ଥାନା ପରିସରରେ ପୁଲିସକୁ ମାଡ଼: ୨ ପୁଲିସ କର୍ମଚାରୀଙ୍କ ସମେତ ୩ ଆହତ

ରାଜନଗର : ରାଜନଗର ଥାନା ପରିସରରେ ୩ ଜଣ ଯୁବକ ଦୁଇ ଜଣ ପୁଲିସ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ଏହି ଦୁଇ ଜଣ ହେଲେ, ରାଇଟର କୁନାଲ ଚନ୍ଦ୍ର ସାମଲ ଓ କନେଷ୍ଟବଳ ତପନ କୁମାର ବେହୁରା।ପୁଲିସ ଏଥିରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ସୂଚନା ଅନୁଯାୟୀ, ରାଜନଗର ଥାନା ଅନ୍ତର୍ଗତ ଧନେଶ୍ବରପୁର ଗାଁର ଅଭିମନ୍ୟୁ ଲେଙ୍କା, ଜଗନ୍ନାଥପୁର ଗାଁର ମଧୁସୂଦନ ସ୍ବାଇଁ ଓ ହରିୟାନା ଗୁରୁଗାଁର ରାମଦୁଲାର ଯାଦବ ଗତକାଲି ପେଣ୍ଠ ସମୁଦ୍ରକୂଳକୁ ମୌଜମସ୍ତି କରିବାକୁ ଯାଇଥିଲେ। ଏକ କାର୍‌କୁ ରାସ୍ତା ଉପରେ ରଖି ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର କରୁଥିଲେ। ଅନ୍ୟ ଏକ ମାମଲାରେ ସାଧା ପୋଷାକରେ ପେଣ୍ଠ ନିକଟକୁ ଯାଇଥିବା ରାଇଟର୍‌ କୁନାଲ ଚନ୍ଦ୍ର ସାମଲ ଓ କନେଷ୍ଟବଳ ତପନ କୁମାର ବେହୁରା ସେମାନଙ୍କୁ ତାଗିଦ କରି ଫେରି ଆସିଥିଲେ। ନିଶାସକ୍ତ ଅବସ୍ଥାରେ ଥିବା ୩ ଜଣ ଯୁବକ ୨ଜଣ ପୁଲିସ କର୍ମଚାରୀଙ୍କୁ ଗୋଡାଇ ଗୋଡାଇ ଥାନା ନିକଟକୁ ଆସିଥିଲେ। ଥାନା ଫାଟକ ନିକଟରେ ରାଇଟର ଶ୍ରୀ ସାମଲଙ୍କୁ ପ୍ରଥମେ ଭିଡି ନେଇ ନିସ୍ତୁକ ମାଡ଼ ମାରିଥିଲେ। ସେମାନଙ୍କୁ କନେଷ୍ଟବଳ ଶ୍ରୀ ବେହେରା ଅଟକାଇବା ସମୟରେ କନେଷ୍ଟବଳଙ୍କୁ ମଧୢ ସେମାନେ ମାଡ ମାରିଥିଲେ। ମଙ୍ଗୁଳି ରାଉତ ନାମକ ଜଣେ ସାଧାରଣ ଲୋକ ମଧ୍ୟ ଥାନା ପରିସରରେ ସେମାନଙ୍କ ଆକ୍ରମଣର ଶିକାର ହୋଇ ଆହତ ହୋଇଛନ୍ତି। ଏହି ଘଟଣା ଦେଖି ଥାନା ଭିତରୁ ପୁଲିସ କର୍ମଚାରୀମାନେ ଦୌଡିଆସି ୩ ଯୁବକଙ୍କୁ କାବୁ କରିନେଇଥିଲେ। ରାଇଟର ଶ୍ରୀ ସାମଲଙ୍କ ଏତଲା ଆଧାରରେ ଥାନାରେ (କେଶ ନ˚. ୧୯୩/୨୦୧୮) ଦଫା ୩୪୧, ୩୨୩, ୨୯୪, ୩୫୩, ୩୦୭, ୩୪ ଆଇପିସିରେ ମାମଲା ରୁଜୁ ହେବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଏଠାରେ ସୂଚନାଯୋଗ୍ୟ ଯେ ଗତକାଲି ସଂଧ୍ୟାରେ ବାଙ୍କି ସୁବର୍ଣ୍ଣପୁରର ଫାଣ୍ଡି ଅଧିକାରୀ ମଦ ଜବତ କରିବାକୁ ଯାଇ ବେପାରୀଙ୍କ ଆକ୍ରମଣର ଶିକାର ହୋଇଥିଲେ।

ସମ୍ବନ୍ଧିତ ଖବର