ଭୁବନେଶ୍ବର : ଭିନ୍ନ ମୋଡ଼ ନେଲା ରାଜଧାନୀର ଶିଖ୍ ଯୁବକ ପରବିନ୍ଦର ପାଲ୍ ସିଂଙ୍କୁ ମାଡ଼ ଘଟଣା। ଆଜି ପଲବିନ୍ଦରଙ୍କ ବିରୋଧରେ ଭୁବନେଶ୍ବର ଏସ୍ଡିଜେଏମଙ୍କ କୋର୍ଟରେ ଏକ ମାମଲା ହୋଇଛି। କୋର୍ଟ ପକ୍ଷରୁ ପ୍ରତିପକ୍ଷଙ୍କ ଆବେଦନକୁ ଗ୍ରହଣ କରାଯାଇଛି। ଖୁବ ଶୀଘ୍ର ପରବିନ୍ଦରଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜୁ ହେବ ବୋଲି ସୂଚନା ମିଳିଛି। ପ୍ରତିପକ୍ଷଙ୍କ ପକ୍ଷରୁ ହୋଇଥିବା ଅଭିଯୋଗରେ ଦର୍ଶା ଯାଇଛି କି, ପରବିନ୍ଦର ପ୍ରଥମେ ସେମାନଙ୍କ ଜାତି ଓ ବାପାଙ୍କ ନାଁ ଧରି ଗାଳିଗୁଲଜ କରିଥିଲେ। ଅଶ୍ଳୀଳ ଭାଷା ମଧ୍ୟ ବ୍ୟବହାର କରିଥିଲେ। ସର୍ବସାଧାରଣରେ ସେମାନଙ୍କୁ ଏଭଳି ଗାଳିଗୁଲଜ କରାଯିବାରୁ ସେମାନଙ୍କ ମାନ ସମ୍ମାନ ହାନି ହୋଇଛି ବୋଲି ପ୍ରତିପକ୍ଷ ଅଭିଯୋଗ କରିଛନ୍ତି।
ଗତ ଜାନୁଆରି ୧୫ ତାରିଖରେ ରାସ୍ତାରେ ତାଙ୍କ କାର୍କୁ ସାଇଡ୍ ନ ଦେବାକୁ କେନ୍ଦ୍ର କରି ପରବିନ୍ଦରଙ୍କୁ ୩ ଜଣ ଅଭିଯୁକ୍ତ ପୁଲିସ ସମ୍ମୁଖରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ପୁଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠିଥିଲାବେଳେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ପୁଲିସ୍ ସାମ୍ନାରେ ମରଣାନ୍ତକ ଆକ୍ରମଣ ସତ୍ତ୍ୱେ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଉଦ୍ୟମ ଦଫା ଲାଗି ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ ପରବିନ୍ଦର। ଏପରିକି ସେ ଭୁବନେଶ୍ୱରରେ ପରିବାର ସହ ରହିବାକୁ ଆଉ ସୁରକ୍ଷିତ ମଣୁ ନ ଥିବା କହିଥିଲେ। ପୁଲିସ ହତ୍ୟା ଉଦ୍ୟମ ଦଫା ନ ଲଗାଇ କୋହଳ ଦଫା ଲଗାଇଥିବାରୁ ଅଭିଯୁକ୍ତମାନେ ଅତି ସହଜରେ ଜାମିନ ପାଇଯାଇଥିବା ଅଭିଯୋଗ ମଧ୍ୟ ସେ କରିଥିଲେ। ପରେ ପରବିନ୍ଦର ନ୍ୟାୟ ପାଇଁ ଜାତୀୟ ଓ ରାଜ୍ୟ ମାନବାଧିକାର କମିସନଙ୍କ ଦ୍ୱାରସ୍ଥ ହୋଇଥିଲେ। ଆକ୍ରମଣ ସତ୍ତ୍ୱେ ଅଭିଯୁକ୍ତଙ୍କ ବିରୋଧରେ କାହିଁକି ୩୦୭ ଧାରା ଲାଗୁ ହେଲା ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ପଗଡ଼ିକୁ ପକାଇ ତାଙ୍କ ଧର୍ମକୁ ଅସମ୍ମାନ ସତ୍ତ୍ୱେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ପ୍ରଶ୍ନ କରିଥିଲେ ପରବିନ୍ଦର। ପରବିନ୍ଦରଙ୍କ ବିରୋଧରେ କୋର୍ଟରେ ମାମଲା ରୁଜୁ ହେବା ପରେ ଏବେ ଘଟଣା ରୋଚକ ମୋଡ଼କୁ ଚାଲି ଆସିଛି। ଲକ୍ଷ୍ମୀସାଗର ଥାନା ପୁଲିସ ଏ ଦିଗରେ ତଦନ୍ତ କ’ଣ କରୁଛି ତାହା ଦେଖିବାକୁ ବାକି ରହିଛି।
ଅନ୍ୟପକ୍ଷରେ ପରବିନ୍ଦରଙ୍କୁ ଆକ୍ରମଣ କରିଥିବା ୩ ଜଣ ଅଭିଯୁକ୍ତ ଦୀପକ ଜେନା, ଦୀପକ ମହାନ୍ତି ଓ ଶଙ୍କର ରାଉତଙ୍କୁ ଜାମିନକୁ ବିରୋଧ କରି ପରବିନ୍ଦର କରିଥିବା ଆବେଦନକୁ ମଧ୍ୟ ଆଜି କୋର୍ଟ ଖାରଜ କରି ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/parbindar.jpg)