ହାଟଡିହି: ହାଟଡିହି ବ୍ଲକ୍‌ ବଉଳା କ୍ରୋମାଇଟ ମାଇନ୍‌ସ ୱାର୍କର୍ସ ୟୁନିଅନକୁ ନିଜ କବ୍‌ଜାକୁ ନେବା ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି। ଏହାକୁ ନେଇ ଅଶାନ୍ତ ହେଉଛି ବଉଳା ଖଣି ଅଞ୍ଚଳ। ଗତକାଲି ରାତିରେ ୟୁନିଅନର ସମ୍ପାଦକ ରବୀନ୍ଦ୍ର କୁମାର ପୃଷ୍ଟିଙ୍କ ଘର ଉପରରେ ଆକ୍ରମଣ ହୋଇଛି। କିଛି ଯୁବକ ତାଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହ ତାଙ୍କ କାର୍‌ ଭାଙ୍ଗି ଦେଇଛନ୍ତି। ଏନେଇ ଶ୍ରୀ ପୃଷ୍ଟି ସୋସୋ ଥାନାରେ ଅଭିଯୋଗ କରିଛନ୍ତି।

Advertisment

ବଉଳା କ୍ରୋମାଇଟ ମାଇନ୍‌ସ ୱାର୍କର୍ସ ୟୁନିଅନ ନାମରେ ଏକ ଶ୍ରିମକ ସଂଗଠନ କାର୍ଯ୍ୟ କରୁଥିଲା। ଯାହାର ସମ୍ପଦକ ଅଚନ୍ତି ବାଙ୍ଗୋର ଗ୍ରାମର ରବୀନ୍ଦ୍ର କୁମାର ପୃଷ୍ଟି। ସେ କିଛିମାସ ହେଲା କେନ୍ଦୁଝରରେ ରହିଆସୁଥିଲେ। ଇତିମଧ୍ୟରେ ଅନ୍ୟ ଏକ ଗୋଷ୍ଠୀ ଆଉ ଏକ ଶ୍ରମିକ ସଂଗଠନ କରି ତାହାର ସ୍ୱୀକୃତି ପାଇଁ ଲାଗିପଡିଛନ୍ତି। ଗତକାଲି ରବୀନ୍ଦ୍ର ଗାଁକୁ ଫେରୁଥିବା ଖବର ପାଇ ୧୦/୧୫ଜଣ ଯୁବକ ବାଙ୍ଗୋର ଗେଟ୍‌ଛକରେ ତାଙ୍କୁ ଗାଁ ଭିତରକୁ ପୂରାଇ ନ ଦେବାକୁ ଠେଙ୍ଗାବାଡ଼ି ଧରି ଜଗି ରହିଥିଲେ। ଖବର ପାଇ ବିଦ୍ୟାଧରପୁର, ଗହଳାଡାହି ଗ୍ରାମରେ ଥିବା ରବୀନ୍ଦ୍ରଙ୍କ ସମର୍ଥକମାନେ ଏକାଠି ହୋଇ ବିଦ୍ୟାଧରପୁରଠାରୁ ରବୀନ୍ଦ୍ରଙ୍କୁ ସୁରକ୍ଷା ଦେଇ ଗାଁରେ ନେଇ ଛାଡ଼ିଥିଲେ। ରବୀନ୍ଦ୍ରଙ୍କ ସମର୍ଥକମାନେ ଅଧିକ ସଂଖ୍ୟାରେ ଥିବାରୁ ଛକରେ ବସିଥିବା ଯୁବକମାନେ ଲୁଚି ଯାଇଥିଲେ।

ସମର୍ଥକମାନେ ଫେରି ଆସିବା ପରେ ୧୦/୧୨ଜଣ ଯୁବକ ରାତିରେ ରବୀନ୍ଦ୍ରଙ୍କ ଘର ଉପରକୁ ଟେକାପଥର ମାଡ଼ କରିବା ସହ ଗାଳି ଗୁଲଜ କରିଥିଲେ। ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ତାଙ୍କ ଗ୍ରିଲ୍‌ ଭାଙ୍ଗି ଭିତରେ ପଶିବା ସହ କାର୍‌ ଭଙ୍ଗାରୁଜା କରିଥିଲେ। ଫଳରେ ରବୀନ୍ଦ୍ରଙ୍କ ପରିବାର ଲୋକେ ଭୟଭୀତ ଅବସ୍ଥାରେ ରାତି କଟାଇଥିଲେ। ଆଜି ରବୀନ୍ଦ୍ର ଏନେଇ ସୋସୋ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।