ରାୟଗଡ଼ା/ଭୁବନେଶ୍ବର: ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଦ୍ବିତୀଚନ୍ଦ୍ର ସାହୁଙ୍କୁ ଭୁବନେଶ୍ୱର ରେଳଷ୍ଟେସନ ନିକଟରେ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଷ୍ଟେସନ ବାହାରେ ଦୁର୍ବୃତ୍ତମାନେ ଶ୍ରୀ ସାହୁଙ୍କୁ ଆକ୍ରମଣ କରିବା ସହ ତାଙ୍କ ମୋବାଇଲ ଛଡ଼ାଇ ନେଇଛନ୍ତି। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ଶ୍ରୀ ସାହୁ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁଲିସ ଆଖାପଖରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ଦୁଇଜଣଙ୍କୁ ଚିହ୍ନଟ କରିଛି। ସେମାନଙ୍କୁ ଗିରଫ ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
ସୂଚନା ମୁତାବକ, ଏସ୍ଇଆର୍ଟି ପାଠ୍ୟ ପୁସ୍ତକ ସମୀକ୍ଷା ବୈଠକରେ ଯୋଗଦେବା ପାଇଁ ଶ୍ରୀ ସାହୁ ରବିବାର ରାତିରେ ଜୁନାଗଡ଼ ଏକ୍ସପ୍ରେସରେ ଭୁବନେଶ୍ୱର ଆସିଥିଲେ। ସୋମବାର ଭୋରରେ ଟ୍ରେନ୍ରୁ ଓହ୍ଲାଇବା ପରେ ୬ ନଂ ପ୍ଲାଟଫର୍ମ ଦେଇ ହୋଟେଲ୍ ଅଭିମୁଖେ ଯାଉଥିଲେ। ଏହି ସମୟରେ ଅଜଣା ଦୁର୍ବୃତ୍ତ ତାଙ୍କଠାରୁ ଲୁଟ୍ ଉଦ୍ୟମ କରିଥିଲେ। ଶ୍ରୀ ସାହୁ ପ୍ରତିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଅତର୍କିତ ଭାବେ କାଠଫାଳିଆରେ ଆକ୍ରମଣ କରି ମୋବାଇଲ୍ ଛଡ଼ାଇ ନେଇଥିଲେ। ଆକ୍ରମଣରେ ମୁଣ୍ଡ ଫାଟି ଯାଇଥିବାରୁ ସେ ଗୁରୁତର ହୋଇ ତଳେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ପୁଲିସକୁ ଘଟଣା ସମ୍ପର୍କରେ ଜଣାଇବା ପରେ ପୁଲିସ ସେଠାରେ ପହଞ୍ଚି ଆହତ ଶିକ୍ଷକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ ନେଇଥିଲା।
ଖବର ପାଇ ଦ୍ବିତୀଙ୍କ ଭାଇ ତଥା ସାମ୍ବାଦିକ କୀର୍ତ୍ତିଚନ୍ଦ୍ର ସାହୁ ମେଡିକାଲ୍ରେ ପହଞ୍ଚିଥିଲେ। ଦ୍ବିତୀଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ଖବର ରାୟଗଡ଼ାରେ ପ୍ରଚାରିତ ହେବା ପରେ ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ତୁରନ୍ତ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ବିଶିଷ୍ଟ ଶିକ୍ଷାବିତ୍ ଡ. ଦୁଷ୍ମନ୍ତ କୁମାର ମାହାନ୍ତି, ସ୍ତମ୍ଭକାର ସତ୍ୟନାରାୟଣ ଗନ୍ତାୟତ, ସମ୍ବାଦ ସାହିତ୍ୟଘର ସଭାପତି ସୁଶାନ୍ତ କୁମାର ନାୟକ, ଡ. ପ୍ରସନ୍ନ କୁମାର ଗନ୍ତାୟତ, ଜଗଦୀଶ ଦୋରା, ଆଶୁତୋଷ ପାତ୍ର ପ୍ରମୁଖ ଦ୍ବିତୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ସୂଚନାଯୋଗ୍ୟ, ଶ୍ରୀ ସାହୁ ଜଣେ ବିଶିଷ୍ଟ ସ୍ତମ୍ଭକାର। ସେ ଓଡ଼ିଶାର ବିଭିନ୍ନ ଖବରକାଗଜରେ ନିୟମିତ ଭାବେ ବିଭିନ୍ନ ପ୍ରସଙ୍ଗକୁ ନେଇ ଲେଖନ୍ତି। ରାୟଗଡ଼ା ଜିଲ୍ଲା ବିଲେଷୁ ଉଚ୍ଚବିଦ୍ୟାଳୟରେ ଶ୍ରୀ ସାହୁ ଶିକ୍ଷକତା କରୁଥିବା ବେଳେ ରାଜ୍ୟ ସରକାରଙ୍କ ଅନସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗରେ ଗବେଷଣାରତ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/14/dgjgdjcnbncb-2025-10-14-00-58-15.jpg)