ମାଗୁରା ବୋଟିଂ କ୍ଲବ୍ ନିକଟରେ ଅଭାବନୀୟ ଘଟଣା : ଏସ୍‌ସିବି ଡାକ୍ତରୀ ଛାତ୍ରଙ୍କୁ ଆକ୍ରମଣ, ଅସଦାଚରଣ

ଚୌଦ୍ବାର : ଚୌଦ୍ବାର ‌ମାଗୁରା ବୋଟିଂ କ୍ଲବ୍ ନିକଟରେ ଆଜି ଅପରାହ୍ନରେ ବୁଲୁଥିବା ଏସସିବି ମେଡିକାଲ କଲେଜର ଦୁଇ ଜଣ ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟ ଅଞ୍ଚଳର ୩ ଜଣ ଦୁର୍ବୃତ୍ତ ଆକ୍ରମଣ କରିବା ସହିତ ଅସଦାଚରଣ କରିଛନ୍ତି। ଏହି ବୋଟିଂ କ୍ଲବ୍‌କୁ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳ କରିବା ପାଇଁ ପ୍ରଶାସନ ଯୋଜନା କରୁଥିବା ବେଳେ ଦୁଇ ଡାକ୍ତର ଛାତ୍ରଛାତ୍ରୀଙ୍କ ପ୍ରତି ଏଭଳି ଆଚରଣ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ୩ ଦୁର୍ବୃତ୍ତଙ୍କ ଆକ୍ରମଣରେ ଛାତ୍ର ଜଣକ ଗୁରୁତର ଆହତ ହୋଇଛନ୍ତି। ଅନ୍ୟପଟେ ଛାତ୍ରୀ ଜଣଙ୍କୁ ଦୁର୍ବୃତ୍ତ ଟଣାଓଟରା, ଅସଦାଚରଣ କରିଥିବା ବେଳେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସୂଚନା ଅନୁଯାୟୀ ମେଡିକାଲ କଲେଜ ୪ର୍ଥ ବର୍ଷର ଡାକ୍ତରୀ ଛାତ୍ର ସଂଜୟ କୁମାର ବର୍ତ୍ତି ଓ ତାଙ୍କର ସହପାଠୀ ଛାତ୍ରୀ ଏକ ବାଇକରେ ଡମଡମଣି ଅଞ୍ଚଳ ବୁଲାବୁଲି କରି ଫେରିବା ପରେ ଅପରାହ୍ନ ପ୍ରାୟ ସାଢେ ୫ଟା ପାଖାପାଖି ସମୟରେ ମାଗୁରା ବୋଟିଂ କ୍ଲବ୍‌ ନିକଟରେ ଅଟକି ସେଠାରେ ଚାଲିଥିବା ନିର୍ମାଣ କାର୍ଯ୍ୟ ଦେଖୁଥିଲେ। ସେହି ସମୟରେ ନିକଟବର୍ତ୍ତୀ ଅଞ୍ଚଳର ୩ ଜଣ ଯୁବକ ସେଠାରେ ପହଞ୍ଚି ପ୍ରଥମେ ଛାତ୍ରୀଙ୍କୁ ଅଶ୍ଳୀଳ ଇଂଗିତ କରିଥିଲେ। ସଂଜୟ ଓ ତାଙ୍କର ବାନ୍ଧବୀ ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ଛାତ୍ରୀଙ୍କୁ ଟଣାଓଟରା କରିବା ସହିତ ସଂଜୟଙ୍କୁ ଆକ୍ରମଣ କରିଥିଲେ। ଛାତ୍ରୀ ଜଣକ ଦୌଡି ଯାଇ ରାସ୍ତା ଉପରେ ଛିଡା ହୋଇ ଲୋକଙ୍କୁ ଡାକିଥିଲେ। କିଛି ଲୋକ ଛାତ୍ରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଯିବାରୁ ୩ ଦୁର୍ବୃତ୍ତ ସେଠାରୁ ପଳାଇ ଯାଇଥିଲେ। ଏ ସଂପର୍କରେ ଖବର ପାଇ ଚୌଦ୍ବାର ଥାନା ପୁଲିସ ସଂଜୟଙ୍କୁ ଉଦ୍ଧାର କରି ଟାଙ୍ଗୀ ପ୍ରାଥମିକ ଚିକିତ୍ସାଳକୁ ନେଇ ଚିକିତ୍ସା କରାଇଥି‌ଲା। ତାଙ୍କ ଅଭିଯୋଗ ଆଧାରରେ ଦଫା ୩୪୧, ୩୨୩, ୨୯୪, ୫୦୬ ଓ ୩୪ରେ ଏକ ମାମଲା ରୁଜୁ କରିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ବି ୩ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ଏହି ଘଟଣାରେ ସଂପୃକ୍ତ ୩ ଦୁର୍ବୃତ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର