ବଲାଙ୍ଗୀର: ବଲାଙ୍ଗୀର ସହର ଭିତରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁଇଜଣ ଅଧ୍ୟାପକଙ୍କୁ ଲୁଟ୍ ଉଦ୍ୟମ କରିଥିଲେ ଦୁର୍ବୃତ୍ତ। ବିଫଳ ହେବାରୁ ଖଣ୍ଡାରେ ହାଣି ଫେରାର ମାରିଥିଲେ। ରାତି ପ୍ରାୟ ୧୨ଟାରେ ଏସ୍ଆଇଏଚ୍ଏମ୍ ବା ଷ୍ଟେଟ୍ ଇନଷ୍ଟଚ୍ୟୁଟ ଅଫ୍ ହୋଟେଲ ମ୍ୟାନେଜମେଣ୍ଟର ଅଧ୍ୟାପକ ସାହିଲ ସାହୁ ପ୍ୟାଲେସଲାଇନ ପଡାରୁ ବାହାରି ବାଇକ୍ରେ ରେଲୱେ ଷ୍ଟେସନକୁ ଯାଉଥିଲେ। ହଠାତ ରାଜୀବନଗର ହେଲିପ୍ୟାଡ ନିକଟରେ ଦୁଇଟି ବାଇକରେ ଚାରିଜଣ ଯୁବକ ଆସି ତାଙ୍କଠାରୁ ବାଇକ ଲୁଟ୍ କରିବା ଉଦ୍ୟମ କରିଥିଲେ।
ବାଧା ଦେବାରୁ ଖଣ୍ଡାରେ ଆକ୍ରମଣ କରିଥିଲେ। ତାପରେ ନିଜକୁ ବଞ୍ଚାଇବାକୁ ଯାଇ ସାହିଲ ରାଜୀବନଗରପଡାରେ ରହୁଥିବା ତାଙ୍କ ଆଉଜଣେ ସହକର୍ମୀ ବିଜୟ କିରଣଙ୍କୁ ଡାକିଥିଲେ। ଲୁଟେରାମାନେ ପିଛା କରି ସାହିଲଙ୍କୁ ପୁଣିଥରେ ଆକ୍ରମଣ କରିଥିଲେ। ସହକର୍ମୀ ବିଜୟ ଘର ବାହାରକୁ ଆସି ସାହିଲଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ଲୁଟେରାମାନେ ବିଜୟଙ୍କୁ ମଧ୍ୟ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ବିଜୟଙ୍କ ନିକଟରୁ ମୋବାଇଲ ଲୁଟ୍କରି ଫେରାର ମାରିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୁଇ ଅଧ୍ୟାପକ ରାସ୍ତା ଉପରେ ପଡ଼ିଥିଲେ। ପୁଲିସ ପେଟ୍ରୋଲିଂ ଟିମ୍ ଦୁଇ ଗୁରୁତର ଯୁବକଙ୍କୁ ଉଦ୍ଧାର କରି ଭୀମ ଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଥିଲେ। ବିଜୟ କିରଣଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଗୁରୁତର ସାହିଲ ଝାରସୁଗୁଡ଼ା ବାସିନ୍ଦା ହୋଇଥିବା ବେଳେ ବିଜୟ କିରଣ ଆନ୍ଧ୍ରପ୍ରଦେଶ ରାଜମଣ୍ଡ୍ରିର ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/attack1.jpg)