ଯାଜପୁରସଦର : ଏକ ବୋଲେରୋ ଚୋରି ଘଟଣାରେ ଖାନତଲାସ କରି ଚୋରକୁ ଧରିବା ପାଇଁ ଯାଇଥିବା ପୁଲିସ ଉପରେ ହୋଇଛି ଅତର୍କିତ ଆକ୍ରମଣ। ଏହି ଆକ୍ରମଣ ଘଟଣାରେ ୨ଜଣ ଏସ୍ଆଇଙ୍କ ସହ ବହୁ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଏଥିସହ ୨ଟି ପୁଲିସ ଗାଡ଼ିକୁ ମଧ୍ୟ ଭାଙ୍ଗି ଦିଆଯାଇଛି। ଏଭଳି ଘଟଣା ଘଟିଛି ଯାଜପୁର ସଦର ଥାନା ଅଧୀନ ମହେଶ୍ୱରପୁର ପଞ୍ଚାୟତ ବ୍ରାହ୍ମଣବତ୍ସପୁର ଗାଁରେ।
ଘଟଣାରୁ ପ୍ରକାଶ ଯେ ଗତ କିଛିଦିନ ତଳେ ବୈରୀ ଥାନା ଅଞ୍ଚଳରୁ ଏକ ବୋଲେରୋ ଗାଡ଼ି ଚୋରି ହୋଇଥିଲା। ଏ ନେଇ ବୈରୀ ଥାନାରେ ୧୦୪/୨୨ ଏକ ଚୋରି ମାମଲା ରୁଜୁ କରାଯାଇଥିଲା। ଚୋରି ଗାଡ଼ିକୁ ବ୍ରାହ୍ମଣବତ୍ସପୁର ଗାଁରେ ଏକ କବାଡ଼ିଖାନାକୁ ବିକ୍ରି କରାଯାଇଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ଏହି ଘଟଣାରେ ବରୀ ଥାନା ଅଞ୍ଚଳର ଜନୈକ ବ୍ୟକ୍ତି ସଂପୃକ୍ତ ଥିବା ମଧ୍ୟ ସୂଚନା ମିଳିଥିଲା। ସେହିପରି ବରୀ ଥାନାରୁ ମଧ୍ୟ କିଛି ଗାଡ଼ି ଚୋରି ହୋଇଥିଲା। ଯାହାଫଳରେ ବୈରୀ ଓ ବରୀ ଥାନା ପୁଲିସ ମିଳିତ ଭାବେ ଗୁରୁବାର ବିଳମ୍ବିତ ରାତିରେ ବ୍ରାହ୍ମଣବତ୍ସପୁର ଗାଁରେ ଥିବା ଶ୍ୟାମସୁନ୍ଦର ବାରିକଙ୍କ କବାଡ଼ିଖାନା ଉପରେ ଚଢ଼ଉ କରିଥିଲେ।
/sambad/media/post_attachments/wp-content/uploads/2022/07/jaj-att-750x419.jpg)
ଚଢ଼ଉରେ ବୈରୀ ଥାନାଧିକାରିଣୀ ସଂଘମିତ୍ରା ନାୟକ, ଛତିଆ ବିଟ୍ ହାଉସ ଅଧିକାରୀ ଏସ୍ଆଇ ଜହର ଆବେଦିନ, ବରୀ ଥାନାଧିକାରୀ ମନୋଜ କୁମାର ସ୍ୱାଇଁ, ଏସ୍ଆଇ ଏମ୍.ଆର. ସେଠୀ ସମେତ ଦୁଇ ଥାନାର ପୁଲିସ କର୍ମଚାରୀ ସାମିଲ ଥିଲେ। ଏହି ସମୟରେ ସ୍ଥାନୀୟ ଅଞ୍ଚଳର କିଛି ମହିଳାଙ୍କ ସମେତ ୨୫ରୁ ଉର୍ଦ୍ଧ୍ବ ଲୋକ ପୁଲିସକୁ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ଢ଼େଲା ମାଡ଼ କରିଥିଲେ। ଢ଼େଲା ମାଡ଼ରେ ୨ଟି ପୁଲିସ ଗାଡ଼ି ସମ୍ପୂର୍ଣ୍ଣ ଭାଙ୍ଗି ଯିବା ସହ ବରୀ ଥାନା ଏସ୍ଆଇ ଏମ୍.ଆର୍. ସେଠୀ ଓ ଛତିଆ ବିଟ୍ ହାଉସ ଅଧିକାରୀ ଏସ୍ଆଇ ଜହର ଆବେଦିନଙ୍କ ସମେତ କିଛି ପୁଲିସ କର୍ମଚାରୀ ଆହତ ହୋଇଥିଲେ। ବରୀ ଏସ୍ଆଇ ଏମ୍.ଆର. ସେଠୀ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଆକ୍ରମଣ ଯୋଗୁଁ ପୁଲିସ ଛତ୍ରଭଙ୍ଗ ଦେଇ ସେଠାରୁ ଫେରିବାକୁ ବାଧ୍ୟ ହୋଇଥିଲା। ଏ ନେଇ ଛତିଆ ବିଟ୍ ହାଉସ୍ ଅଧିକାରୀ ଏସ୍ଆଇ ଜହର ଆବେଦିନ ସଦର ଥାନାରେ ଲିଖିତ ଅଭିଯୋଗ କଲା ପରେ କେସ ନମ୍ବର ୨୦୩/୨୨ରେ ଏକ ମାମଲା ରୁଜୁ କରିଛି। ଚଢ଼ଉ ସମ୍ପର୍କରେ ଯାଜପୁର ସଦର ଥାନାକୁ କୌଣସି ସୂଚନା ଦିଆଯାଇନଥିଲା। ପରେ ଖବରପାଇ ସଦର ଥାନାଧିକାରୀ ମାନସ ରଞ୍ଜନ ଚକ୍ର, ଥାନା କର୍ମଚାରୀ, ଯାଜପୁର ଟାଉନ୍ ଥାନା ପୁଲିସ, ପାଣିକୋଇଲିରୁ ଆସିଥିବା ପୁଲିସ ଫୋର୍ସ ବ୍ରାହ୍ମଣବତ୍ସ ଗାଁ ଉପରେ ଚଢ଼ଉ କରି ୭ଜଣ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରି ଥାନାକୁ ଆଣିଥିଲେ। ହେଲେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇ ଯାଇଛି। ୭ ଅଭିଯୁକ୍ତ ସବିତା ବାରିକ, ମିଲି ବାରିକ, ଭାରତୀ ବାରିକ, ସୁମିତ୍ରା ଦାସ, ଦେବକୀ ପରିଡ଼ା, ବାସନ୍ତୀ ବାରିକ ସମେତ ଜଣେ ଗର୍ଭବତୀ ମହିଳାଙ୍କୁ ପୁଲିସ କୋର୍ଟଚାଲାଣ କରିଛି। ଖବର ପାଇ ଯାଜପୁର ଏସ୍ଡିପିଓ ସରୋଜ କୁମାର ଉପାଧ୍ୟାୟ ପହଞ୍ଚି ଚଢ଼ଉକୁ ତ୍ୱରାନ୍ୱିତ କରିଥିଲେ।
୨୦୧୭ ମସିହାରେ ମଧ୍ୟ ସଦର ଥାନାର ଜନୈକ ଏଏସ୍ଆଇ ଏକ ଚୋରି ମାମଲାର ଉକ୍ତ ସ୍ଥାନକୁ ଚଢ଼ଉ କରିବାକୁ ଯାଇଥିବା ବେଳେ ହଟହଟାର ସମ୍ମୁଖୀନ ହୋଇଥିଲା। ଏହା ସତ୍ତ୍ୱେ ଗୁରୁବାର ବିଳମ୍ବିତ ରାତିରେ ୨ ଥାନା ପକ୍ଷରୁ ଚଢ଼ଉ ସଦର ଥାନାକୁ ସୂଚନା ଦିଆଯାଇ ନଥିଲା କି ଆବଶ୍ୟକ ଫୋର୍ସ ସାଙ୍ଗରେ ନେଇ ନଥିଲେ। ଏସ୍ଡିପିଓ ଶ୍ରୀ ଉପାଧ୍ୟାକ୍ଷ କହିଛନ୍ତି ଯେ, ତୁରନ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/jaj-att2.jpg)
