ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ନାଲିପଡ଼ା-ଅର୍ଜୁନପୁର ପଂଚାୟତରେ ଆଜି ପ୍ରଧାନମନ୍ତ୍ରୀ ଆବସ ତଦନ୍ତକୁ ନେଇ ପଂଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କୁ ଆକ୍ରମଣ ହୋଇଛି ।
ଅଭିଯୋଗ ଅନୁସାରେ, ପଂଚାୟତ ନିର୍ବାହୀ ଅଧିକାରୀ ଅଶୋକ କୁମାର ପାଟ୍ଟଷାଣୀ ବ୍ଲକ ଚିଠି ନମ୍ବର ୪୫୦୯/୨୭ ଡିସେମ୍ବର ୨୦୨୨ ଅନୁସାରେ ୱାର୍ଡ଼ ନମ୍ବର ୧୨ରେ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କ ଗୃହ ନିର୍ମାଣର ତଦନ୍ତ କରିବାକୁ ଯାଇଥିଲେ ।
ତାଙ୍କ ସହ ଜିଆର୍ଏସ୍ ପ୍ରଦୋଷ କୁମାର ରାୟ ଓ ହିତାଧିକାରୀ ସୌମ୍ୟଜିତ ପଟ୍ଟନାୟକ ଥିଲେ । ଏହି ସମୟରେ ମନୋରଂଜନ ବଡ଼ଜେନା ନାମକ ଜଣେ ବ୍ୟକ୍ତି ଆସି ବିନାସୂଚନାରେ ତଦନ୍ତ କରିବାକୁ ନେଇ ବିରୋଧ କରିବା ସହ ତାଲିକାରୁ କେତେକ ବ୍ୟକ୍ତିଙ୍କ ନାମକୁ କାଟିଲେ ପରିସ୍ଥିତି ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦେଇଥିଲେ । ଅଶୋକ ପ୍ରତିବାଦ କରିବାରୁ ସେ ତାଙ୍କୁ ଗାଳିଗୁଲଜ କରିବା ସହ ଅନ୍ୟ କେତେକ ବ୍ୟକ୍ତିଙ୍କ ସହ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଏନେଇ ବ୍ଲକ ଅଧିକାରୀ କ୍ଷୀରାବ୍ଧୀ ତନୟା ସାହୁଙ୍କୁ ଜଣାଇବା ପରେ ବ୍ଲକ ଅଧିକାରୀଙ୍କ ଅନୁମତି ପରେ ରାତିରେ ଖୋର୍ଦ୍ଧା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।