ଚୋର ଧରିବାବେଳେ ମହାଭାରତ : ପୁଲିସକୁ ନିସ୍ତୁକ ମାଡ଼, ୩ ଆହତ

ପୁଲିସ ଗାଡ଼ି ଓ କାର୍‌ ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ

ପୁଲିସ ଉପରକୁ କାଚ ବୋତଲ ଓ ପଥର ମାଡ଼
ଆମନା ଓ ସଂଜପଡା ଗାଁ ପୁରୁଷଶୂନ୍ୟ

ବଅଁରପାଳ : ତେଲ ଚୋର ଧରିବାକୁ ପୁଲିସ ନାକେଦମ୍‌ ହୋଇଛି। ସାଦା ପୋଷାକରେ ଯାଇଥିବା ବଅଁରପାଳ ଥାନାର କିଛି ଅଧିକାରୀ ଓ କର୍ମଚାରୀଙ୍କ ଉପରେ ହୋଇଛି ନିସ୍ତୁକ ମାଡ଼ । ପିଲା ଚୋର ସନ୍ଦେହରେ ଆମନା ଓ ସଂଜପଡା ଗ୍ରାମବାସୀ ସୋମବାର ସନ୍ଧ୍ୟାରେ ପୁଲିସ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଲୋକଙ୍କ ପଥର ଓ କାଚ ବୋତଲ ମାଡରେ ୩ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଏପଟେ ପୁଲିସ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସୁଧୁରିଥିଲେ ମଧ୍ୟ ଗିରଫଦାରି ଭୟରେ ଉଭୟ ଗାଁ ପୁରୁଷଶୂନ୍ୟ ହୋଇଯାଇଛି।

ପାରାଦୀପ ଆଇଓସିଏଲ୍‌ରୁ ପାଇପ ଯୋଗେ ସମ୍ବଲପୁରକୁ ତେଲ ଯୋଗାଣ କରାଯାଉଛି। ଗତ ୪ ତାରିଖରେ ବଉଳିଗଡ଼ ଜଙ୍ଗଲ ନିକଟରେ ଯାଇଥିବା ପାଇପ୍‌ ଲାଇନରୁ ୫ ଟ୍ୟାଙ୍କର ତେଲ ଚୋରି ହୋଇଥିବା ବିଭାଗ ପକ୍ଷରୁ ସୂଚନା ପାଇବା ପରେ ସୁରକ୍ଷା କର୍ମୀ ବଉଳିଗଡ଼ ଜଙ୍ଗଲ ପାଇପ୍‌ ଲାଇନ ନିକଟରେ ବୁଲାବୁଲି କରୁଥିବା କିଛି ଯୁବକଙ୍କ ସଂପର୍କରେ ଅନୁଗୁଳ ଏସ୍‌ପିଙ୍କୁ ଜଣାଇଥିଲେ। ଚୋରଙ୍କୁ ଧରିବା ପାଇଁ ବଅଁରପାଳ ପୁଲିସକୁ ଏସ୍‌ପି ନିର୍ଦେଶ ଦେଇଥିଲେ। ସୋମବାର ସକାଳେ ପାଇପ୍‌ ଲାଇନ ସୁରକ୍ଷା କର୍ମଚାରୀ ଓ ବଅଁରପାଳ ପୁଲିସ ମିଳିତ ଭାବେ ବଉଳିଗଡ଼ ଜଙ୍ଗଲରେ ଚଢଉ କରିଥିଲେ। ସେମାନେ ଜଙ୍ଗଲ ନିକଟରୁ ଗୋଟିଏ ନମ୍ବର ବିହୀନ କାର୍‌ ଜବତ କରିବା ସହ ତିନି ଜଣ ଯୁବକଙ୍କୁ କାବୁ କରି ଥାନାକୁ ନେଇଥିଲେ। ‌ତେବେ ପୁଲିସ ଆଖିରେ ଧୂଳି ଦେଇ ସେଠାରୁ ଜଣେ ଚମ୍ପଟ ମାରିଥିଲା। ତାଙ୍କୁ ଧରିବା ପାଇଁ ସନ୍ଧ୍ୟାରେ ପୁଲିସ ଜାଲ ବିଛାଇଥିଲା। ଧରାପଡିଥିବା ଯୁବକମାନଙ୍କର ପୋଷାକ ପିନ୍ଧି ବଅଁରପାଳ ଥାନାର ଏସଆଇ ଦିଲୀପ ସାହୁ ଓ ଅନ୍ୟ କର୍ମଚାରୀମାନେ ଜବତ କାର୍‌ରେ ଆମନା ଗ୍ରାମ ନିକଟକୁ ଯାଇଥିଲେ। ଅଟକ ଥିବା ଯୁବକମାନଙ୍କ ଫୋନ୍‌ରୁ କଥା ହୋଇ ଫେରାର ‌ହୋଇଥିବା ଯୁବକକୁ ଡକାଇଥିଲେ। ପରେ ସେ ଆମନା ଗ୍ରାମ ନିକଟରେ ଥିବା ଜାଣିବା ପରେ ପୁଲିସ ସେଠାରୁ ହରିୟାଣା ଅଞ୍ଚଳର ସନ୍ଦୀପ କୁମାର ନାମକ ଯୁବକକୁ କାବୁ କରି ନେଇଥିଲା।

ଏହି ଯୁବକକୁ ପୁଲିସ ଧରି ଥାନାକୁ ଆଣିବା ସମୟରେ ସୃଷ୍ଟି ହୋଇଥିଲା ମହାଭାରତ। ଆମନା ଗ୍ରାମ ଛକ ନିକଟରେ ଗ୍ରାମବାସୀମାନେ ଏହି ନମ୍ବରବିହୀନ ଗାଡିକୁ ଛାଡ଼ି ନଥିଲେ। ପିଲା ଚୋର ସନ୍ଦେହରେ ଗାଡିକୁ ଅଟକ ରଖି ବଚସା କରିଥିଲେ। ପୁଲିସ ଓ ସୁରକ୍ଷା କର୍ମୀମାନେ ନିଜର ପରିଚୟ ପତ୍ର ଦେଖାଇଥିଲେ ମଧ୍ୟ ସେମାନଙ୍କୁ ଛାଡ଼ି ନଥିଲେ। ଧରାପଡିଥିବା ଯୁବକଜଣକ ହିନ୍ଦୀରେ କଥାବାର୍ତା କରୁଥିବାରୁ ଲୋକେ ତାଙ୍କୁ ପିଲା ଚୋର ବୋଲି ନିଶ୍ଚିତ ହୋଇ ଯାଇଥିଲେ। ପରେ ପୁଲିସ ନେଇଥିବା ନମ୍ବର ବିହୀନ କାର୍‌କୁ ଭାଙ୍ଗି ଚୂରମାର କରିବା ସହିତ ଘଟଣାସ୍ଥଳକୁ ଯାଇଥିବା ବଅଁରପାଳ ପୁଲିସ ଗାଡିକୁ ଭାଙ୍ଗିବା ପାଇଁ ଉଦ୍ୟମ କରିଥିଲେ। ଏହା ସହ ପୁଲିସ ପାଖରେ ଥିବା ସନ୍ଦୀପଙ୍କୁ ଛଡାଇ ନେଇ ନିସ୍ତୁକ ମାଡ଼ ମାରିଥିଲେ। ପୁଲିସ ଏହାର ବିରୋଧ କରିବାରୁ ପୁଲିସକୁ ମାଡ଼ ମାରିବା ସହିତ କାଚ ବୋତଲ ଫିଙ୍ଗିଥିଲେ ଶତାଧିକ ଗ୍ରାମବାସୀ। ପୁଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ପାଖାପାଖି ଦୁଇ ଘଣ୍ଟା ଧରି ଚାଲିବା ପରେ ଘଟଣାସ୍ଥଳକୁ କଣ୍ଟାବଣିଆ ଥାନା ଅଧିକାରୀ ନିରଞ୍ଜନ ସେଠୀ ଓ ବଅଁରପାଳ ପୁଲିସ ପହଞ୍ଚି ଘଟଣାକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିଥିଲେ। କିଛି ସମୟ ପରେ ଅନୁଗୁଳ ଏସଡିପିଓ ଅଶ୍ୱିନୀ କୁମାର ସାହୁ, ମୋଟଙ୍ଗା ଥାନା ଅଧିକାରୀ, ବାଲିମୀ ଥାନା ଅଧିକାରୀ ଓ ଦୁଇ ପ୍ଲାଟୁନ ଫୋର୍ସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ। ଏହି ଘଟଣାରେ ତିନି ଜଣ ପୁଲିସ କର୍ମଚାରୀ ଓ ଜଣେ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ପୁଲିସକୁ ମାଡ଼ ମାରିବା ସହ ଗାଡ଼ି ଭାଙ୍ଗିଥିବା କେତେକ ଲୋକଙ୍କୁ ପୁଲିସ ଅଟକ ରଖିଛି। ଗାଁରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏପଟେ ପୁଲିସ ଭୟରେ ଉଭୟ ଆମନା ଓ ସଂଜପଡା ଗାଁ ପୁରୁଷଶୂନ୍ୟ ହୋଇଯାଇଛି।

ସମ୍ବନ୍ଧିତ ଖବର