ମଦକୁ ବିରୋଧ କରି ମରଣାନ୍ତକ ଆକ୍ରମଣର ଶିକାର ହେଲେ ଶିକ୍ଷକ, ଗୁରୁତର ଅବସ୍ଥାରେ ଜିଲ୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର

ବାଲେଶ୍ବର : ମଦ ବିକ୍ରିକୁ କେନ୍ଦ୍ର କରି ଖଇରା ବ୍ଲକ ଗୁଆପାଳ ଗ୍ରାମରେ ଜଣେ ଶିକ୍ଷକଙ୍କୁ ଭୁଜାଲି‌େର ମରଣାନ୍ତକ ଆକ୍ରମଣ କରାଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଖଇରା ଓ ପରେ ବାଲେଶ୍ବର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଆକ୍ରମଣର ଶିକାର ହୋଇଥିବା ସମ୍ପୃକ୍ତ ଶିକ୍ଷକଙ୍କ ନାଁ ଗୋପାଳ ଜେନା।

ମିଳିଥିବା ସୂଚନା ମୁତାବକ, ଖଇରା ବ୍ଲକ ଗୁଆପାଳ ଗ୍ରାମରେ ଥିବା ଏକ ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ଅକ୍ଷୟ ମହାରଣା ନାମକ ବ୍ୟକ୍ତି ମଦଦୋକାନ କରି ବିକ୍ରି କରିଛନ୍ତି। ଯାହା ଅଙ୍ଗନବାଡ଼ିକୁ ଆସୁଥିବା କୋମଳମତି ପିଲାମାନଙ୍କ ଉପରେ କୁପ୍ରଭାବ ପଡ଼ୁଛି। ସେଥିପାଇଁ ସେହି ଗ୍ରାମର ଗୋପାଳ ଜେନା ବାରମ୍ବାର ମଦବିକ୍ରିକୁ ବିରୋଧ କରିଆସୁଥିଲେ। ତେବେ ତାଙ୍କ ଉପରେ ସମ୍ପୃକ୍ତ ବ୍ୟକ୍ତି ରାଗ ରଖିଥିଲା। ଗତକାଲି ରାତିରେ ଗୋପାଳ ଅକ୍ଷୟର ଦୋକାନ ନିକଟରେ ଛିଡ଼ା ହୋଇଥିବା ବେଳେ ଅକ୍ଷୟ ମହାରଣା ଓ ତାଙ୍କର ଜଣେ ସହଯୋଗୀ ଗୋପାଳଙ୍କ ମୁଣ୍ଡକୁ ଏକ କାଠଫାଳିଆରେ ପ୍ରଥମେ ଏବଂ ପରେ ଭୁଜାଲି ଓ ଲୁହାରଡ଼ରେ ଆକ୍ରମଣ କରିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଗୋପାଳଙ୍କୁ ଘୋଷାରି ଘୋଷାରି ଆଣି ମରି ଯାଇଥିବା ଭାବି କିଛିବାଟରେ ଥିବା ଏକ ନାଳରେ ପକାଇ ପଳେଇ ଯାଇଥିଲେ। ଘର ଲୋକ ବହୁ ଖୋଜାଖୋଜି ପରେ ଗାଁ ଲୋକମାନେ ମଧ୍ୟ ତାଙ୍କୁ ନାଳରେ ପଡ଼ିଥିବାର ଦେଖିବାକୁ ପାଇଥିଲେ। ଏହାପରେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଖଇରା ଏବଂ ପରେ ବାଲେଶ୍ବର ବଡ଼ ଡାକ୍ତରଖାନାକୁ ଆଣିଥିଲେ। ଗୋପାଳ ସ୍ଥାନୀୟ ସୁଆଁପଦା ପ୍ରାଇମେରୀ ବିଦ୍ୟାଳୟରେ ଶିକ୍ଷକତା କରନ୍ତି। ଗୋପାଳଙ୍କର ମା’ ମଞ୍ଜୁଲତା ଜେନାଙ୍କର ଅଭିଯୋଗ ଭିତ୍ତିରେ ଖଇରା ପୁଲିସ ଏନେଇ ଏକ ମାମଲା ରୁଜୁ କରିଥିବା ବେଳେ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର