ତହସିଲଦାରଙ୍କୁ ମାଫିଆଙ୍କ ମରଣାନ୍ତକ ଆକ୍ରମଣ: ଜେସିବି ଚଢ଼ାଇ ହତ୍ୟା ଉଦ୍ୟମ

ଆର୍‌ଆଇ, କିରାଣିଙ୍କୁ ବି ମାଡ଼, ୨ ଗିରଫ, ଟ୍ରାକ୍ଟର୍‌ ଜବତ

ପର୍ଜଙ୍ଗ / କାମାକ୍ଷାନଗର : ମାଟି ଚୋରଙ୍କ ଉତ୍ପାତ ଏମିତି ବଢ଼ିଗଲାଣି ଯେ ପ୍ରଶାସନ କି ପ୍ରଶାସନିକ ଅଧିକାରୀଙ୍କୁ ବି ଖାତିର ନାହିଁ। ମାଡ଼ମାରି ନାଲି ଆଖି ଦେଖାଇ ବେଆଇନ୍‌ କାମ କରୁଛନ୍ତି। କାର୍ଯ୍ୟାନୁଷ୍ଠାନ ନେଲେ ହତ୍ୟା ଉଦ୍ୟମ କରୁଛନ୍ତି। ଗୋଡ଼ାଇ ଗୋଡ଼ାଇ ମାଡ଼ ମାରୁଛନ୍ତି। ଏପରି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ପଥରଖମ୍ବ ଗ୍ରାମ ନିକଟରେ। ଆଜି ପର୍ଜଙ୍ଗ ତହସିଲଦାରଙ୍କୁ ମାଟି ମାଫିଆମାନେ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି। ତାଙ୍କ ଉପରେ ଜେସିବି ଚଢ଼ାଇ ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ମାଫିଆମାନଙ୍କ ମାଡ଼ରୁ ପର୍ଜଙ୍ଗ ରାଜସ୍ବ ନିରୀକ୍ଷକ ଓ କନିଷ୍ଠ କିରାଣି ମଧ୍ୟ ବର୍ତ୍ତିନାହାନ୍ତି। ଏହି ଘଟଣାରେ କାମାକ୍ଷାନଗର ପୁଲିସ ଏକ ଟ୍ରାକ୍ଟର୍‌ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି।

ଶୁକ୍ରବାର ଅପରାହ୍ନ ପ୍ରାୟ ୧ଟା ୪୫ ମିନିଟ୍ ସମୟରେ ଏହି ଅଭାବନୀୟ ଘଟଣା ଘଟିଛି। ପର୍ଜଙ୍ଗ ବ୍ଲକ୍‌ ପଥରଖମ୍ବ ଗ୍ରାମ ନିକଟରେ ଏକ ସରକାରୀ ଜମିରୁ ଜେସିବି ମାଧ୍ୟମରେ ବେଆଇନ ଭାବେ ମାଟି ଖୋଳା ଯାଉଥିବା ଖବର ପାଇ ପର୍ଜଙ୍ଗ ତହସିଲଦାର ସିରିୟାଲ ଶୁଭ୍ର ପଟେଲ୍‌ ଚଢ଼ଉ ପାଇଁ ଯାଇଥିଲେ। ସେଠାରେ ବେଆଇନ ଭାବେ ମାଟି ଉଠାଯାଉଥିବା ଦେଖି ତହସିଲଦାର ଶ୍ରୀ ପଟେଲ୍ ନିଜ ମୋବାଇଲ୍‌ରେ ଏହାର ଫଟୋ ଉଠାଉଥିଲେ। ଏହିସମୟରେ ସେଠାରେ ଉପସ୍ଥିତ ଥିବା ୮ରୁ ୧୦ଜଣ ମାଫିଆ ଜେସିବିକୁ ତହସିଲଦାରଙ୍କ ଉପରକୁ ଚଢ଼ାଇ ଦେବାକୁ ଉଦ୍ୟମ କରିଥିଲେ। ଏହାଦେଖି ତହସିଲଦାର ଶ୍ରୀ ପଟେଲ୍ ପ୍ରାଣ ବିକଳରେ ସେଠାରୁ ଦୌଡ଼ି ପଳାଇବାରୁ ମାଫିଆମାନେ ତାଙ୍କ ସାର୍ଟକୁ ଧରି ଘୋଷାରି ଆଣିଥି‌ଲେ। ପରେ ପାଖରେ ଥିବା ଏକ ଗଛର ଡାଳ ଭାଙ୍ଗି ସେଥିରେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏ ଖବର ପାଇ ପର୍ଜଙ୍ଗ ରାଜସ୍ୱ ନିରୀକ୍ଷକ ଆଲୋକ ଲେଙ୍କା ଓ ତହସିଲ କାର୍ଯ୍ୟାଳୟର କନିଷ୍ଠ କିରାଣି ପ୍ରେମାନନ୍ଦ ବେହେରା ସେଠାରେ ପହଞ୍ଚି ବାରଣ କରିବାରୁ ତାଙ୍କୁ ମଧ୍ୟ ମାଫିଆମାନେ ମାଡ଼ ମାରିଥିଲେ। ପର୍ଜଙ୍ଗ ତହସିଲଦାର ଶ୍ରୀ ପଟେଲ୍‌ଙ୍କ ମୁଣ୍ଡ, ମୁହଁ ଓ ହାତରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି।

ସମସ୍ତଙ୍କୁ ଚିକିତ୍ସା ପାଇଁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଖବର ପାଇ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ, ସ୍ଥାନୀୟ ବିଧାୟକ ଡାକ୍ତର ନୃସିଂହ ସାହୁ ଡାକ୍ତରଖାନାରେ ପହଞ୍ଚି ତହସିଲଦାରଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।

ଏ ଆକ୍ରମଣ ଘଟଣା ନେଇ ତହସିଲଦାର ଶ୍ରୀ ପଟେଲ୍ କାମାକ୍ଷାନଗର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଟ୍ରାକ୍ଟର ଜବତ କରିବ‌ା ସହ ୨ଜଣଙ୍କୁ ଗିରଫ କରିଛି। ଏ ନେଇ ଅଧିକ ତଦନ୍ତ ଜାରି ରହିଥିବା କାମାକ୍ଷାନଗର ଏସ୍‌ଡିପିଓ ରଂଜନ କୁମାର ଦେ କହିଛନ୍ତି।

ସମ୍ବନ୍ଧିତ ଖବର