ମାସ୍କ ଯାଞ୍ଚ୍‌ ବେଳେ ପୁଲିସକୁ ଠେଲାପେଲା; ୯ ଯୁବକ ଗିରଫ, ୫ ଖସିଗଲେ

ଟ୍ରାଭେରା କାର ସହ ଭୁଜାଲି ଜବତ, ନୀଳଗିରି ପୁଲିସର ଛାନଭିନ୍‌

ବାଲେଶ୍ବର : ସୋମବାର ସଂଧ୍ୟାରେ ମାସ୍କ ଏବଂ ଗାଡ଼ି ଯାଞ୍ଚ୍‌ କରୁଥିବା ବେଳେ ନୀଳଗିରି ବଜାରରେ ପୁଲିସ ଏବଂ କିଛି ଯୁବକ ପରସ୍ପର ମୁହାଁମୁହିଁ ହୋଇଛନ୍ତି। ଉତ୍ତ୍ୟକ୍ତ ଯୁବକମାନେ ମାସ୍କ ନଲଗାଇ ଏକ ଟ୍ରାଭେରା କାର(ଓଡି-୦୧ଜି-୪୭୯୬)ରେ କୋଭିଡ୍‌ କଟକଣା ଉଲ୍ଲଂଘନ କରି ଯାଉଥିବା ବେଳେ ପୁଲିସ ଅଟକାଇଥିଲା। ଫଳରେ ବିଚ୍‌ ବଜାରରେ ଏପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ ଫୋର୍ସ ପହଞ୍ଚି ସମ୍ପୃକ୍ତ ଯୁବକମାନଙ୍କ ମଧ୍ୟରୁ ୯ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୫ ଜଣ ଫେରାର ଖସି ପଳାଇଥିଲେ। ପୁଲିସ ଟ୍ରାଭେରା କାରଟିକୁ ଜବତ କରିଥିବା ବେଳେ ସେଥିରୁ ଗୋଟିଏ ଭୁଜାଲି ମିଳିଥିବା ଜଣାଯାଇଛି।

ଗିରଫ ଯୁବକମାନେ ହେଲେ ବାଲେଶ୍ବର ଟାଉନ ଥାନା ଅଞ୍ଚଳର ଦୀନେଶ ପଣ୍ଡା, କେତନ ମହାକୁଡ଼, ଈଶ୍ବର ମହାନ୍ତି, ମୋତିଗଂଜ ଅଞ୍ଚଳର ବିନୋଦ ପ୍ରଧାନ, ନୂଆପୁର ଅଞ୍ଚଳର ଜୟନ୍ତ ନାୟକ, ମାଣିଖମ୍ବ ଅଞ୍ଚଳର ବିଜୟ ବେହେରା, ଶିବାଶିଷ ଖଟୁଆ, ବୀରସାହାପୁର ରାକେଶ ସେଠୀ, ସଦର ଥାନା ବଡ଼ନୂଆପୁର ଅଞ୍ଚଳର ରବୀନ୍ଦ୍ର ପରିଡ଼ା। ଏମାନଙ୍କ ବିରୋଧରେ ୧୨୨/୨୧ରେ ମାମଲା ରୁଜୁ ହୋଇଥିବା ବେଳେ ପୂର୍ବରୁ ମଧ୍ୟ ଏକାଧିକ ମାମଲାରେ ଜଡ଼ିତ ଥିବା ପୁଲିସ ଜାଣିବାକୁ ପାଇଛି। ତେବେ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ହେବା ପରେ ସେମାନଙ୍କ ବାବଦରେ ଅଧିକ ତଥ୍ୟ ଦିଆଯିବ ବୋଲି ଆଇଆଇସି ପ୍ରଭଞ୍ଜନ ବେହେରା କହିଛନ୍ତି।

ସୂଚନା ଥାଉକି, କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାର ସହରାଞ୍ଚଳରେ ଲାଗୁ ହୋଇଥିବା ନାଇଟ୍‌ କର୍ଫ୍ୟୁ ପାଇଁ ସୋମବାର ରାତି ପ୍ରାୟ ସାଢ଼େ ୮ଟା ବେଳେ ନୀଳଗିରି ବଜାର କଚେରି ସ୍ଥିତ ଦୁର୍ଗାମଣ୍ଡପ ଠାରେ ସ୍ଥାନୀୟ ଥାନା ଏସ୍‌ଆଇ ବାସୁଦେବ ଜୟସିଂ ଏବଂ ତାଙ୍କ ସହ ଜଣେ କନେଷ୍ଟବଳ ଡ୍ୟୁଟି କରୁଥିଲେ। ଏହି ସମୟରେ ଉଦଳା ଆଡ଼ୁ ଏକ ଟ୍ରାଭେରା ଗାଡ଼ିରେ ୧୪ରୁ ୧୫ ଜଣ ଯୁବକ ସେହିପଟେ ଆସିଲେ। କାହାରି ମୁହଁରେ ମାସ୍କ ନଥିବା ସାଙ୍ଗରେ କୋଭିଡ୍‌ ସମୟରେ ଗୋଟିଏ ଗାଡ଼ିରେ ଏପରି ଭିଡ଼କୁ ଦେଖି ଶ୍ରୀ ଜୟସିଂ ଅଟକାଇଥିଲେ। ଏହାପରେ ଉକ୍ତ ଗାଡ଼ିରୁ ଯୁବକମାନେ ଓହ୍ଲାଇ ତାଙ୍କ ନିକଟକୁ ଯାଇ ଠେଲାପେଲା କରିବା ସହ ଧମକାଇଥିଲେ। ଘଟଣା ସମ୍ପର୍କରେ ଥାନାକୁ ସୂଚନା ଯିବାରୁ ଆଇଆଇସି ପ୍ରଭଞ୍ଜନ ବେହେରା ସେଠାରେ ପହଁଚିଥିଲେ। ଯୁବକମାନେ ତାଙ୍କ ସହ ମଧ୍ୟ ମୁହାଁମୁହିଁ ହୋଇ ଚାରିପଟୁ ଘେରିଯାଇଥିଲେ। ତେବେ ଖବର ପାଇ ଏସ୍‌ଡିପିଓ ରିତେଶ ମହାପାତ୍ର ତୁରନ୍ତ ସେଠାକୁ ୧ ପ୍ଲାଟୁନ୍‌ ଫୋର୍ସ ପଠାଇଥିଲେ। ଫୋର୍ସକୁ ଦେଖି ଯୁବକମାନେ ବସ୍‌ଷ୍ଟାଣ୍ଡ, ଲକ୍ଷ୍ମୀସାଗର ପୋଖରି, ଏନଏସି ‌ଗେଟ୍‌ ଏବଂ ବ୍ଲକ କାର୍ଯ୍ୟାଳୟ ଆଡ଼କୁ ଛୁ ହୋଇଯାଇଥିଲେ। ପୁଲିସ ଗୋଡ଼ାଇ ଗୋଡ଼ାଇ ସେମାନଙ୍କ ମଧ୍ୟରୁ ୯ ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ଅନ୍ୟମାନଙ୍କୁ ଧରିବା ପାଇଁ ପୁଲିସ ଆଖପାଖ ଅଞ୍ଚଳରେ ଛା‌ନଭିନ କରୁଥିବା ଜଣାପଡ଼ିଛି। ତେବେ ଏହି ଘଟଣାକୁ ନେଇ ସମଗ୍ର ନୀଳଗିରି ଅଞ୍ଚଳରେ ଚର୍ଚ୍ଚା ଜୋର୍‌ ଧରିଥିଲା।

ସମ୍ବନ୍ଧିତ ଖବର