତଙ୍କୁ ମିଳିଲା ସର୍ତମୂଳକ ଜାମିନ୍‌

ପାଣ୍ଡିଆନଙ୍କ ବାସଭବନକୁ ଗୋବର ଓ ଢେଲା ମାଡ଼ ଘଟଣା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ୟୁନିଟ୍‌-୬ସ୍ଥିତ ସରକାରୀ ବାସଭବନକୁ ଗୋବର ଓ ଢେଲା ମାଡ଼ ଘଟଣାରେ ଗିରଫ ହୋଇଥିବା ୯ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୭ ଜଣଙ୍କୁ ଖୋର୍ଧା ଜିଲ୍ଲା ଦୌରାଜଜଙ୍କ କୋର୍ଟରୁ ଆଜି ସର୍ତମୂଳକ ଜାମିନ୍‌ ମିଳିଛି। ସେମାନେ ହେଲେ ବିଜେପି ଯୁବମୋର୍ଚାର ସାଧାରଣ ସମ୍ପାଦକ ବିଶ୍ୱରଂଜନ ବଡ଼ଜେନା, ଯୁଗ୍ମଜ୍ୟୋତି ସ୍ୱାଇଁ, ବିଭୂତି ଭୂଷଣ ପୃଷ୍ଟି, ରଶ୍ମିରଂଜନ ମୁଦୁଲି, ବଳରାମ ଖୁଣ୍ଟିଆ, ରାକେଶ ଜେନା ଓ ଭୀମସେନ ନାୟକ। ପ୍ରତ୍ୟେକ ୩୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକା ସାଙ୍ଗକୁ ପ୍ରତି ରବିବାର ଥାନାକୁ ଆସି ତଦନ୍ତକାରୀ ଅଧିକାରୀଙ୍କ ସମ୍ମୁଖରେ ହାଜର ହେବାକୁ ସର୍ତ ରହିଛି। ପ୍ରକାଶଥାଉକି, ଗତ ୧୦ ତାରିଖରେ ୩୦ରୁ ଅଧିକ ବିଜେପି କର୍ମୀ ଶ୍ରୀ ପାଣ୍ଡିଆନଙ୍କ ଘରକୁ ଧସେଇ ପଶିବା ସହିତ ଟେକାପଥର ଓ ଗୋବର ମାଡ଼ କରିଥିଲେ। ଏହି ଘଟଣାରେ କ୍ୟାପିଟାଲ ଥାନା ପୁଲିସ ୯ ଜଣଙ୍କୁ ଗିରଫ କରିଥିଲା। ଶେଷରେ ୯ ଅଭିଯୁକ୍ତଙ୍କ ମଧ୍ୟରୁ ଆଜି ୭ ଜଣଙ୍କୁ ଜାମିନ ମିଳିଛି।

ସମ୍ବନ୍ଧିତ ଖବର