ମାଲକାନଗିରି/ବାଲିମେଳା, : ଗଞ୍ଜେଇ ଅମଳ ଋତୁରେ ଆକ୍ସନ ମୁଡ୍‌କୁ ଆସିଥିବା ପୁଲିସ ଉପରେ ଶନିବାର ଦିନ ଅତର୍କିତ ଆକ୍ରମଣ ହୋଇଛି। ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଓର୍କେଲ ଥାନା ପକ୍ଷରୁ ଚଢ଼ଉ କରିଥିବା ୩୦ଜଣିଆ ଟିମ୍‌ ଉପରେ ନାକାମାମୁଡ଼ି ପଞ୍ଚାୟତର ତିନୋଟି ଗାଁର ଶହ ଶହ ଲୋକ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିଛନ୍ତି। ଯାହାଫଳରେ ଦୁଇ ମହିଳା କନେଷ୍ଟବଳଙ୍କ ସମେତ ମୋଟ ୭ଜଣ ଆହତ ହୋଇଛନ୍ତି। ସେହିପରି ଜଣେ ଗୃହରକ୍ଷୀଙ୍କୁ କାବୁ କରି ଗଛରେ ବାନ୍ଧିବାକୁ ପଛାଇ ନଥିଲେ ଗ୍ରାମବାସୀ। ଏହି ଘଟଣାରେ ପୁଲିସ ଜଣଙ୍କୁ ଅଟକ ରଖିବା ସହ ଅସ୍ତ୍ରଶସ୍ତ୍ର ଜବତ କରିଛି।

Advertisment

ସୂଚନା ଅନୁଯାୟୀ, ନାକାମାମୁଡ଼ି ପଞ୍ଚାୟତର ଦୁର୍ଗମ ତଥା ପାହାଡ଼ିଆ ଅଞ୍ଚଳରେ ଥିବା ପରଜାଗୁଡ଼ା ଏବଂ ନୂଆଗାଁ ମଝିରେ ବ୍ୟାପକ ଗଞ୍ଜେଇ ଚାଷ ହୋଇଥିବା ପୁଲିସକୁ ଖବର ମିଳିଥିଲା। ଏହାପରେ ଓର୍କେଲ ଥାନା ଏସ୍‌ଆଇ ରାଜେଶ ସେଠୀଙ୍କ ନେତୃତ୍ବରେ ୩୦ଜଣିଆ ଟିମ୍‌ ଚଢ଼ଉ କରିଥିଲେ। ଜମିରେ ପଶି ଗଞ୍ଜେଇ ଗଛ କାଟିବା ସମୟରେ ନିକଟସ୍ଥ ଗାଁର ଦୁଇ ଜଣ ଯୁବକ ଆସି ପୁଲିସକୁ ପଚରାଉଚୁରା କରିଥିଲେ। ଚୁପ୍‌ଚାପ ସେଠାରୁ ଚାଲି ଯିବା ସହ ପୁଲିସର ଉପସ୍ଥିତି ସଂପର୍କରେ ଗ୍ରାମବାସୀଙ୍କୁ କହିଥିଲେ। ପୁଲିସ ଗଞ୍ଜେଇ ଗଛ କାଟୁଥିବା ଖବର ପାଇ ଡାଇକ-୧, ରଜାବନ୍ଧ ଏବଂ ପରଜାଗୁଡ଼ା ଗାଁରୁ ୨ଶହରୁ ଊର୍ଦ୍ଧ୍ବ ଲୋକ ଉତ୍ତେଜିତ ହୋଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ସମସ୍ତଙ୍କ ହାତରେ ଧନୁ, ବର୍ଚ୍ଛା, ଟାଙ୍ଗିଆ ଭଳି ସ୍ତ୍ରଶସ୍ତ୍ର ରହିଥିଲେ। ସେଥିରେ ପୁଲିସ ଉପରେ ଆକ୍ରମଣ କରିଥିଲେ। ଏଭଳି ପରିସ୍ଥିତିର ସମ୍ମୁଖୀନ ହେବ ବୋଲି ଆଦୌ କଳନା କରିନଥିବା ପୁଲିସ ନିଜ ସୁରକ୍ଷା ପାଇଁ ସମୟ ପାଇ ନଥିଲା। ଯାହାଫଳରେ ଦୁଇ ମହିଳା କନେଷ୍ଟବଳ, ଜଣେ ଏଏସ୍‌ଆଇ ଗୁରୁତର ଆହତ ହୋଇଥିବା ବେଳେ ମୋଟ ୭ଜଣ ଆହତ ହୋଇଛନ୍ତି।

ପୁଲିସ ଉପରେ ଆକ୍ରମଣ କରିବା ପରେ ଗୃହରକ୍ଷୀ ବାସୁଙ୍କୁ ବନ୍ଧକ ରଖିଥିଲେ ଗ୍ରାମବାସୀ। ଏହି ଖବର ପାଇ ଚିତ୍ରକୋଣ୍ଡା ଏସ୍‌ଡ଼ିପିଓ ଆଲେକ୍ସିସ୍‌ କିସ୍ପୋଟା, ଓର୍କେଲ ଥାନା ଅଧିକାରୀ ଜନ୍‌ କୁଜୁର, ଚିତ୍ରକୋଣ୍ଡା ଥାନା ଅଧିକାରୀ ଅନିଲ କୁମାର ପରିଡ଼ା ପ୍ରମୁଖ ପୁଲିସ ଟିମ୍‌ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗ୍ରାମବାସୀଙ୍କୁ ବୁଝାସୁଝା କରି ଗୃହରକ୍ଷୀଙ୍କୁ ଉଦ୍ଧାର କରିବା ସହ ସମସ୍ତ ଆହତଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନା ପଠାଇଥିଲେ।

ପୁଲିସର କାର୍ଯ୍ୟାନୁଷ୍ଠାନକୁ ଦେଖି ଗାଁ ଗୁଡ଼ିକରେ ତାଟି କବାଡ଼ ପଡ଼ିଯିବା ସହ ପୁରୁଷ ଶୂନ୍ୟ ହୋଇଯାଇଛି।