ରାଜଧାନୀରେ ଶିଖ୍ ଯୁବକଙ୍କୁ ଆକ୍ରମଣ ପ୍ରସଙ୍ଗ : ବିଜେପି-ବିଜେଡି ମୁହାଁମୁହିଁ

ଭୁବନେଶ୍ବର : ପୁଲିସ ସାମ୍ନାରେ ଶିଖ୍ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ରାଜନୈତିକ ରୂପ ନେଇଛି। ଆଜି ବିଜେପି ସାମ୍ବାଦିକ ସମ୍ମିଳନୀ କରି ଏହି ପ୍ରସଙ୍ଗରେ ସରକାରଙ୍କୁ ବିତର୍କ ଭିତରକୁ ଟାଣିଛି। ପ୍ରତିଜବାବ ଦେଇ ବିଜେଡି କହିଛି, ଅପରାଧକୁ ନେଇ ବିଜେଡି ରାଜନୀତି ଦୁର୍ଭାଗ୍ୟଜନକ।

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର ମୁଖପାତ୍ର ଗୋଲକ ମହାପାତ୍ର ସାମ୍ବାଦିକ ସମ୍ମିଳନୀ ଡାକି କହିଥିଲେ, ମଙ୍ଗଳବାର ପୁଲିସ ସାମ୍ନାରେ ଜଣେ ଶିଖ ବ୍ୟକ୍ତିଙ୍କୁ କିଛି ଅସାମାଜିକ ଗୁଣ୍ଡାମାନେ ମାଡ ମାରିବା ସହ ମରଣାନ୍ତକ ଆକ୍ରମଣ କରିବା ଅତ୍ୟନ୍ତ ନିନ୍ଦନୀୟ ଏବଂ ଦୁର୍ଭାଗ୍ୟଜନକ ଘଟଣା। କମିସନରେଟ୍ ପୁଲିସ ସୁରକ୍ଷା କଥା କହୁଥିବା ସମୟରେ ଖୋଦ୍‌ ସେମାନଙ୍କ ସାମ୍ନାରେ ଗୁଣ୍ଡାମାନେ ଆକ୍ରମଣ କରୁଛନ୍ତି ଏବଂ ପୋଲିସ ଦେଖଣାହାରୀ ସାଜି ଏହି ଦୃଶ୍ୟକୁ ଦେଖୁଛି। ଏହା ପୁଲିସର କି ପ୍ରକାର ମାନସିକତା ବୋଲି ବିଜେପି ପ୍ରଶ୍ନ କରିଛି।

ଶ୍ରୀ ମହାପାତ୍ର କହିଥିଲେ, ସଂପୃକ୍ତ ବ୍ୟକ୍ତି ୧୦୦ ନମ୍ବରକୁ ଫୋନ କରି ଜଣାଇଥିଲେ। ଏହାର ୨୦ ମିନିଟ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଲା ଓ ଜଣେ ବ୍ୟକ୍ତିଙ୍କୁ ପଚରାଉଚରା କରିବା ପାଇଁ ତଳକୁ ଡାକି ପୁଣି ଗୁଣ୍ଡାମାନଙ୍କ ଦ୍ୱାରା ମାଡ ଖୁଆଇବା ଏକ ବିଧିବଦ୍ଧ ଯୋଜନା। କାରଣ ପୁଲିସ ଆଜି ଯେଉଁମାନଙ୍କୁ ଗିରଫ କରିଛି ସେମାନେ ବିଜେଡି ସମର୍ଥିତ କର୍ମୀ। ସେଥିଲାଗି ପୁଲିସ ସୁରକ୍ଷା ଦେବା ପରିବର୍ତେ ଗୁଣ୍ଡାମାନଙ୍କ ଆକ୍ରମଣକୁ ସମର୍ଥନ କରୁଥିଲା। ଯେଉଁମାନେ ଏଥିରେ ଜଡିତ ଅଛନ୍ତି ସମସ୍ତଙ୍କୁ ପୁଲିସ ତୁରନ୍ତ ଗିରଫ କରୁ ଓ ସଂପୃକ୍ତ ପୁଲିସ ଅଫିସରଙ୍କର କି ସଂପର୍କ ରହିଛି, ତାହା ରାଜ୍ୟସରକାରଙ୍କ ଗୃହ ବିଭାଗ ସ୍ପଷ୍ଟ କରୁ। ସଂପୃକ୍ତ ଶିଖ୍ ପରିବାରକୁ ସୁରକ୍ଷା ପ୍ରଦାନ କରାଯାଉ। ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ମଧ୍ୟ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଉପସ୍ଥିତ ଥିଲେ।

ଏହି ଘଟଣାକୁ ବିଜେଡି ଗୁରୁତର ସହ ନେଇଛି। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଏକ ପ୍ରେସ ଇସ୍ତାହାରରେ କହିଛନ୍ତି, ଗତକାଲି ରାଜଧାନୀରେ ଘଟିଥିବା ଆକ୍ରମଣ ଘଟଣା ହେଉଛି ସମ୍ପୂର୍ଣ୍ଣ ରୂପେ ଏକ ଅପରାଧିକ କାର୍ଯ୍ୟକଳାପ। ଏଥିରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ପୁଲିସ୍‍ ତୁରନ୍ତ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବିଜେପି ନେତାମାନେ ମଧ୍ୟ ଏ ସଂକ୍ରାନ୍ତରେ ଭଲଭାବେ ଅବଗତ ଅଛନ୍ତି। ତେଣୁ ଏଭଳି ଏକ ଅପରାଧିକ ଘଟଣାକୁ ନେଇ ରାଜନୀତି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଘଟଣା ସଂକ୍ରାନ୍ତରେ ସରକାର ଅବଗତ ହେବାପରେ କାର୍ଯ୍ୟରେ ଅବହେଳା ପାଇଁ ଜଣେ ପୁଲିସ୍‍ କର୍ମଚାରୀଙ୍କ ବିରୋଧରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଘଟଣାରେ ଜଡିତ ତିନିଜଣଙ୍କୁ ପୁଲିସ୍‍ ଗିରଫ କରିଛି। ତେଣୁ ଏଭଳି ଏକ ଅପରାଧିକ କାର୍ଯ୍ୟକଳାପକୁ ନେଇ ବିଜେପି ରାଜନୀତି କରିବା ଉଚିତ୍‍ ନୁହେଁ । ବିଜେପି ହାତରେ ଏବେ କୌଣସି ପ୍ରସଙ୍ଗ ନଥିବାରୁ ଅପରାଧିକ କାର୍ଯ୍ୟକଳାପକୁ ନେଇ ସେମାନେ ରାଜନୀତି କରୁଛନ୍ତି ବୋଲି ବିଜେଡି ସମାଲୋଚନା କରିଛି।

ସମ୍ବନ୍ଧିତ ଖବର