ନୟାଗଡ଼ : ଅଭିଯୁକ୍ତ ବାବଦରେ ଭଲ ଭାବେ ନଜାଣି ନୟାଗଡ଼ ଗମ୍ଭାରୀଡିହି ଗ୍ରାମର ଜଣେ ନିରୀହ ଯୁବକଙ୍କୁ ଖୋର୍ଦ୍ଧା ଜିଲ୍ଲା ଜଟଣୀ ପୁଲିସ ସ୍ଥାନୀୟ ଇଟାମାଟି ପୁଲିସ ସହାୟତାରେ ଉଠାଇ ନେବା, ପୁଣି ଭୁଲ୍ ବୁଝିପାରି ଆଣି ତାଙ୍କୁ ଘରେ ଛାଡ଼ିବା ପୁଲିସ ପାଇଁ ମହଙ୍ଗା ପଡ଼ିଛି। ଜଟଣୀ ଓ ଇଟାମାଟି ପୁଲିସକୁ ଗମ୍ଭାରୀଡିହି ଗ୍ରାମବାସୀ ଦୁଇ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଅଟକ ରଖିବା ସହ ମାଡ଼ ମାରିଛନ୍ତି। କାଳେ ପୁଲିସ ଘଟଣାସ୍ଥଳରୁ ଖସିଯିବ, ସେଥିପପାଇଁ ପୁଲିସ ଭ୍ୟାନ୍ ଚକ ମଧ୍ୟ ସେମାନେ ପଙ୍କ୍ଚର୍ କରି ଦେଇଥିଲେ। ଜଟଣୀ ପୁଲିସକୁ ସହଯୋଗ କରିବାକୁ ଯାଇ ସ୍ଥାନୀୟ ଇଟାମାଟି ପୁଲିସ ବି ହଟହଟା ହୋଇଛି। ଖବର ପାଇ ନୟାଗଡ଼ ଜିଲ୍ଲା ପୁଲିସ ପ୍ରଶାସନ ଗମ୍ଭାରୀଡିହି ଗ୍ରାମରେ ପହଞ୍ଚି ଭୁଲ୍ ମାଗିବା ପରେ ଗ୍ରାମବାସୀ ଅଟକ ପୁଲିସ କର୍ମଚାରୀଙ୍କ ଛାଡ଼ିଥିବା ଉତ୍ତ୍ୟକ୍ତ ଗ୍ରାମବାସୀ କହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗମ୍ଭାରୀଡିହି ଅଞ୍ଚଳର କୌଣସି ଯୁବକ ଏକ ନାବାଳିକାକୁ ଅପହରଣ କରି ବିବାହ କରିଥିବା ନେଇ ଜଟଣୀ ପୁଲିସ ନିକଟରେ ଅଭିଯୋଗ ହୋଇଥିଲା। ଜଟଣୀ ପୁଲିସ ଘଟଣାର ଭଲଭାବେ ତଦନ୍ତ ନକରି ଆଜି ଅପରାହ୍ଣ ପ୍ରାୟ ୪ଟାରେ ଗମ୍ଭାରୀଡିହି ଗ୍ରାମରେ ପହଞ୍ଚିଥିଲା। ଜଟଣୀ ଥାନା ଏସ୍ଆଇ ବିମଳ ମହାପାତ୍ର ଓ ଅନ୍ୟ ପୁଲିସ କର୍ମଚାରୀ, ଗମ୍ଭାରୀଡିହି ଗ୍ରାମର ବନମାଳି ସାହୁଙ୍କ ନବ ବିବାହିତ ପୁଅ ରମେଶ ଚନ୍ଦ୍ର ସାହୁଙ୍କୁ ଉଠାଇ ନେଇଥିଲା। ରମେଶଙ୍କର ଗତ ୪ ତାରିଖରେ ଖଣ୍ଡପଡ଼ା ମର୍ଦ୍ଦରାଜପୁରର ସଦାଶିବ ସାହୁଙ୍କ ଝିଅ ମାମାଲି ସହିତ ବିବାହ ହୋଇଥିଲା। ବୈଦିକ ରୀତିରେ ଦୁଇ ପରିବାରର ସହମତି କ୍ରମେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ଆଜି ଅପରାହ୍ଣରେ ରମେଶ ଗାଁ ଛକରେ ବସି ଏକ ଜଳଖିଆ ଦୋକାନରେ ଜଳଖିଆ ଖାଉଥିବା ବେଳେ, ସ୍ଥାନୀୟ ଇଟାମାଟି ପୁଲିସ ସହଯୋଗରେ ଜଟଣୀ ପୁଲିସ ତାଙ୍କୁ ହଠାତ୍ ପହଞ୍ଚି ଧମକାଇବା ସହ ପୁଲିସ ଭ୍ୟାନ୍ରେ ବସିବାକୁ କହିଥିଲା। ରମେଶ ଏହାର କାରଣ ପଚାରିବାରୁ ପୁଲିସ ତାଙ୍କୁ ଧକ୍କା ଦେଇ ଭ୍ୟାନ୍ରେ ବସାଇ ନେଇଥିଲା ଏବଂ ଏହା ପରେ ତାଙ୍କ ଘରକୁ ଯାଇ ତାଙ୍କ ପତ୍ନୀଙ୍କ ବାବଦରେ ଯାଞ୍ଚ କରିଥିଲା। ରମେଶଙ୍କ ବାପା ଯେତେ କହିଲେ ବି ଏହି ମାମଲା ସହିତ ରମେଶଙ୍କର କୌଣସି ସମ୍ପର୍କ ନାହିଁ। କେଉଁ ନାବାଳିକା ବିବାହ, କ’ଣ ଆମେ କିଛି ଜାଣିନାହୁଁ। କିନ୍ତୁ ପୁଲିସ ନଛୋଡ଼ବନ୍ଧା ଥିଲା। ଦବଙ୍ଗଗିରି ଦେଖାଇ ରମେଶକୁ ଉଠାଇ ନେଇ ଇଟାମାଟି ପାଖାପାଖି ପହଞ୍ଚିଥିବା ବେଳେ, କୌଣସି ସୂତ୍ରରୁ ରମେଶ ସଂପୃକ୍ତ ଦୋଷୀ ଯୁବକ ନୁହନ୍ତି ବୋଲି ଜାଣିବାକୁ ପାଇଥିଲା ଏବଂ ନାବାଳିକା ଅପହରଣ କରିଥିବା ଯୁବକ ଅନ୍ୟ କେହି ବୋଲି ଜାଣିପାରିଥିଲା। ସନ୍ଧ୍ୟା ପ୍ରାୟ ୬ଟାରେ ରମେଶଙ୍କୁ ତାଙ୍କ ଘରେ ପୁଲିସ ଭ୍ୟାନ୍ରେ ଛାଡ଼ିବାକୁ ଯାଇଥିବା ବେଳେ, ଉତ୍ତ୍ୟକ୍ତ ଗ୍ରାମବାସୀ ଜଟଣୀ ଓ ଇଟାମାଟି ପୁଲିସକୁ ଅଟକ ରଖିଥିଲେ। ଜଟଣୀ ଓ ଇଟାମାଟି ପୁଲିସକୁ ମନଇଚ୍ଛା ଗାଳି କରିବା ସହ ଜଟଣୀ ପୁଲିସକୁ ଉତ୍ତ୍ୟକ୍ତ ଗ୍ରାମବାସୀ ମାଡ଼ ମାରିଥିବା ଜଣାଯାଇଛି। ପୁଲିସ ଭୁଲ୍ ପାଇଁ ଜଣେ ନବବିବାହିତ ଯୁବକ ହଟାହଟା ହେବା, ଘରେ ପତ୍ନୀଙ୍କ ସହ ବନ୍ଧୁବାନ୍ଧବ ଭର୍ତ୍ତି ହୋଇଥିବା ବେଳେ, ପୁଲିସ ତାଙ୍କୁ ଉଠାଇ ନେବା ଘଟଣାକୁ ସାଧାରଣରେ ଗ୍ରହଣ କରାଯାଇ ପାରିନାହିଁ। ମୋ ପରିବାରର ଯେଉଁ ସମ୍ମାନହାନି ହେଲା ତାକୁ କିଏ ଫେରାଇବ ବୋଲି ରମେଶଙ୍କ ବାପା ବନମାଳି ପ୍ରଶ୍ନ କରିଛନ୍ତି।
ଖବର ପାଇ ନୟାଗଡ଼ ଏସ୍ଡିପିଓ ନିରଞ୍ଜନ ପାଢ଼ୀ, ଇଟାମାଟି ଆଇଆଇସି ଶରତ ଚନ୍ଦ୍ର ପାତ୍ର, ଟାଉନ ଥାନା ଆଇଆଇସି ଜୟଦୀପ ମହାନ୍ତି, ସଦର ଥାନା ଆଇଆଇସି ଅନ୍ନପୂର୍ଣ୍ଣା ବେହେରା ପ୍ରମୁଖ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରି ଘଟଣାର ସମାଧାନ କରିଥିଲେ। ପୁଲିସ ପକ୍ଷରୁ ଭୁଲ୍ ମଗାଯିବା ପରେ ଗ୍ରାମବାସୀ ଅଟକ ପୁଲିସ କର୍ମଚାରୀଙ୍କୁ ଛାଡ଼ିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/nayagarh-f.jpg)