ଦୁର୍ଘଟଣା ପରେ ତାତିଲେ ଲୋକେ: ପୁଲିସ୍‌କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ

ବରଗଡ଼/ଗାଇସିଲାଟ୍ : ବରଗଡ଼ ଜିଲ୍ଲା ଗାଇସିଲାଟ୍‌ ବ୍ଲକ୍‌ରେ ଗୁରୁବାର ଏକ ଅଭାବନୀୟ କାଣ୍ଡ ଘଟିଛି। ଗାଁ ଲୋକେ ପୁଲିସ୍‌ ଅଧିକାରୀ ଏବଂ କର୍ମଚାରୀଙ୍କୁ ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି। ଏପରିକି ରାସ୍ତା ଉପରେ ପଡ଼ି ରହିଥିବା ପୁଲିସ୍‌ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ଏହି ଲୋମଟାଂକୁରା ଦୃଶ୍ୟ ଚହଳ ପକାଇ ଦେଇଛି। ପୁଲିସ୍‌କୁ ଖୋଲାଖୋଲି ଆକ୍ରମଣ ଘଟଣା ଏବେ ଚର୍ଚ୍ଚାରେ ରହିଛି। ଦୁର୍ଘଟଣାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ କେନ୍ଦ୍ରକରି ଗ୍ରାମବାସୀ ଏହି ତୁମୁଳକାଣ୍ଡ ଭିଆଇଛନ୍ତି।

ସୂଚନା ମୁତାବକ, ନୂଆପାଲି ଗାଁର ନୀରେନ୍ଦ୍ରୀ ନାଏକ ସାଇକଲ୍‌ରେ ନିକଟସ୍ଥ ବଲାଙ୍ଗୀର ଜିଲ୍ଲା ସୀମାରେ ଥିବା ଭରସୁଜାସ୍ଥିତ ଜଳନ୍ଧର ମହାବିଦ୍ୟାଳୟକୁ ପାଠ ପଢ଼ିବାକୁ ଯାଇଥିଲେ। ସେଠାରୁ ଘରକୁ ଫେରିବା ବେଳେ ଗିରିଧାରୀ ମହାବିଦ୍ୟାଳୟ ସମ୍ମୁଖରେ ତାଙ୍କୁ ଗୋଟିଏ ଡିଜେଲ୍‌ ଟ୍ୟାଙ୍କର୍‌ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ନୀରେନ୍ଦ୍ରୀଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଗ୍ରାମବାସୀ ସେଠାରେ ପହଞ୍ଚିବା ପରେ ସ୍ଥିତି ଅଶାନ୍ତ ହୋଇଥିଲା। ଲୋକେ ଟ୍ୟାଙ୍କର୍‌ ଚାଳକଙ୍କୁ ଅଟକ ରଖି କ୍ଷତିପୂରଣ ଦାବି କରିଥିଲେ। ଏହି ସମୟରେ ୪ଜଣ ପୁଲିସ୍‌ କର୍ମଚାରୀ ଦୁର୍ଘଟଣାସ୍ଥଳରେ ପହଂଚିଥିଲେ। ସେମାନେ ଚାଳକଙ୍କୁ ଥାନାକୁ ନେବାପାଇଁ ଉଦ୍ୟମ କରିଥିଲେ। ହେଲେ ଚାଳକଙ୍କୁ ଖସାଇ ଦେବାକୁ ପୁଲିସ୍‌ ଯୋଜନା କରୁଥିବା ଅଭିଯୋଗ କରି ଗ୍ରାମବାସୀ ତାତି ଉଠିଥିଲେ। ଯିଏ ଯାହା ପାଇଲା ସେଥିରେ ପୁଲିସ୍‌ କର୍ମଚାରୀମାନଙ୍କୁ ପିଟି ଚାଲିଲେ। ଆହତ ପୁଲିସ୍‌ କର୍ମଚାରୀଙ୍କୁ ଉଦ୍ଧାର କରିବା ପାଇଁ ପୁଲିସ୍‌ ଭ୍ୟାନ୍‌ରେ ପୁଣି ୪-୫ଜଣ ପହଂଚିଥିଲେ। କିନ୍ତୁ ସେମାନଙ୍କୁ ବି ମଝି ରାସ୍ତାରେ ଗ୍ରାମବାସୀ ଆକ୍ରମଣ କରିଥିଲେ। ପରେ ୨ଜଣ ପୁଲିସ୍‌ କର୍ମଚାରୀଙ୍କୁ ଆହତ ଅବସ୍ଥାରେ ଅଟକ ରଖିଥିଲେ। ଦିନ ୨ଟା ପର୍ଯ୍ୟନ୍ତ ଏହି ଅପ୍ରୀତିକର ସ୍ଥିତି ଲାଗି ରହିଥିଲା।

କିଛି ସମୟ‌ ପରେ ପଦ୍ମପୁର ଏସ୍‌ଡିପିଓ, ତହସିଲଦାର ଏବଂ ପୁଲିସ୍‌ ଫୋର୍ସ ଘଟଣାସ୍ଥଳରେ ପହଂଚିଥିଲେ। ଆହତ ପୁଲିସ୍‌ କର୍ମଚାରୀଙ୍କୁ ପ୍ରଥମେ ଗାଇସିଲାଟ୍‌ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ପଦ୍ମପୁର ଡାକ୍ତରଖାନାକୁ ନିଆଯାଇଛି। ମୃତକଙ୍କ ପରିବାରକୁ ରେଡକ୍ରସ୍‌ ପକ୍ଷରୁ ୧୦ହଜାର ଏବଂ ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କାର ସହାୟତା ଦିଆଯାଇଥିଲା। ଟ୍ୟାଙ୍କର୍‌ ମାଲିକ କିଛି ସହାୟତା ରାଶି ଦେବେ ବୋଲି ପୁଲିସ୍‌ ପ୍ରତିଶ୍ରୁତି ଦେବା ପରେ ମାମଲା ସାମାନ୍ୟ ଥଣ୍ଡା ପଡ଼ିଥିଲା। ଖବର ଲେଖାଯିବା ଯାଏ ଗାଁରେ ସ୍ଥିତି ସରଗରମ ରହିଥିଲା।

ସମ୍ବନ୍ଧିତ ଖବର