ପାରଳାଖେମୁଣ୍ତି : ଗଜପତି ଜିଲ୍ଲା ଗୁରାଣ୍ତି ଥାନା ଅନ୍ତର୍ଗତ ଗୋଷାଣୀ ବ୍ଲକ୍ ଖର୍ଷଣ୍ତା ଗ୍ରାମରେ ଗୁରୁବାର ରାତିରେ ଜୁଆ ଆଡ଼ା ଚଢଉ ବେଳେ ପୁଲିସ ଟିମ୍ ଉପରେ ଆକ୍ରମଣ ହୋଇଥିଲା। ଏଘଟଣାକୁ ନେଇ ଏବେ ସାଧାରଣରେ ଆଲୋଚନା ଜୋର୍ ଧରିଛି। ଦୁଇ ସପ୍ତାହ ପୂର୍ବେ ପାରଳା ବିଧାୟକ ଅବାଧ ଜୁଆ ଆଡ଼ା ଚାଲିଥିବା ଓ ପୁଲିସର ଅପାରଗତା ବିଷୟରେ ଅଭିଯୋଗ ଆଣିଥିଲେ। ‘ସମ୍ବାଦ’ରେ ମଧ୍ୟ ଏପରି ଜୁଆ ଆଡ଼ା ବିଷୟରେ ଅନେକ ଥର ଖବର ପ୍ରକାଶ ପାଇଛି। ଗୁରୁବାର ପୁଲିସ ଉପରେ ଜୁଆଡ଼ିଙ୍କ ଆକ୍ରମଣ ଏହାର ଜ୍ବଳନ୍ତ ପ୍ରମାଣ। ତେବେ ପୁଲିସ ଉପରେ ଆକ୍ରମଣ କରିଥିବା ଜୁଆଡ଼ି ସବୁ ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ଆସିଥିବା ନେଇ ଚର୍ଚ୍ଚା ହେଉଛି। ଅନ୍ଧାରରେ ସେମାନେ ଖସି ଚାଲି ଯାଇଥିବା କୁହାଯାଇଛି।
ମକର ସଂକ୍ରାନ୍ତି ଅବସରରେ ଦିନତମାମ ସ୍ଥାନୀୟ ଅଞ୍ଚଳର ସବୁ ଗ୍ରାମରେ ତାସ୍ ଖେଳ ସକାଳୁ ରାତି ପର୍ଯ୍ୟନ୍ତ ଚାଲିଥାଏ। ଶହ ଶହ ଲୋକ ଏହି ଜୁଆ ଖେଳରେ ସମ୍ପୃକ୍ତ ରୁହନ୍ତି। ତେବେ ପ୍ରତିବର୍ଷ ମକର ସଂକ୍ରାନ୍ତି ଦିନ ଖର୍ଷଣ୍ତାରେ ମଧ୍ୟ ବଡଧରଣର ଜୁଆ ଖେଳ ହେଉଥିବା ଜାଣି କମ୍ ସଂଖ୍ୟକ ପୁଲିସ କର୍ମଚାରୀକୁ ନେଇ ଏହି ଚଢ଼ଉ ପାଇଁ ଗୁରାଣ୍ଡି ଥାନା ଅଧିକାରୀ ଯାଇଥିଲେ। ବହୁ ସଂଖ୍ୟାରେ ଜୁଆରେ ମାତିଥିବା ଲୋକ ଏତେ କମ ସଂଖ୍ୟକ ପୁଲିସକୁ ଦେଖି ଅନ୍ଧାରର ସୁଯୋଗ ନେଇ ଢେଲା ମାଡ଼ କରିଥିଲେ। ଭୌଗୋଳିକ ଦୃଷ୍ଟିରୁ ଖର୍ଷଣ୍ତା ଗ୍ରାମ ପାରଳାଖେମୁଣ୍ତି ସହର ଠାରୁ ୧୫ ମିନିଟ୍ର ବାଟ, ଗୁରାଣ୍ତି ଥାନାରୁ ଅଧଘଣ୍ଟାର ବାଟ। ପାରଳାଖେମୁଣ୍ତି ଥାନାକୁ କିମ୍ବା ଆରକ୍ଷୀ ଅଧୀକ୍ଷକଙ୍କୁ ଖବର ଦେଇଥିଲେ ସଶସ୍ତ୍ର ପୁଲିସ ମାତ୍ର ୩୦ ମିନିଟ ମଧ୍ୟରେ ୭ ମାଇଲ୍ ଛକରେ ପହଞ୍ଚି ପାରିଥାଆନ୍ତେ। ତେବେ ପୁଲିସର ଅପାରଗତାରୁ ଜୁଆଡ଼ି ଆକ୍ରମଣ କରିଥିବା କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/police.jpg)