ଆର୍‌ପିଏଫ୍‌ ଏଏସ୍‌ଆଇଙ୍କୁ ଗୋଡ଼ାଇ ହାଣିଲେ, ଦୁର୍ବୃତ୍ତଙ୍କ ଚୋଟରେ କଟିଗଲା ୪ ଆଙ୍ଗୁଠି

ବାଲେଶ୍ବର : ଜନସାଧାରଣଙ୍କୁ ସୁରକ୍ଷା ଦେଉଥିବା ନିଜେ ପୁଲିସ ବି ଅସୁରକ୍ଷିତ। ଅପରାଧୀମାନେ ବାଲେଶ୍ବର ସଦର ଥାନା ହଳଦୀପଦାରେ ଜଣେ ଆରପିଏଫ୍ (ରେଳ ସୁରକ୍ଷା ବଳ) ଏଏସ୍‌ଆଇଙ୍କୁ ଗୋଡ଼ାଇ ଗୋଡ଼ାଇ ହଣାଯିବା ଘଟଣାରୁ ଏହା ସ୍ପଷ୍ଟ।

ଶୁକ୍ରବାର ଅପରାହ୍ଣ ପ୍ରାୟ ୪ଟା। ଟ୍ରେନ୍ ଆସିବାକୁ ଥିବାରୁ ହଳଦୀପଦା ଲେଭେଲକ୍ରସିଂ ଗେଟ୍-୭୧କୁ ବନ୍ଦ କରିଥିଲେ ଗେଟ୍ କିପର୍‌ ରବୀନ୍ଦ୍ରନାଥ ମୁସ୍ତାଫି। ଏତିକିବେଳେ ହଳଦୀପଦା ପାଲସିଆ ଅଞ୍ଚଳର ରାଜୁ ଦାସ ଓରଫ ଆଲୋକ ଆସି ରବୀନ୍ଦ୍ରଙ୍କୁ ଗେଟ୍ ଖୋଲିବାକୁ ଧମକାଇଥିଲା। ହେଲେ ଟ୍ରେନ୍ ସମୟ ହୋଇଯାଇଥିବାରୁ ଗେଟ୍ ଖୋଲି ନଥିଲେ ରବୀନ୍ଦ୍ର। ମଦ ନିଶାରେ ଚୁର୍ ରାଜୁ ଏକ ଧାରୁଆ କାତି ଧରି ରବୀନ୍ଦ୍ରଙ୍କୁ ହାଣିବାକୁ ଗୋଡ଼ାଇଥିଲା। ପ୍ରାଣ ବିକଳରେ ରବୀନ୍ଦ୍ର ଗେଟ୍ ଘରେ ପଶିଯାଇ ଭିତରୁ କବାଟ ବନ୍ଦ କରିଦେଇଥିଲେ। ସେପଟେ ରାଜୁ ତାଙ୍କୁ ହାଣିବା ପାଇଁ ବାହାରେ ଜଗି ବସିଥିଲା। ଏ ସବୁ ସ୍ଥାନୀୟ ଲୋକେ ଦେଖୁଥିଲେ ମଧ୍ୟ ଭୟରେ ନିରବଦ୍ରଷ୍ଟା ସାଜିଥିଲେ। ଘଟଣା ସଂପର୍କରେ ରବୀନ୍ଦ୍ର ରୁପ୍‌ସା ଆରପିଏଫ୍‌କୁ ଫୋନ କରି ଜଣାଇବା ପରେ ୨ ଜଣ ଏଏସ୍‌ଆଇ କେ.ଏସ. ପଣ୍ଡା, ଶ୍ରୀକାନ୍ତ ପାତ୍ର ଓ ହେଡ କନଷ୍ଟେବଲ ସି.କେ. ସିଂହ ସେଠାରେ ପହଞ୍ଚି ରାଜୁକୁ କାବୁ କରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ରାଜୁ ସେମାନଙ୍କୁ ମଧ୍ୟ ଗୋଡ଼ାଇଥିଲା ହାଣିବାକୁ। ରାଜୁର କାତି ଚୋଟରେ ଆରପିଏଫ୍ ଏଏସ୍‌ଆଇ ଶ୍ରୀକାନ୍ତ ପାତ୍ର ୪ଟି ଆଙ୍ଗୁଠି କଟିଯାଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ, ନିଜକୁ ବଞ୍ଚାଇବା ପାଇଁ ଆର୍‌ପିଏଫ୍‌ କର୍ମଚାରୀ ସେଠାରେ ସଂଘର୍ଷ କରିଥିଲେ। ଶ୍ରୀକାନ୍ତଙ୍କୁ ପ୍ରଥମେ ବାଲେଶ୍ବର ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବାବେଳେ ଅଭିଯୁକ୍ତ ରାଜୁ ଦାସକୁ କୋର୍ଟଚାଲାଣ କରିଥିଲା ପୁଲିସ।

ଏଠାରେ ପ୍ରଶ୍ନ ଉଠୁଛି, ପୁଲିସକୁ କାହିଁକି ଡରୁନାହାନ୍ତି ଅପରାଧୀ? ଗେଟ୍ ଖୋଲିବାକୁ ନେଇ ଏ ଘଟଣା ଘଟିଲା ନା ଏହା ପଛରେ ଆଉ କିଛି କାରଣ ରହିଛି? ରାଜୁ ଦାସ ବିରୋଧରେ ପୂର୍ବରୁ ମଧ୍ୟ ଅସାମାଜିକ କାର୍ଯ୍ୟକଳାପ ନେଇ ଅଭିଯୋଗ ରହିଛି। ଅନ୍ୟପକ୍ଷରେ ସାହସ ଦେଖାଇ ଗେଟମ୍ୟାନ୍‌ଙ୍କୁ ବଞ୍ଚାଇଥିବାରୁ ରେଳବିଭାଗ ପକ୍ଷରୁ ଆରପିଏଫ ଏଏସଆଇ ଶ୍ରୀକାନ୍ତ ପାତ୍ରଙ୍କୁ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର