ସୁନ୍ଦର ଗାଁ’ରେ ପୁଲିସକୁ ଦୁର୍ବ୍ୟବହାର, ଢେଲାମାଡ଼; ପୁଲିସର ‘ଫ୍ଲାଗ‌୍ ମାର୍ଚ’, ୨୧ ଗିରଫ

ପୁରୀ : ଚନ୍ଦନପୁର ଥାନା ଅନ୍ତର୍ଗତ ସୁନ୍ଦର ଗାଁ’ରେ ଦୁଇ ପରିବାର ମଧ୍ୟରେ ଥିବା ଦୀର୍ଘ ବର୍ଷର ବିବାଦ ଏବେ ଉଗ୍ରରୂପ ନେଇଛି। ଏ ନେଇ ଉଭୟ ପକ୍ଷରୁ ଚନ୍ଦନପୁର ଥାନାରେ ଅଭିଯୋଗ ହୋଇଛି। ଗତ ୩୧ ତାରିଖ ଦିନ ଗୋଟିଏ ମାମଲାର ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁଲିସ ଏହି ଗାଁ’ରେ ଚଢ଼ଉ କରିଥିବା ବେଳେ ତାଙ୍କୁ ମହିଳାମାନେ ଘେରିଯାଇ ଦୁର୍ବ୍ୟବହାର କରିବା ସହିତ ଢେଲାମାଡ଼ କରିଥିଲେ। ଫଳରେ ଅଭିଯୁକ୍ତ ଜଣକ ଘଟଣା ସ୍ଥଳରୁ ‌ଖସିଯିବାରେ ସକ୍ଷମ ହୋଇଥିଲା। ମହିଳା ପୁଲିସ ସାଙ୍ଗରେ ନଥିବାରୁ ବାଧ୍ୟ ହୋଇ ସେଠାରୁ ପୁଲିସକୁ ଫେରିବାକୁ ପଡ଼ିଥିଲା। ଗତ ରାତିରେ ପୁଲିସ ଫୋର୍ସ ଗାଁରେ ପଶି ଫ୍ଲାଗ୍‌ ମାର୍ଚ କରିବା ସହ ପ୍ରାୟ ୨୫ ଜଣ ମହିଳା ଓ ପୁରୁଷଙ୍କୁ ଉଠାଇ ନେଇଛି। ଏହି ଘଟଣାକୁ କେନ୍ଦ୍ର କରି ଗାଁ’ରେ ଉତ୍ତେଜନା ପ୍ରକାଶ ପାଇଛି। ଆଜି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ସଦର ଏସ୍‌ଡିପିଓ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଛନ୍ତି।

ଖବର ନେବାରେ ଜଣାପଡ଼ିଛି, ଚନ୍ଦନପୁର ଥାନା ଅନ୍ତର୍ଗତ ସୁନ୍ଦର ଗାଁରେ ଦୀର୍ଘ ୧୨ ବର୍ଷ ଧରି ଅଶୋକ ବିଶ୍ବାଳ ଓ ନବଘନ ପରିଡ଼ାଙ୍କ ପରିବାର ମଧ୍ୟରେ ବିବାଦ ରହିଛି। ଏହି ବିବାଦକୁ କେନ୍ଦ୍ର କରି ୧୨ ବର୍ଷ ପୂର୍ବେ ଅଶୋକର କଟୁରୀ ଚୋଟରେ ନବଘନ ରକ୍ତାକ୍ତ ହୋଇଥିଲେ। ଦଶ ବର୍ଷ ପୂର୍ବେ ଯଦିଓ ନବଘନ ମୃତ୍ୟୁ ବରଣ କଲେଣି, ତଥାପି ଉଭୟ ପରିବାର ମଧ୍ୟରେ ବିବାଦ ଲାଗି ରହିଛି। ଗତ ଦୁଇ ମାସ ପୂର୍ବେ ଅଶୋକଙ୍କ ଆକ୍ରମଣରେ ହାଡ଼ିବନ୍ଧୁ ପରିଡ଼ା ମଧ୍ୟ ଗୁରୁତର ଆହତ ହୋଇଥିଲେ। ଏଭଳି ପରିସ୍ଥିତିରେ ଉଭୟଙ୍କ ମଧ୍ୟରେ ତିକ୍ତତା ଆହୁରି ତୀବ୍ରତର ହୋଇଥିଲା। ଗତ ଶୁକ୍ରବାର ଦିନ ଅଶୋକ ସାମଗ୍ରୀ ଆଣିବା ପାଇଁ କଣ୍ଟ୍ରୋଲ ଦୋକାନକୁ ଯାଇଥିଲେ। ଏହି ସମୟରେ ସେଠାରେ ପରିଡ଼ା ପରିବାରର ବାଇନ ପରିଡ଼ା ଓ ମନୋଜ ପରିଡ଼ା ପ୍ରମୁଖ ଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିଲା। ଏପରିକି କଟୁରୀ ଚୋଟରେ ବାଇନଙ୍କ ହାତ କଚଟି ନିକଟରେ ଏକ ହାଡ଼ କଟିଯାଇଥିଲା।

ଏହାପରେ ମନୋଜଙ୍କ ପଥର ମାଡ଼ରେ ଅଶୋକଙ୍କ ମୁଣ୍ଡ ଫାଟିଯାଇଥିଲା। ସେଠାରୁ ଅଶୋକ ନିଜ ଜୀବନ ବଞ୍ଚାଇବାକୁ ଯାଇ ନିକଟରେ ଥିବା ପୋଖରୀକୁ ଡେଇଁ ନିଜ ଭଉଣୀ ଘରକୁ ଚାଲିଯାଇଥିଲେ। ଏହାର ସୁଯୋଗ ନେଇ ପରିଡ଼ା ପରିବାର ତାଙ୍କ ଘରେ ପଶି ଜିନିଷପତ୍ରକୁ ଭଙ୍ଗାରୁଜା କରିଥିଲେ ବୋଲି ଅଶୋକଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ବିଶ୍ବାଳ ଚନ୍ଦନପୁର ଥାନାରେ ଅଭିଯୋଗ କରିଛନ୍ତି। ଏହା ସହିତ ପରିଡ଼ା ପରିବାର ତାଙ୍କ ଘରେ ନିଆଁ ଲଗାଇ ଦେଇଥିବା ନେଇ ଗତ ୩୧ ତାରିଖ ଦିନ ଏନେଇ ଚନ୍ଦନପୁର ଥାନାରେ ସେ ଲିଖିତ ଅଭିଯୋଗ କରିଥିଲେ।

ଅନ୍ୟପଟେ ବାଇନଙ୍କୁ ହାଣି ଅଶୋକ ପାଟଣା ସାହିରେ ଥିବା ନିଜ ଭଉଣୀ ଘରେ ଆତ୍ମଗୋପନ କରିଥିଲା। ଗତ ଏକ ତାରିଖ ଦିନ ଚନ୍ଦନପୁର ଥାନା ଏସ୍‌ଆଇ ତିନି ଜଣ କନେଷ୍ଟବଳଙ୍କୁ ନେଇ ସୁନ୍ଦର ଗାଁ ଅନ୍ତର୍ଗତ ପାଟଣା ସାହିସ୍ଥିତ ଅଶୋକର ଭଉଣୀ ଘରେ ପହଞ୍ଚିଥିଲେ। ଅଶୋକକୁ ଗିରଫ କରିବା ପାଇଁ ସେ ପହଞ୍ଚିଥିବା ବେଳେ ତାଙ୍କୁ ସେଠାରେ ମହିଳାମାନେ ଘେରିଯାଇଥିଲେ। ପୁଲିସକୁ ମାରପିଟ୍‌ କରିବାକୁ ମଧ୍ୟ ଉଦ୍ୟମ କରିଥିଲେ। ଏପରିକି ଢ଼େଲାପଥର ମାଡ଼ କରିଥିଲେ। ଏହାର ସୁଯୋଗ ନେଇ ଅଶୋକ ସେଠାରୁ ଖସି ଯାଇଥିଲା। ଏ ନେଇ ଚନ୍ଦନପୁର ଥାନା ଏସ୍ଆଇଙ୍କ ଅଭି‌ଯୋଗକ୍ରମେ ଥାନାରେ ଏକ ମାମଲା ରୁଜୁ କରି ଗତ କାଲି ପୁଲିସ ସୁନ୍ଦର ଗାଁରେ ଚଢ଼ଉ କରି ପ୍ରାୟ ୨୫ ଜଣ ମହିଳା ଓ ପୁରୁଷଙ୍କୁ ଉଠାଇ ନେଇଥିଲା। ଏଠାରେ ପରିସ୍ଥିତି ଉତ୍ତେଜନା ଲାଗି ରହିଥିଲା। ତେଣୁ ପରିସ୍ଥିତିରେ ସୁଧାର ଆଣିବା ପାଇଁ ଆଜି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରତାପ ସ୍ବାଇଁ ଓ ସଦର ଏସ୍‌ଡିପିଓ କିଶୋର ଚନ୍ଦ୍ର ମୁଣ୍ଡ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଏହି ମାମଲାରେ ପୁଲିସ ୫ ଜଣ ମହିଳା ଓ ୧୬ ପୁରୁ‌ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅନ୍ୟପଟେ ପୁଲିସ ଆଜି ଅଶୋକ ବିଶ୍ବାଳକୁ ନିଜ କାବୁକୁ ନେଇଯାଇଥିବା ଜଣାପଡ଼ିଛି। ପୁଲିସ ତାକୁ ଅଟକ ରଖି ପଚରାଉଚରା ଚଳାଇଛି।

ସମ୍ବନ୍ଧିତ ଖବର