୩ ପୁଲିସ କର୍ମଚାରୀଙ୍କୁ ମାଡ଼, ଅଭିଯୁକ୍ତଙ୍କୁ ଛଡ଼ାଇ ନେଲେ ଗ୍ରାମବାସୀ

ନୀଳଗିରି : ବାଲେଶ୍ବରର ନୀଳଗିରି ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଅଞ୍ଚଳରେ ଆଜି ପୁଲିସ୍‌ କର୍ମଚାରୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଛି। ଏଥିରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଆକ୍ରମଣ ସହିତ ଲୋକମାନେ ଅଭିଯୁକ୍ତଙ୍କୁ ଛଡ଼ାଇ ନେଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଶ୍ୟାମସୁନ୍ଦରପୁର ପଞ୍ଚାୟତର ଜୁରିଆପାଟଣା ଗ୍ରାମର ଅଜୟ ମଲ୍ଲିକଙ୍କ ନାଁରେ ଥାନାରେ ଅଭିଯୋଗ ଥିଲା। ରାଉରକେଲା ଛେଣ୍ତି ଥାନା ଅଧୀନ କଳିଙ୍ଗ ବିହାର ନିବାସୀ ସଦାନନ୍ଦ ସାହୁ ଏକ ଜାଗା କିଣିବା ପାଇଁ ଅଜୟଙ୍କ ସହ ଯୋଗାଯୋଗ କରିଥିଲେ। ପଞ୍ଚଲିଙ୍ଗେଶ୍ବର ପାନ୍ଥନିବାସ ନିକଟରେ ଏକ ପ୍ଲଟ୍‌ର ମୂଲ୍ୟ ୧୦ ଲକ୍ଷ ଦାମ୍ ବୋଲି ଅଜୟ ସଦାନନ୍ଦଙ୍କୁ କହିଥିଲେ। ଶ୍ରୀ ସାହୁ କ୍ରୟ କରିବାର ନିଷ୍ପତ୍ତି ନେଇ ଗତ ୩୧.୮.୨୦୧୯ ରିଖ ଦିନ ୧୦ ଲକ୍ଷ ଟଙ୍କା ଧରି ଆସିଥିଲେ। ତେବେ ଅଜୟ ନିଜର ସହଯୋଗୀଙ୍କ ସହ ମିଶି ଶ୍ରୀ ସାହୁଙ୍କୁ ନେଇ ପ୍ରଥମେ ଖନ୍ତାପଡ଼ା ଓ ପରେ ରେମୁଣା ଗୋଲେଇ ହୋଇ ମିତ୍ରପୁରରେ ପହଞ୍ଚିଥିଲେ। ମିତ୍ରପୁର ଅଞ୍ଚଳର ଏକ ଜଙ୍ଗଲ ଭିତରକୁ ନେଇ ସଦାନନ୍ଦଙ୍କଠାରୁ ୧୦ ଲକ୍ଷ ଟଙ୍କା ଛଡ଼ାଇ ନେଇ ଶେରଗଡ଼ ଟୋଲଗେଟ୍ ପାଖରେ ଛାଡ଼ି କାର୍‌ ଧରି ଘଟଣାସ୍ଥଳରୁ ଛୁ’ ମାରିଥିଲେ। ପରେ ସଦାନନ୍ଦ ଘଟଣା ସଂପର୍କରେ ନୀଳଗିରି ଥାନାରେ ଏତଲା ଦେଇଥିଲେ। ଏନେଇ ନୀଳଗିରି ଥାନାରେ କେଶ(ନଂ.୨୦୪/୧୯) ଦଫା ୪୨୦, ୨୯୪, ୫୦୬/୩୪ ଧାରାରେ ମାମଲା ରୁଜୁ କରି ପୁଲସ୍‌ ତଦନ୍ତ ଜାରି ରଖିଥିଲା।

ତେବେ ଅଜୟ ମଲ୍ଲିକ ନିଜ ଗାଁରେ ଅଛନ୍ତି ବୋଲି ଆଇଆଇସି ନଳିତା ମୋଦି ବିଶେଷ ସୁତ୍ରରୁ ଖବର ପାଇଥିଲେ। ଅଭିଯୁକ୍ତକୁ ଧରିବା ପାଇଁ ଆଇଆଇସି ତଦନ୍ତକାରୀ ଅଧିକାରୀ ବାସୁଦେବ ଜୟସିଂହଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏସ୍‌ଆଇ ବାସୁଦେବ ଜୟସିଂହ, ଈଶ୍ବରପୁର ଫାଣ୍ତି ଅଧିକାରୀ ଅଘର ଚରଣ ଦାସ ୩ ଜଣ କନେଷ୍ଟବଳଙ୍କୁ ସାଙ୍ଗରେ ନେଇ ସାଦା ପୋଷାକରେ ଜୁରିଆପାଟଣା ଗ୍ରାମରେ ପହଞ୍ଚିଥିଲେ। ଅଜୟଙ୍କୁ ଗିରଫ କରିବା ସମୟରେ ୨୦ରୁ ଅଧିକ ଗ୍ରାମବାସୀ ଏକଜୁଟ୍ ହୋଇ ପୁଲିସକୁ ପିଟାମାରା କରିବା ସହ ୩ ଜଣ କନେଷ୍ଟବଳଙ୍କୁ ଲହୁଲୁହାଣ କରିଥିଲେ। ଏଥିସହ ୨ ଅଧିକାରୀଙ୍କୁ ଠେଲାପେଲା କରି ଅଭିଯୁକ୍ତଙ୍କୁ ଛଡ଼ାଇ ନେବା ସହ ପୁଲିସକୁ ଘେରାବନ୍ଦି କରି ରଖିଥିଲେ। ଖବରପାଇ ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଅଟକ ଥିବା କର୍ମଚାରୀମାନଙ୍କୁ ଉଦ୍ଧାର କରିଥିଲେ। ଏହାପରେ ଘଟଣାସ୍ଥଳରୁ ଗ୍ରାମବାସୀ ଛତ୍ରଭଙ୍ଗ ଦେଇଥିଲେ।

ଏହି ଘଟଣାକୁ ନେଇ ଈଶ୍ବରପୁର ଫାଣ୍ତି ଅଧିକାରୀ ଶ୍ରୀ ଦାସଙ୍କ ଏତଲା କ୍ରମେ ପୁଲିସ ଜୁରିଆପାଟଣା ଗ୍ରାମର ମୀନା ମଲ୍ଲିକ(୪୩), ଚନ୍ଦନ କୁମାର ମଲ୍ଲିକ(୨୨) ଏବଂ ଅଭିଯୁକ୍ତ ଅଜୟ ମଲ୍ଲିକଙ୍କ ସ୍ତ୍ରୀ ସୁଶୀଳା(୩୪)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର