ଗଞ୍ଜାମ: ଦାଦାବଟି ପାଇଁ ଚିକେନ୍ ବ୍ୟବସାୟୀ ଦୀପକ ନାୟକଙ୍କୁ ଦୁର୍ବୃତ୍ତମାନେ ଭୁଜାଲିରେ ହାଣିଛନ୍ତି। ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ୧୬ ନମ୍ବର ଜାତୀୟ ରାଜପଥର ପାଲୁର୍ ଛକରେ ଏହି କାଣ୍ଡ ଘଟାଇଛନ୍ତି ଦୁର୍ବୃତ୍ତ। ଦୀପକଙ୍କ ଘର ସୁବଳୟା ପଞ୍ଚାୟତ ବେଲପଡ଼ା ଗ୍ରାମରେ ବୋଲି ଜଣାପଡ଼ିଛି। ଛକରେ ସାଧାରଣ ଜନତା ଏବଂ ଅନ୍ୟ ବ୍ୟବସାୟୀଙ୍କୁ ଆତଙ୍କିତ କରିବାକୁ ଦୁର୍ବୃତ୍ତ ତିନି ରାଉଣ୍ଡ ଫାଙ୍କା ଗୁଳିଚାଳନା ମଧ୍ୟ କରିଛନ୍ତି। ହୁମ୍ମା ସ୍ବାସ୍ଥ୍ୟକେନ୍ଦ୍ର ଓ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଦୀପକଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ଉତ୍ତେଜନା ଦେଖା ଦେଇଥିବା ବେଳେ ଉତ୍ତ୍ୟକ୍ତ ଜନତା ଓ ବ୍ୟବସାୟୀ ହୁମ୍ମା ଫାଣ୍ଡି ଘେରାଉ କରିଥିଲେ। ସନ୍ଧ୍ୟା ସୁଦ୍ଧା ପୁଲିସ ଦୁଇ ଅଭିଯୁକ୍ତ ସନ୍ତୋଷ ନାୟକ ଓ ଲଳିତ ନାୟକଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନେ ଫେରାର୍ ଥିବା ବେଳେ ସେମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି।
ସକାଳେ ଦୀପକ ପାଲୁର୍ ଛକରେ ଥିବା ତାଙ୍କ ଚିକେନ୍ ଦୋକାନ ଖୋଲିଥିଲେ। ଏ ସମୟରେ ସୁନୀଲ ନାୟକ, ବେଲପଡ଼ା ଗ୍ରାମର ଲଳିତ ନାୟକ ଓ ସନ୍ତୋଷ ନାୟକଙ୍କ ସମେତ ୬ ଜଣ ଯୁବକ ଆସି ତାଙ୍କୁ ଦାଦାବଟି ମାଗିଥିଲେ। ଯାହାକୁ ନେଇ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ସୁନୀଲ ଏକ ଭୁଜାଲି ବାହାର କରି ଦୀପକଙ୍କ ଛାତି ଓ ପେଟକୁ ହାଣି ଦେଇଥିଲା। ଏହାସହ ଛୁରୀରେ ଆକ୍ରମଣ ପାଇଁ ଉଦ୍ୟମ ବେଳେ ଅନ୍ୟ ବ୍ୟବସାୟୀମାନେ ଦୌଡ଼ି ଆସିଥିଲେ। ଫଳରେ ଦୁର୍ବୃତ୍ତମାନେ ତିନି ରାଉଣ୍ଡ ଫାଙ୍କା ଗୁଳି କରି ସମସ୍ତଙ୍କୁ ଭୟଭୀତ କରାଇବା ସହ ସେଠାରୁ ବାଇକ୍ ଯୋଗେ ଦ୍ରୁତ ଗତିରେ ଚମ୍ପଟ୍ ମାରିଥିଲେ।
ଦୀପକଙ୍କୁ ବାପା ପ୍ରଦୀପ ନାୟକ ଓ ସାନଭାଇ ସହ ଅନ୍ୟ ବ୍ୟବସାୟୀ ଉଦ୍ଧାର କରି ଡାକ୍ତରଖାନାକୁ ଆଣିଥିଲେ। ଦୀପକଙ୍କ ସାନଭାଇ ହୁମ୍ମା ଫାଣ୍ଡିରେ ଏତଲା ଦେଇଥିବା ବେଳେ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ଓ ସୁରକ୍ଷା ଦାବିରେ ବ୍ୟବସାୟୀ ହୁମ୍ମା ଫାଣ୍ଡି ଘେରାଉ କରିଥିଲେ। ରମ୍ଭା ଥାନାଧିକାରୀ ସତ୍ୟବ୍ରତ ଭୂତିଆ ଓ ଛତ୍ରପୁର ଏସ୍ଡିପିଓ ପହଞ୍ଚି ସମସ୍ତଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏ ନେଇ ରମ୍ଭା ଥାନା କେସ୍ ନମ୍ବର ୩୪୦ରେ ମାମଲା ରୁଜୁ ସହ ଲଳିତ ଓ ସନ୍ତୋଷକୁ ଗିରଫ କରାଯାଇଥିବା ପୁଲିସ ସୂଚନା ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/gjgjgjgj.jpg)