ମାନବିକତା ଭୁଲି ବର୍ବରତା : ଚୋରି ସନ୍ଦେହରେ ଜରି ଗୋଟାଳିଙ୍କୁ ନିସ୍ତୁକ ମାଡ଼

ମୁଣ୍ଡ ତଳକୁ କରି ଟାଙ୍ଗିଦେଲେ, ଆଇନକୁ ହାତକୁ ନେଇଥିବାରୁ ଜଣେ ଗିରଫ

ପୁରୀ : ଜରି ଗୋଟାଳି ସେ । ମାତ୍ର, ତାଙ୍କୁ ଚୋର ବୋଲି ସନ୍ଦେହ କରି ଗଛରେ ଓଲଟା ଟାଙ୍ଗି ଦେବା ସହିତ ତାଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ଏପରିକି, ମୁଣ୍ଡକୁ ପାଣିରେ ବୁଡ଼ାଇବା ସହ ମୁହଁକୁ ପାଣି ଛାଟି ନିର୍ଯାତନା ଦିଆଯାଇଛି। ପୁରୀ ଜିଲ୍ଲା ଗୋପ ବ୍ଲକ ଧୁମାଳ ପଞ୍ଚାୟତ ନରସିଂହପୁର ଗାଁ’ରେ ଘଟିଥିବା ଏହି ଘଟଣାରେ ମଣିଷ କେତେ ନିର୍ଦୟ ହୋଇପାରନ୍ତି, ତାହାର ଏକ ପ୍ରମାଣ ନଜରକୁ ଆସିଛି। ତେବେ ଆଇନକୁ ହାତକୁ ନେଇଥିବା ଜଣେ ବ୍ୟକ୍ତିକୁ ପୁଲିସ ଗିରଫ କରିଥିବା କହିଛି। ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି।

ଗତ ୨୫ ତାରିଖରେ ଧୁମାଳ ପଞ୍ଚାୟତର ନରସିଂହପୁର ଗ୍ରାମର ଯୋଗେନ୍ଦ୍ର ମାଳତୀଙ୍କ ଘରୁ ଡକାୟତି ହୋଇଥି‌ଲା। ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ଚୋରି ଦିନ ଭୋରରୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ନାନପୁର ଗ୍ରାମର ଅଭିମନ୍ୟୁ ରାଉତ ମାଳତୀଙ୍କ ଘର ନିକଟରେ ଥିବା ଏକ ଚା’ ଦୋକାନରେ ଚା’ ପିଉଥିଲେ। ତାଙ୍କୁ ଦେଖି ମାଳତୀଙ୍କ ପରିବାର ଚୋର ବୋଲି ସନ୍ଦେହ କରି ଅଟକାଇ ଥିଲେ। ଚୋରି କରିଛ, ଆଉ କିଏ କିଏ ଆସିଥିଲେ କହ କହି ଅଭିମନ୍ୟୁଙ୍କୁ ମାଡ଼ ମାରିଥିଲେ। ପରେ ତାଙ୍କ ଗୋଡ଼କୁ ଉପରକୁ ଓ ମୁଣ୍ଡ ତଳକୁ କରି ନିର୍ଧୁମ ପିଟିଥିଲେ। ଅଭିମୁନ୍ୟ ନିଜକୁ ‌ନିର୍ଦୋଷ ବୋଲି ଚିତ୍କାର କରି ଚାଲିଥିଲେ। ସେ ଅନ୍ୟ କାମରେ ଆସିଛନ୍ତି ତାଙ୍କୁ କାହିଁକି ମାରୁଛ ବୋଲି ବଡ଼ ପାଟିରେ କହି ବାପାଲୋ ମା’ ଲୋ ହେଉଥିଲେ। ମାତ୍ର ତାଙ୍କ କଥାକୁ କେହି ଶୁଣିବା ପରିସ୍ଥିତିରେ ନଥିଲେ।

୧୦ରୁ ଅଧିକ ଲୋକ ମିଳିତ ଭାବେ ତାଙ୍କୁ ଅତ୍ୟାଚାର କରିଥିବା ଏହି ଭିଡିଓରୁ ଦେଖିବାକୁ ମିଳିଛି। ଏ ସଂପର୍କରେ ଖବର ପାଇ ଗୋପ ଓ ନୟାହାଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ତେବେ ଆଇନକୁ ହାତକୁ ନେଇଥିବା ଅଭିଯୋଗରେ ସଂଜୟ ମାଳତୀ ନାମକ ଜଣେ ବ୍ୟକ୍ତିକୁ ପୁଲିସ ଗିରଫ କରିଛି। ଅବଶ୍ୟ ପରେ ମାଡ଼ ଖାଇଥିବା ବ୍ୟକ୍ତି ଜଣକ ପ୍ଲାଷ୍ଟିକ ଓ ଜରି ଗୋଟାଳି ବୋଲି ଜଣାପଡିଥିଲେ। ସେ ଅପରାଧୀ କି ନୁହେଁ ତାହା ପୁଲିସ ସ୍ପଷ୍ଟ କରି ନାହିଁ। ଏ ସଂପର୍କରେ ନୟାହାଟ ଫାଣ୍ଡି ଅଧିକାରୀ ବାବୁଲି ପ୍ରଧାନଙ୍କୁ ପଚାରିବାରେ ଏହି ଘଟଣାରେ ଜଣକୁ ଗିରଫ କରାଯାଇଥିବା କହିଛନ୍ତି।

ସମ୍ବନ୍ଧିତ ଖବର