ଜଗନ୍ନାଥପ୍ରସାଦ : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ କାଦୁ୍ଆ ପଞ୍ଚାୟତ ଯୋଡ଼ାବନ୍ଧ ଗ୍ରାମକୁ ଚୋରି କରିବାକୁ ଆସିଥିବା ୪ ଯୁବକ ଗ୍ରାମବାସୀଙ୍କ ହାତରେ ଧରା ପଡ଼ିଛନ୍ତି। ଗ୍ରାମବାସୀ ସେମାନଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରିବା ସହ ଅଧାଲଣ୍ଡା କରି ଆଜି ସକାଳେ ଗାଁ ସାରା ବୁଲାଇଥିଲେ। ପରେ ପୁଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା। ଏନେଇ ଜଗନ୍ନାଥପ୍ରସାଦ ଥାନାରେ ଏକ ମାମଲା ରୁଜୁ ହୋଇଛି। ଉକ୍ତ ୪ଜଣ ଯୁବକଙ୍କୁ ପୁଲିସ ଅଟକ ରଖିଥିବା ବେଳେ ସେମାନଙ୍କଠୁ ଏକ ବାଇକ୍ ଜବତ ହୋଇଛି। ଅଟକ ୪ ଜଣ ଯୁବକ ହେଉଛନ୍ତି ଜଗନ୍ନାଥପ୍ରସାଦ ଥାନା ଗୋଚ୍ଛାବାଡି ଗ୍ରାମର କାହ୍ନୁ ପ୍ରଧାନ, ନୂଆ ଗୋଚ୍ଛାବାଡିର କୁନା ରାଉତ, କନ୍ଧନୂଆପଲ୍ଲୀର ଲବ ରାଉତ ଓ ଭଞ୍ଜନଗର ଥାନା ଜିଲୁଣ୍ଡି ଗ୍ରାମର ଧୋବା ରାଉତ।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନାନୁସାରେ, ଏହି ୪ଜଣ ଯୁବକ ଗତକାଲି ବାଇକରେ ଯୋଡ଼ାବନ୍ଧ ଆସିଥିଲେ। ରାତି ପ୍ରାୟ ୨ଟା ବେଳେ ୩ଜଣ ଯୁବକ ପ୍ରଭାକର ନାୟକ ନାମକ ଜଣେ ବ୍ୟକ୍ତିଙ୍କ ଘରେ ପଶିଥିଲେ। ଏହି ସମୟରେ ପ୍ରଭାକରଙ୍କ ନିଦ ଭାଙ୍ଗି ଯାଇଥିଲା। ପ୍ରଭାକର ପାଟି କରିବାରୁ ତିନିଜଣ ଯୁବକ କବାଟ ଖୋଲି ଦୌଡ଼ି ପଳାଇଥିଲେ। ନିକଟସ୍ଥ ନରେନ୍ଦ୍ରପୁର ଗ୍ରାମବାସୀ ସେମାନଙ୍କୁ କାବୁ କରି ନେଇଥିଲେ। ପ୍ରଭାକର ସମସ୍ତଙ୍କୁ ଚିହ୍ନଟ କରିଥିଲେ। ସେମାନଙ୍କ ପାଖରୁ ଦୁଇଟି ମୋବାଇଲ, ଗୋଟିଏ ମନି ପର୍ସ ଓ ୨ହଜାର ଟଙ୍କା ମିଳିଥିଲା। ଏହା ପରେ ଗ୍ରାମବାସୀ ଉକ୍ତ ୪ ଯୁବକଙ୍କୁ ବାନ୍ଧି ମାଡ଼ ମାରିବା ସହ ଅଧାଲଣ୍ଡା କରି ଗାଁ ସାରା ବୁଲାଇଥିଲେ। ଆଜି ସକାଳେ ଜଗନ୍ନାଥପ୍ରସାଦ ଥାନାରେ ଅଭିଯୋଗ କରିବା ପରେ ପୁଲିସ ପହଞ୍ଚି ସେମାନଙ୍କୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରିଥିଲେ। ଏହାସହ ଯେଉଁ ଗ୍ରାମବାସୀ ୪ଜଣ ଯୁବକଙ୍କୁ ନିର୍ଯାତନା ଦେଉଥିଲେ ସେମାନଙ୍କ ବିରୋଧରେ ବି ମାମଲା ରୁଜୁ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ଥାନା ଅଧିକାରୀ ଯୁବରାଜ ସ୍ବାଇଁ ସୂଚନା ଦେଇଛନ୍ତି।