ଜିଲ୍ଲାରେ ବାଲି ମାଫିଆଙ୍କ ଆତଙ୍କରାଜ : ତହସିଲଦାରଙ୍କୁ ମାଡ଼, ହତ୍ୟା ଧମକ, ବାଲି ବୋଝେଇ ଗାଡ଼ି ଛଡାଇନେଲେ

ବାରବାଟୀ : ଜିଲ୍ଲାରେ ଲଘୁ ଖଣିଜ ଆଇନକୁ ମୋଡ଼ିମକଚି ମାଫିଆମାନେ ଦୈନିକ ଲକ୍ଷ ଲକ୍ଷ ଟଙ୍କାର ଲଖୁ ଖଣିଜ ଦ୍ରବ୍ୟ ଲୁଟ କରୁଥିବା ବେଳେ ଏହାକୁ ରୋକିବାକୁ ଯାଉଥିବା ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବାକୁ ପଛାଉ ନାହାନ୍ତି। ପୂର୍ବରୁ ଯାଜପୁର ତହସିଲଦାର ଏବଂ ବ୍ୟାସନଗର ତହସିଲଦାରଙ୍କୁ ମାଫିଆମାନେ ମାଡ଼ ମାରିଥିବା ‌ବେଳେ ଆଜି ରସୁଲପୁର ତହସିଲଦାର ମଧ୍ୟ ବାଲି ମାଫିଆଙ୍କ ରୋଷର ଶିକାର ହୋଇଛନ୍ତି। ଆଜି ବେଆଇନ ବାଲିଘାଟରେ ଚଢ଼ଉ କରୁଥିବା ‌ବେଳେ ମାଫିଆମାନେ ତାଙ୍କୁ ମାଡ଼ ମାରିବା ସହିତ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ନେଇ କୁଆଖିଆ ଥାନାରେ ତହସିଲଦାର ଜ୍ୟୋତିକାନ୍ତ ଭୂଜବଳ ଅଭିଯୋଗ କରିଛନ୍ତି।

ରସୁଲପୁର ତହସିଲ ଅଧୀନସ୍ଥ ରାଜେନ୍ଦ୍ରପୁର ପଞ୍ଚାୟତ କରଜଙ୍ଗା ସ୍ଥିତ ନିଲାମୀ ଘାଟରୁ ବାଲି ଉଠାଣ ବନ୍ଦ ରହିଛି। ବାଲି ମାଫିଆମାନେ ବେଆଇନ ବାଲି ଘାଟ ଚଲାଉଛନ୍ତି। ବେଆଇନ ବାଲିଘାଟରୁ ବାଲି ଉଠୁଥିବା ନେଇ ରସୁଲପୁର ତହସିଲଦାରଙ୍କ ନିକଟରେ ଅଭିଯୋଗ ହୋଇଥିଲା। ତହସିଲଦାର ଶ୍ରୀ ଭୂଜବଳ, ସୁପରଭାଇଜର, ମହେଶ୍ୱର ସେଠୀ, ରାଜସ୍ୱ ନିରୀକ୍ଷକ ଓ କୁଆଖିଆ ଥାନାର ଦୁଇଜଣ ପୁଲିସ କନେଷ୍ଟବଳଙ୍କୁ ନେଇ ଘଟଣାସ୍ଥଳକୁ ଯାଇଥିଲେ। ନିଲାମୀ ବାଲିଘାଟଠାରୁ ଅଳ୍ପ କିଛି ଦୂରରେ ଥିବା ଏକ ବେଆଇନ ବାଲିଘାଟରୁ ଟ୍ରାକ୍ଟରରେ ବାଲି ଉଠୁଥିବାର ଦେଖି ବାଲି ପରିବହନରେ ବ୍ୟବହୃତ ୩ଟି ଟ୍ରାକ୍ଟରକୁ ଜବତ କରିଥିଲେ। ଟ୍ରାକ୍ଟର ଗୁଡିକୁ ଅଟକାଇବା ସମୟରେ ବାବୁଲା ଜେନା ଓ ତାଙ୍କର ସମର୍ଥକମାନେ ଘଟଣାସ୍ଥଳରେ ପହଞ୍ଚି ତହସିଲଦାରଙ୍କୁ ଗାଳିଗୁଲଜ କରିବା ସହ ମାଡ ମାରିଥିଲେ। ଏହା ସହିତ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ପୁଲିସ ଜବତ ୩ଟି ଟ୍ରାକ୍ଟରକୁ ଥାନାକୁ ଆଣିବା ବେଳେ ବାବୁଲା ଓ ତାର ସହଯୋଗୀ ଗୋଟିଏ ଟ୍ରାକ୍ଟରକୁ ଛଡ଼ାଇ ନେଇଯାଇଥିଲେ। ପୁଲିସ ଦୁଇଟି ବାଲି ବୋଝେଇ ଟ୍ରାକ୍ଟରକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି। ପୁଲିସ ବାବୁଲା ଜେନା, ଦୀପୁ ଜେନା, ଚନ୍ଦନ ମଲିକ ଏବଂ କପିଳ ପଲେଇଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ବାବୁଲାଙ୍କ ନାମରେ ପୂର୍ବରୁ ଥାନାରେ ଏକାଧିକ ମାମଲା ରହିଛି। ଏହାଛଡା ଗତ ୨ମାସ ପୂର୍ବରୁ ବେଆଇନ ବାଲିଘାଟରୁ ବାଲି ଉଠାଉଥିବା ଏକ ଟ୍ରାକ୍ଟରକୁ ତହସିଲଦାର ଜବତ ତହସିଲ କାର୍ଯ୍ୟାଳୟକୁ ଆଣିଥିଲେ। ସେତେବେଳ ଏହାକୁ ଥାନାରୁ ମଧ୍ୟ ଛଡ଼ାଇ ନିଆଯାଇଥିଲା।

ସମ୍ବନ୍ଧିତ ଖବର