ପିସିସି ସଭାପତିଙ୍କୁ ଆକ୍ରମଣ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ: ଜୟଦେବ

ଭୁବନେଶ୍ବର : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରେ ହୋଇଥିବା ଆକ୍ରମଣକୁ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ତୀବ୍ର ନିନ୍ଦା କରିଛନ୍ତି। ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା କହିଛନ୍ତି ଯେ କାଲିର ଘଟଣା ପରେ ପୁଲିସ ଟାଳଟୁଳ ନୀତି ଅବଲମ୍ବନ କରି ୫ ଜଣଙ୍କ ପରିବର୍ତ୍ତେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ବିଜେପି ଯୁବମୋର୍ଚ୍ଚା କର୍ମକର୍ତ୍ତା। ଏଥିରୁ ଜଣାପଡ଼ୁଛି ଯେ ଏହି ଆକ୍ରମଣ ଘଟଣା ବିଜେପି ଦ୍ବାରା ପ୍ରାୟୋଜିତ। ପିସିସି ସଭାପତିଙ୍କୁ ଆକ୍ରମଣ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ସବୁ ଦେଖି ନ ଦେଖିଲା ପରି ବିଜେପିକୁ ବିଜେଡି ସୁରକ୍ଷା ଦେଉଛି। କଂଗ୍ରେସ କେବେ ହିଂସାକୁ ପ୍ରଶ୍ରୟ ଦିଏ ନାହିଁ, ଅହିଂସାକୁ ବିଶ୍ବାସ କରେ। ବିଜେଡି ଓ ବିଜେପି ମିଶି ହିଂସାକୁ ପ୍ରଶ୍ରୟ ଦେଇ ଯେଉଁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛନ୍ତି, ଆଗାମୀ ଦିନରେ ଏହାର ଦୃଢ଼ ଜବାବ ଦିଆଯିବ ବୋଲି ଶ୍ରୀ ଜେନା କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ବିଧାୟକ ତାରା ପ୍ରସାଦ ବାହିନୀପତି କହିଲେ ଯେ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବା ସହ ସେମାନଙ୍କ ବିରୋଧରେ ଏନ୍‌ଏସ୍‌ଏ ଲାଗୁ କରାଯାଉ। ତ୍ରିପୁରାର ପିସିସି ସଭାପତିଙ୍କୁ ଆକ୍ରମଣ ଘଟଣାର ୨୪ ଘଣ୍ଟା ନ ପୂରୁଣୁ ଓଡ଼ିଶାରେ ପିସିସି ସଭାପତିଙ୍କୁ ଆକ୍ରମଣ କରିବା ବିଜେପି ପ୍ରାୟୋଜିତ। କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ କହିଥିଲେ ଯେ ଏପରି ଘଟଣାରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ଜୋର୍‌ଦାର ଆନ୍ଦୋଳନ କରିବ।

ସମ୍ବନ୍ଧିତ ଖବର