ବାରିପଦା : ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଉଦ୍ୟମ କରି ହଟହଟା ହୋଇଛନ୍ତି ଜଣେ ବୟସ୍କ ଚତୁର୍ଥ ଶ୍ରେଣୀ ପୁଲିସ୍ କର୍ମଚାରୀ। ଲୋକେ ତାଙ୍କୁ ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଯେ, ଆଜି ଅପରାହ୍ନରେ ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାର ଜିଲ୍ଲାପାଳ, ପୂର୍ତ୍ତ ଓ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଏବଂ ଜଜ୍ ଆଦିଙ୍କ ବାସଭବନ ନିକଟରୁ ମାତ୍ର ୮୦/୯୦ ଫୁଟ୍ ଦୂର ରାସ୍ତା ଉପରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଟିଉସନରୁ ନିଜ ଘରକୁ ଏକାକୀ ଫେରୁଥିବାବେଳେ ଏହି ପୁଲିସ କର୍ମଚାରୀ ସ୍ଥାନୀୟ ଟାଙ୍କିସାହି ବାସିନ୍ଦା ଜବାହରଲାଲ ବେହେରା ଛାତ୍ରୀଙ୍କୁ ଅସଦାଚରଣ ଉଦ୍ୟମ କରିଥିଲେ। ନିକଟରେ ଥିବା ଏକ ପମ୍ପ୍ ହାଉସ ମଧ୍ୟକୁ ଟାଣି ନେଇ ବଳପୂର୍ବକ ଶରୀରର ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରିବା ସହିତ ଅସଦାଚରଣ ଉଦ୍ୟମ କରିଥିଲେ। ମାତ୍ର ନାବାଳିକା ଜଣଙ୍କ କୌଶଳକ୍ରମେ ଏହି କାମୁକ ପୁଲିସ କର୍ମଚାରୀ ନିକଟରୁ ଖସି ଆସିଥିଲେ। ଆଉ ଘରେ ପହଞ୍ଚି ସମସ୍ତ ବିଷୟ ଜଣାଇଥିଲେ। ତୁରନ୍ତ ପରିବାରର ସଦସ୍ୟ ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଅଭିଯୁକ୍ତ ଜଣଙ୍କ ସେଠାରେ ଛିଡ଼ା ହୋଇଥିବା ଦେଖି ତାଙ୍କୁ ନିକଟସ୍ଥ ଗଛକୁ ଲାଗି ଏକ ବିଦ୍ୟୁତ୍ ତାରରେ ବାନ୍ଧି ଦେଇଥିଲେ। ଆଉ ସ୍ଥାନୀୟ ଲୋକେ ଅଭିଯୁକ୍ତ ପୁଲିସ କର୍ମଚାରୀକୁ ନିର୍ଦ୍ଧୁମ ଛେଚିଥିଲେ। ଖବର ପାଇ ବାରିପଦା ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କୁ ଲୋକଙ୍କ କବଳରୁ ଉଦ୍ଧାର କରିବା ସହ ଗିରଫ କରିଥିଲା।
ଏ ନେଇ ଟାଉନ ଥାନାରେ (କେସ୍ ନଂ-୨୦୫/୧୯) ଏକ ମାମଲା ରୁଜୁ ହୋଇଥିବାବେଳେ ଅଭିଯୁକ୍ତ ବିରୋଧରେ ଧାରା ୩୫୪/୫୦୬ ଏସ୍ପିସି ଏବଂ ପୋକ୍ସୋ ଆକ୍ଟ୍ରେ ମାମଲା ରୁଜୁ ହୋଇଛି। ପରେ ଅଭିଯୁକ୍ତଙ୍କ ସ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ସ୍ୱାମୀଙ୍କ କାର୍ଯ୍ୟକଳାପକୁ ଦୃଢ଼ ନିନ୍ଦା କରିବା ସହ ସ୍ୱାମୀ ଜବାହର ଭୁଲ କରିପକାଇଛନ୍ତି, ପୁଲିସରେ ଅଭିଯୋଗ କଲେ ଚାକିରି ଚାଲିଯିବ, ପରିବାର ଭୋକ ଉପବାସରେ ମରିଯିବେ କହି ସ୍ୱାମୀଙ୍କୁ ଛାଡ଼ି ଦେବାକୁ ଆକୁଳ ନିବେଦନ କରିଥିଲେ। ପ୍ରକାଶ ଥାଉ କି, ବହୁଦିନରୁ ଏହି ପୁଲିସ କର୍ମଚାରୀଙ୍କ ନାମରେ ଏଭଳି କୁକର୍ମର ଅଭିଯୋଗ ହୋଇ ଆସୁଥିଲା। ଧରାପଡ଼ି ଛେଚା ଖାଇବା ପରେ ବନ୍ଧା ହୋଇଥିବା ଅବସ୍ଥାରେ ନିଜ ଭୁଲ ସ୍ୱୀକାର କରିଛନ୍ତି ଅଭିଯୁକ୍ତ ପୁଲିସ୍ କର୍ମଚାରୀ।