ବାଲେଶ୍ବର ସଦର ପରେ ଆର୍‌.ଉଦୟଗିରି; ତହସିଲ୍‌ଦାର୍‌ଙ୍କୁ ଆକ୍ରମଣ ସହ ପଥରମାଡ଼

ବାହାଘର ଭୋଜିରେ ଚଢ଼ଉ କରିଥିଲେ, ଗାଡ଼ି ଭଙ୍ଗାରୁଜା, ଡ୍ରାଇଭର୍‌ ଓ ଯବାନ ମଧ୍ୟ ଆହତ

ରା.ଉଦୟଗିରି : ଦୁଇଦିନ ତଳେ ଏକା‌ଦଶାହ ଭୋଜିରେ ଚଢ଼ଉ ବେଳେ ବାଲେଶ୍ବର ସଦର ତହସିଲ୍‌ଦାର୍‌ ଲୋକଙ୍କ ଆକ୍ରୋଶର ଶିକାର ‌ହୋଇଥିଲେ। ଗଜପତି ଜିଲ୍ଲା ଅନ୍ତର୍ଗତ ଆର୍‌.ଉଦୟଗିରିର ତହସିଲ୍‌ଦାର୍‌ଙ୍କ କ୍ଷେତ୍ରରେ ମଧ୍ୟ ସମାନ ଘଟଣା ଘଟିଛି। ଏକ ବାହାଘର ଭୋଜିରେ ଚଢ଼ଉ କରିବାକୁ ଯାଇଥିବାବେଳେ ଲୋକମାନେ ତାଙ୍କୁ ଆକ୍ରମଣର କରିଛନ୍ତି। ସାହି ଭିତରୁ ପିଟିପିଟି ଆଣିବା ସହିତ ପଥରମାଡ଼ କରିଛନ୍ତି। ପଥ‌ରମାଡ଼ରେ ତହସିଲ୍‌ଦାର୍‌ ଓ ତାଙ୍କ ସହିତ ଯାଇଥିବା ୩ ଜଣ ଯବାନ୍‌ ଆହତ ହୋଇଛନ୍ତି। ଏପରିକି ଉତ୍ତ୍ୟକ୍ତ ଲୋକମାନେ ତହସିଲ୍‌ଦାର୍‌ଙ୍କ ଗାଡ଼ିକୁ ବି ଭଙ୍ଗାରୁଜା କରିଛନ୍ତି।

କରୋନା ପାଇଁ ସରକାର ବାହାଘର ଓ ଅନ୍ତ୍ୟେଷ୍ଟିକ୍ରିୟା ଉପରେ କଟକଣା ଜାରି କରିଛନ୍ତି। ନିର୍ଦ୍ଦିଷ୍ଟ କେତେଜଣଙ୍କୁ ନେଇ ଏସବୁ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ, ଗୋଟିଏପଟେ ମହାମାରୀ ଲୋକଙ୍କ ଜୀବନ ସହ ଖେଳୁଥିବାବେଳେ ସଂକ୍ରମଣ ରୋକିବାକୁ କୋଭିଡ୍‌ ଗାଇଡ଼୍‌ଲାଇନ୍‌ ମାନିବାକୁ ମଧ୍ୟ ଲୋକେ ନାରାଜ୍‌। ଫଳରେ, ଅମାନିଆଙ୍କ ଆକ୍ରୋଶର ଶିକାର ହେଉଛନ୍ତି ଜଣକ ପରେ ଜଣେ ପ୍ରାଶାସନିକ ଅଧିକାରୀ। ମିଳିଥିବା ସୂଚନା ଅନୁସାରେ, ରା.ଉଦୟଗିରି ଠାରୁ ୧୩ କିମି. ଦୂର ଛେଳିଗଡ଼ ଖ୍ରୀଷ୍ଟିଆନ ସାହିରେ ଚାଲିଥିବା ଏକ ବାହାଘର କାର୍ଯ୍ୟକ୍ରମରେ କୋଭିଡ୍‌ ନିୟମ ଉଲ୍ଲଂଘନ କରାଯାଉଥିବା ସୂଚନା ପହଞ୍ଚିଥିଲା। ରା. ଉଦୟଗିରି ତହସିଲଦାର ସ୍ମୃତିରଞ୍ଜନ ଶତପଥୀ ଏହାକୁ ବନ୍ଦ କରିବାକୁ ଯାଇଥିଲେ। ହେଲେ ସେଠାରେ ତହସିଲଦାରଙ୍କୁ ଲୋକେ ପଥରରେ ଆକ୍ରମଣ କରିଥିଲେ। ସାହି ଭିତରୁ ତହସିଲଦାରଙ୍କୁ ପିଟିପିଟି ଆଣିଥିଲେ। ଏହି ସମୟରେ ବିଦ୍ୟୁତ ଚାଲିଯିବାରୁ ଲୋକମାନେ ପଥରମାଡ଼ ମଧ୍ୟ ଆରମ୍ଭ କରିଥିଲେ। ଗୋଟିଏ ପଥର ତହସିଲଦାରଙ୍କ ଠିକ୍‌ କପାଳରେ ବାଜିଥିଲା। ଏଥିସହ ତହସିଲଦାରଙ୍କ ସାଙ୍ଗରେ ଯାଇଥିବା ଓଏସ୍ଏ‌ପି ତୃତୀୟ ବାଟାଲିୟନ୍‌ର ୩ଜଣ ଯବାନ ମଧ୍ୟ ପଥରମାଡ଼ରେ ଆହତ ହୋଇଥିଲେ। ଆକ୍ରମଣକାରୀ ତହସିଲଦାରଙ୍କ ଗାଡ଼ି ମଧ୍ୟ ଭଙ୍ଗାରୁଜା କରିବା ସହ ଡ୍ରାଇଭରଙ୍କୁ ମଧ୍ୟ ମାଡ଼ ମାରି ଆହତ କରିଥିବା ଜଣାପଡ଼ିଛି ।

କିଛି ପୁଲିସ କର୍ମଚାରୀଙ୍କ ସହାୟତାରେ ତହସିଲଦାରଙ୍କୁ ରା.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବିଡିଓ ପ୍ରଦୀପ କୁମାର ନାୟକ ଏବଂ ଏସ୍‌ଡିପିଓ ଦିଲ୍ଲୀପ କୁମାର ନାୟକ ମେଡିକାଲ୍‌ରେ ପହଞ୍ଚି ଚିକିତ୍ସା ବ୍ୟବସ୍ଥା ତଦାରଖ କରିଛନ୍ତି। କୋଭିଡ୍‌ ନିୟମ ଉଲ୍ଲଂଘନ ସହ ତହସିଲଦାରଙ୍କୁ ମାଡ଼ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ଏବଂ ଏଥିରେ କାହାକୁ ଦୟା ଦେଖାଇବାର ପ୍ରଶ୍ନ ନାହିଁ ବୋଲି ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି। ଅନ୍ୟପକ୍ଷ‌ରେ, ଜିଲ୍ଲା ଏସ୍.ପିଙ୍କ ନିର୍ଦ୍ଦେଶରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।

ଏଠାରେ ସୂଚନାଯୋଗ୍ୟ ଯେ, ଗତ ୫ ତାରିଖ ଦିନ ବାଲେଶ୍ବର ସଦର ଅଞ୍ଚଳରେ ଏକ ଅନ୍ତ୍ୟେଷ୍ଟି କ୍ରିୟାରେ ଭୋଜି ହେଉଥିବା ଖବର ପାଇ ସ୍ଥାନୀୟ ତହସିଲ୍‌ଦାର୍‌ ଅନାମିକା ସିଂହ ଚଢ଼ଉ କରିବା ସମୟରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଗାଳିଗୁଲଜ କରିବା ସହିତ ତାଙ୍କ ସହିତ ଯାଇଥିବା କର୍ମଚାରୀଙ୍କୁ ଠେଙ୍ଗାବାଡ଼ିରେ ଆକ୍ରମଣ କରିଥିଲେ। ସେଠାରେ ପ୍ରାୟ ଘଣ୍ଟାଏ କାଳ ଖଣ୍ଡଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ପରଦିନ ଘଟଣାର ପ୍ରତିବାଦରେ ତହସିଲ୍‌ଦାର୍‌ ନିଜ ସିଟ୍‌ରେ ବସିନଥିଲେ, ଯାହାକୁ ନେଇ ଚର୍ଚ୍ଚା ହୋଇଥିଲା।

ସମ୍ବନ୍ଧିତ ଖବର