ରାଜନଗର: ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ରବିବାର ୬ଟି ଟ୍ରଲର୍ ବନ ବିଭାଗ ପାଟ୍ରୋଲିଂ ଟିମ୍କୁ ଘେରି ମତ୍ସ୍ୟଜୀବୀଙ୍କୁ ଛଡ଼ାଇ ନେବା ଘଟଣା ନେଇ ଆଜି ତାଳଚୁଆ ସାମୁଦ୍ରିକ ଥାନାରେ ଏତଲା ଦିଆଯାଇଛି। ସମୁଦ୍ରରେ ବନ ବିଭାଗ ପାଟ୍ରୋଲିଂ ଟ୍ରଲର୍କୁ ବୁଡ଼ାଇ ଦେବାକୁ ଉଦ୍ୟମ କରାଯାଇଥିବା ଏବଂ ଜବତ ଟ୍ରଲର୍ରୁ ୪୦ କେଜି ଓଜନର ଅଲିଭ୍ ରିଡ୍ଲେ କଇଁଛର ମୃତଦେହ ଉଦ୍ଧାର କରାଯାଇଛି ବୋଲି ଅଭିଯୋଗରେ ଦର୍ଶାଯାଇଛି। ବନ ବିଭାଗ ଏତଲା ଆଧାରରେ ପୁଲିସ ପକ୍ଷରୁ ତଦନ୍ତ ଜୋରଦାର କରାଯିବା ସହିତ ଚାନ୍ଦି ତାରିଣୀ-୩ ନାମକ ଟ୍ରଲର୍ର ମାଲିକ ଅବିନାଶ କୁମାର ନାୟକଙ୍କୁ ମହକାଳପଡ଼ା ବ୍ଲକ୍ର ଶାସନପେଟାରୁ ଗିରଫ କରାଯାଇଛି।
ତାଳଚୁଆ ସାମୁଦ୍ରିକ ଥାନାରେ ଫରେଷ୍ଟର ସୁରେଶ ଚନ୍ଦ୍ର ପୃଷ୍ଟିଙ୍କ ଅଭିଯୋଗ ମୁତାବକ ଗତକାଲି ତାଙ୍କ ସହ ୧୩ଜଣ ବନ ବିଭାଗ କର୍ମଚାରୀ ପାଟ୍ରୋଲିଂ କରୁଥିଲା ବେଳେ ବେଆଇନ ଭାବେ ମାଛ ମାରୁଥିବା ଚାନ୍ଦି ତାରିଣୀ-୩ ଟ୍ରଲର୍କୁ ଜବତ କରିଥିଲେ। ଏତିକି ବେଳେ ଟ୍ରଲର୍ ଡ୍ରାଇଭର୍ ମାଧବାନନ୍ଦ ମଲିକ ଭିଏଚ୍ଏଫ୍ ମାଧ୍ୟମରେ ଟ୍ରଲର୍ ମାଲିକ ଅବିନାଶ କୁମାର ନାୟକଙ୍କୁ ସୂଚନା ଦେଇଥିଲେ। ଅବିନାଶଙ୍କ ନିର୍ଦ୍ଦେଶକ୍ରମେ ନିକଟରେ ବେଆଇନ ଭାବେ ମାଛ ମାରୁଥିବା ଅନ୍ୟ ଏକ ଚାନ୍ଦି ତାରିଣୀ ଟ୍ରଲର୍, ୨ଟି ଜଳଦେବୀ ନାମକ ଟ୍ରଲର୍ ସମେତ ଅନ୍ୟ ଦୁଇଟି ଟ୍ରଲର୍ ମିଳିତ ଭାବେ ବନ ବିଭାଗ ପାଟ୍ରୋଲିଂ ଟ୍ରଲର୍କୁ ବାଡ଼େଇ ବୁଡ଼ାଇ ଦେବାକୁ ଉଦ୍ୟମ କରିଥିଲେ। ସେମାନେ ବନ କର୍ମଚାରୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବା ସହ ଚାନ୍ଦି ତାରିଣୀ-୩ ଟ୍ରଲର୍ରୁ ୮ଜଣ ମତ୍ସ୍ୟଜୀବୀ ମାଧବାନନ୍ଦ ମଲିକ, ମହତା ମଲିକ, ମନୋଜ ମଲିକ, ବୁଗା ମଲିକ, ଅଭୟ ମଲିକ, ଶ୍ୟାମ ମଲିକ, ମହନ୍ତ ମଲିକ ଓ ଅନ୍ୟଜଣଙ୍କୁ ଜୋରଜବରଦସ୍ତ ଛଡ଼ାଇ ନେଇଥିଲେ। ପାଟ୍ରୋଲିଂ ଟ୍ରଲର୍ରେ ଥିବା ବନ କର୍ମଚାରୀ ଓ ଏପିଆର୍ ଫୋର୍ସଙ୍କ ଜୀବନ ରକ୍ଷା ପାଇଁ ଦୁଇଜଣ ଫରେଷ୍ଟର ଗୋଟିଏ ଲେଖାଏଁ ଫାଙ୍କା ଗୁଳିଚାଳନା କରିଥିଲେ। ଫଳରେ ଟ୍ରଲର୍ଗୁଡ଼ିକ ପାଟ୍ରୋଲିଂ ଟ୍ରଲର୍ ଓ ଜବତ ଟ୍ରଲର୍କୁ ଛାଡ଼ି ପଳାଇ ଯାଇଥିଲେ।
ପାଟ୍ରୋଲିଂ ଟ୍ରଲର୍କୁ ବୁଡ଼ାଇ ଦେବାକୁ ହୋଇଥିଲା ଉଦ୍ୟମ
ଜବତ ହୋଇଛି ଅଲିଭ୍ ରିଡ୍ଲେ କଇଁଛ ମୃତଦେହ
ଜବତ ଟ୍ରଲର୍ରେ ରହିଯାଇଥିବା ଜଣେ ଅଭିଯୁକ୍ତ ଠକରା ମଲିକଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି। ଜବତ ଟ୍ରଲର୍ରୁ ଦୁଇଟି ଜିପିଏସ୍, ୩ଟି ଭିଏଚ୍ଏଫ୍, ୧୧ଟି ଟ୍ରଲିଂ ନେଟ୍, ଗୋଟିଏ ୪୦ କେଜି ଓଜନର ମୃତ ଅଲିଭ୍ ରିଡ୍ଲେ କଇଁଛ ଓ ୨୦ କୁଇଣ୍ଟାଲ ମାଛ ଜବତ କରାଯାଇଛି ବୋଲି ଏତଲାରେ ଦର୍ଶାଯାଇଛି। ବନ ବିଭାଗ ପକ୍ଷରୁ ଏତଲା ପାଇବା ପରେ ପୁଲିସ ତଦନ୍ତକୁ ଜୋରଦାର କରିଥିଲା। ଉକ୍ତ ଘଟଣା ପରେ ଟ୍ରଲର୍ ମାଲିକ ଅବିନାଶ କୁମାର ନାୟକ ବାଲେଶ୍ୱରରୁ ଆସି ଶାସନପେଟାସ୍ଥିତ ଗହୀରମଥା ରେଞ୍ଜ କାର୍ଯ୍ୟାଳୟ ବାହାରେ ବୁଲୁଥିଲେ। ତାଳଚୁଆ ସାମୁଦ୍ରିକ ଥାନା ପୁଲିସ ମୋବାଇଲ୍ ଟ୍ରାକିଂ କରି ଅବିନାଶଙ୍କୁ ସେଠାରୁ ଉଠାଇ ନେଇଥିଲା। ଗତକାଲିର ଘଟଣା ପରେ ଏସିଏଫ୍ ମାନସ କୁମାର ଦାସଙ୍କ ନେତୃତ୍ୱରେ ପାଟ୍ରୋଲିଂ ଟିମ୍ ଆଜି ଗଭୀର ସମୁଦ୍ରରେ ପାଟ୍ରୋଲିଂ ଜୋରଦାର କରିଛନ୍ତି। ସେହିପରି ବନ ବିଭାଗ ଟ୍ରଲର୍କୁ ସମୁଦ୍ରରେ ବୁଡ଼ାଇବା ସହ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ କରିଥିବା ୫ ଟ୍ରଲର୍କୁ ଧରିବା ପାଇଁ ପୁଲିସ ଓ ବନ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
ଅପରପକ୍ଷରେ ଆଜି ମା’ ଦୁର୍ଗା ନାମକ ଟ୍ରଲର୍କୁ ବନ ବିଭାଗ ଜବତ କରିବା ସହିତ ରବୀନ୍ଦ୍ର ଦାସ, ଗଜେନ୍ଦ୍ର ଦାସ, ନିଲୁ ସିଂ, ଯୁଧିଷ୍ଠିର ଦାସ, ଦିବର ମୁର୍ମୁ, ଭୀମା ହାଁସଦା, ରାଜେନ୍ଦ୍ର ହାଁସଦା, ରମସାଇ ହାଁସଦା, କ୍ରିଷ୍ଣା ପାତ୍ର, ରାଜେନ୍ଦ୍ର ଦାସ, ଶାନ୍ତନୁ କୁମାର ଧଳ, ସୁଶାନ୍ତ ଦାସ, ବାବୁ କୁମାର ମାଝି ପ୍ରମୁଖ ୧୩ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ସମସ୍ତ ମତ୍ସ୍ୟଜୀବୀ ବାଲେଶ୍ୱର ଅଞ୍ଚଳର ବୋଲି ଜଣାପଡ଼ିଛି। ଜବତ ଟ୍ରଲର୍ରୁ ୩ଟି ଭିଏଚ୍ଏଫ୍, ଗୋଟିଏ ଜିପିଏସ୍, ଗୋଟିଏ ଫିସ୍ ଫାଇଣ୍ଡର୍, ୧୧ଟି ଟ୍ରଲିଂ ନେଟ୍, ୨ଟି ମୋବାଇଲ ଫୋନ୍ ସହ ୭ କୁଇଣ୍ଟାଲ ୨୦ କେଜି ମାଛ ଜବତ କରାଯାଇଥିବା ବନ ବିଭାଗ ସୂଚନା ଦେଇଛି।