ପୁଇଁତଲା ବ୍ଲକ୍‌ରେ ଭଙ୍ଗାରୁଜା, ପୁଣି ଟାର୍ଗେଟରେ ବିଡିଓ, ହତ୍ୟା ଧମକ

ସୁରକ୍ଷା ଦାବିରେ ଧାରଣା, ପୁଲିସ ତଦନ୍ତ ଆରମ୍ଭ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ ଅଫିସରେ ଚାଲିଛି ଦାଦାଗିରି। ବିଡିଓଙ୍କୁ ଅପହରଣ ଘଟଣା ପରେ ପୁଣି ପୁଇଁତଲା ବିଡିଓଙ୍କୁ ଏବେ ଜୀବନରେ ମାରିଦେବାର ଦିଆଯାଇଛି ଧମକ୍‌।

ଅଭିଯୋଗରୁ ପ୍ରକାଶ ଯେ, ପୁଇଁତଲା ବ୍ଲକ କାର୍ଯ୍ୟାଳୟରେ ଏବେ ବିଡିଓ ଦାୟିତ୍ୱରେ ଏବିଡିଓ ଉପେନ୍ଦ୍ର ମାଝୀ ରହିଛନ୍ତି। ସେ ଆଜି ଅଫିସ ସମୟରେ ଅଫିସକୁ ଆସି ଖାଇବାକୁ ଯାଇଥିଲେ। ଅପରାହ୍ନ ୨ଟା ୩୦ରୁ ୩ଟା ଭିତରେ ଜୟନାରାୟଣ ପଣ୍ଡା ନାମକ ଜଣେ ଯୁବକ ଅଫିସକୁ ଆସିଥିଲେ। ମୁଖ୍ୟ କିରାଣି ହରିବନ୍ଧୁ ପାଣିଙ୍କ ପାଖକୁ ଯାଇ ବିଡିଓ କୁଆଡ଼େ ଗଲେ ବୋଲି ପଚାରିଥିଲେ। ହୋହଲ୍ଲା କରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ବ୍ଲକରେ ନାଟକ ଚାଲିଛି କହି ବିଡିଓଙ୍କ ଚାମ୍ବରକୁ ଯାଇଥିଲେ ଓ ଗେଟ୍‌ରେ ବାରଂବାର ଲାତ ମାରିଥିଲେ। ଉପସ୍ଥିତ କର୍ମଚାରୀମାନେ ସମସ୍ତେ ଏକଜୁଟ ହେବା ପରେ ସେ ଗାଳିଗୁଲଜ କରି ସେଠାରୁ ଫେରାର ମାରିଥିଲେ। ସମସ୍ତ ଘଟଣା ସଂପର୍କରେ ବିଡିଓ ଦାୟିତ୍ୱରେ ଥିବା ଏବିଡିଓ ଖବର ପାଇ କାର୍ଯ୍ୟାଳୟକୁ ଆସିଥିଲେ। ବ୍ଲକ ଅଧ୍ୟକ୍ଷା ଯମୁନା ବିଶ୍ୱାଲ ମଧ୍ୟ ଆସିଥିଲେ। ବାରମ୍ବାର ବ୍ଲକରେ ଅସାମାଜିକମାନେ ଆସି ଏଭଳି ଘଟଣା ଘଟାଉଥିବା ଓ ସମସ୍ତଙ୍କ ଜୀବନପ୍ରତି ବିପଦ ଥିବା ନେଇ ପ୍ରତିବାଦ କରିଥିଲେ। ସୁରକ୍ଷା ଦାବିରେ ବିଡିଓ, ବ୍ଲକ ଅଧ୍ୟକ୍ଷା ଓ କର୍ମଚାରୀମାନେ ସମସ୍ତେ ଧାରଣାରେ ବସିଥିଲେ। ଦାଦାଗିରି କରି ଚାମ୍ବର ଭଙ୍ଗାରୁଜା କରିଥିବା ଯୁବକଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଥିଲେ।

ସମ୍ବନ୍ଧିତ ଖବର