ଜଟଣୀ : ଜଟଣୀ ତରାବୋଇଠାରେ ଏକ ମାଙ୍କଡ଼ା ପଥର ବୋଝେଇ ଟ୍ରାକ୍ଟର ଜବତ କରିବା ଜଟଣୀ ତହସିଲ କର୍ତ୍ତୃପକ୍ଷଙ୍କୁ ମହଙ୍ଗା ପଡ଼ିଛି। ଦୁର୍ବୃତ୍ତମାନେ ଜଟଣୀ ତହସିଲଦାର, ଆର୍ଆଇଙ୍କୁ ଆକ୍ରମଣ କରିବା ସହ ସେମନଙ୍କ ବୋଲେରୋ ଗାଡ଼ିଟିକୁ ଭାଙ୍ଗି ଦେଇଛନ୍ତି। କେବଳ ସେତିକି ନୁହେଁ, ରାଜସ୍ବ ଅଧିକାରୀଙ୍କୁ ଭୟଭୀତ କରି ଦୁର୍ବୃତ୍ତମାନେ ଜବତ ମାଙ୍କଡ଼ା ପଥର ବୋଝେଇ ଟ୍ରାକ୍ଟରଟିକୁ ଜୋରଜବରଦସ୍ତ ସେମାନଙ୍କଠାରୁ ଛଡ଼େଇ ନେଇଛନ୍ତି। ଏ ନେଇ ଜଟଣୀ ତହସିଲଦାର ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଜଟଣୀରେ ଏବେ ପଥର ମାଫିଆଙ୍କ ଉପଦ୍ରବ ପୁଣି ଆରମ୍ଭ ହୋଇଛି। ବେନିୟମ ମାଙ୍କଡ଼ା ପଥର ଓ ମୋରମ୍ ଖଣି କାରବାରରେ ସାମିଲ୍ ହୋଇଛନ୍ତି ମାଫିଆ । ପ୍ରଶାସନକୁ ଖୋଲା ଆହ୍ବାନ ଦେଇ ଦିନରାତି ଚାଲିଛି ଖଣି ଖୋଳା ଓ ଚୋରାଚାଲାଣ। ଏହିକ୍ରମରେ ଜଟଣୀ ତହସିଲଦାର ଓ ଆର୍ଆଇ ତରାବୋଇକୁ ଚଢ଼ଉ ପାଇଁ ଯାଇଥିଲେ। ଏକ ମାଙ୍କଡ଼ା ପଥର ବୋଝେଇ ଟ୍ରାକ୍ଟରର ପିଛା କରି ଅଧିକାରୀମାନେ ଗଡ଼ଖୋର୍ଦ୍ଧା ଛକରେ ଧରିଥିଲେ। ଜବତ ଗାଡ଼ିଟିକୁ ଧରି ରାଜସ୍ବ ଅଧିକାରୀମାନେ ଜଟଣୀ ତହସିଲକୁ ଫେରୁଥିବାବେଳେ ଖବର ପାଇ ସେଠାରେ ୧୫ରୁ୨୦ଜଣ ପଥର ମାଫିଆ ଓ ତାଙ୍କର ଅନୁଗାମୀ ୧୦ଟି ବାଇକ୍ରେ ସେଠାରେ ପହଞ୍ଚି ସେମାନଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ଚଢ଼ଉରେ ସାମିଲ୍ ହୋଇଥିବା ଜଟଣୀ ତହସିଲଦାରଙ୍କ ବୋଲେରୋ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ତେବେ ଆକ୍ରମଣରୁ ଉଭୟ ତହସିଲଦାର ଓ ଆର୍ଆଇ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏପରିକି ଚଢ଼ଉରେ ଜବତ ହୋଇଥିବା ମାଙ୍କଡ଼ା ପଥର ବୋଝେଇ ଟ୍ରାକ୍ଟରକୁ ଦୁର୍ବୃତ୍ତମାନେ ଛଡ଼େଇ ନେଇ ପଳାଇଥିଲେ । ଏହି ଘଟଣା ସକାଳ ୧୧ଟା ବେଳେ ହୋଇଥିବା ସମୟରେ ଏନେଇ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡିରେ ଜଟଣୀ ତହସିଲଦାର ତପନ କୁମାର ମହାପାତ୍ର ଲିଖିତ ଏତଲା ଦେଇଛନ୍ତି। ଅପରପକ୍ଷେ ଏହି ଘଟଣାକୁ ଗୁରୁତର ସହ ତଦନ୍ତ କରାଯାଉଥିବା ଏବଂ ଅଭିଯୁକ୍ତମାନଙ୍କୁ ଖୁବ୍ଶୀଘ୍ର ଧରିବାକୁ ଉଦ୍ୟମ ଜାରି ରହିଥିବା ଖୋର୍ଦ୍ଧା ଏସ୍ପି ଅଜୟ ପ୍ରତାପ ସ୍ବାଇଁ କହିଛନ୍ତି।
ସୂଚନାଯୋଗ୍ୟ ଯେ, ପୂର୍ବରୁ ଜଟଣୀ ତହସିଲ ଅଞ୍ଚଳରେ ଖଣି ମାଫିଆମାନେ ସେମାନଙ୍କ ଆତଙ୍କରାଜର ପ୍ରମାଣ ଦେଇସାରିଛନ୍ତି। ପ୍ରାୟ ୪ ବର୍ଷ ତଳେ ତତ୍କାଳୀନ ଜଟଣୀ ତହସିଲଦାର ବିଜୟ କୁମାର ସ୍ବାଇଁ ମାଙ୍କଡ଼ା ପଥର ଖଣି ଉପରେ ବାରମ୍ବାର ଚଢ଼ଉ କରିବାରୁ ଖଣି ମାଫିଆମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ।