ସୈତାନ ଦାଦନ ସର୍ଦ୍ଦାର! ଇଟାଭାଟିରେ ଦୁଇ ନାବାଳକଙ୍କୁ ପ୍ରାଣାନ୍ତକ ପ୍ରହାର

ଭିଡିଓ ଭାଇରାଲ, ସିଡବ୍ଲୁସିର ଉଦ୍‌ବେଗ, ସର୍ଦ୍ଦାରକୁ ପଚରାଉଚୁରା କରି ଛାଡ଼ିଦେଲା ପୁଲିସ

ବଲାଙ୍ଗୀର : ଦାନା ପାଇଁ ଏଠି ମଣିଷ ଦାଦନ। ଆଉ ଦାଦନ ଯାଇ ଇଟାଭାଟିରେ ନିର୍ଯାତନା ପାଇବା ଏଠି ସାଧାରଣ କଥା। ପ୍ରତିଦିନ ଏବେ ସାମ୍ନାକୁ ଆସିବାରେ ଲାଗିଲାଣି ନିର୍ଯାତନାର କରୁଣ ଚିତ୍ର। ଦିବ୍ୟାଙ୍ଗ ଯୁବତୀଙ୍କୁ ତେଲେଙ୍ଗାନା ଇଟାଭାଟିରେ ଯୌନ ଶୋଷଣ ଘଟଣା ପରେ ଏବେ ଆଉ ଏକ ଇଟାଭାଟିର ଚିତ୍ର ସମସ୍ତଙ୍କୁ ବ୍ୟଥିତ କରିଛି। ନିର୍ଦ୍ଦୟ ଦାଦନ ସର୍ଦ୍ଦାର ଦୁଇ ନାବାଳକ ଶ୍ରମିକଙ୍କୁ ବାହାର ରାଜ୍ୟର ଇଟାଭାଟିରେ ଅମାନୁଷିକ ଭାବେ ପ୍ରହାର କରି ପ୍ରାଣାନ୍ତକ ଆକ୍ରମଣ କରିଛି। ମଧ୍ୟଯୁଗୀୟ ମାନସିକତାରେ କଣ୍ଟାବାଞ୍ଜିର ଜଣେ ଜଣାଶୁଣା ଦାଦନ ସର୍ଦ୍ଦାର ରାଜା ଖାନ ମାଡ଼ ମାରିବାର ଦୃଶ୍ୟ ଏବେ ସାମ୍ନାକୁ ଆସିଛି।

ପ୍ରକାଶ ଯେ କଣ୍ଟାବାଞ୍ଜିର ରାଜା ଖାନ ତୁରେକେଲା ବ୍ଲକ୍‌ ଅଂଚଳର ଦାଦନମାନଙ୍କୁ ହାଇଦ୍ରାବାଦ ଅଂଚଳକୁ ଦାଦନ ପଠାଇଥିଲା। ସେଠାରେ ଦୁଇଜଣ ନାବାଳକ କାମ କରୁନଥିବାରୁ ସେଠାକାର ଇଟାଭାଟି ମାଲିକ ଦାଦନ ସର୍ଦ୍ଦାର ରାଜାକୁ ଡକାଇଥିଲା। ସର୍ଦ୍ଦାର ଇଟାଭାଟିରେ ପହଞ୍ଚିଲା ପରେ ନିର୍ଦ୍ଦୟ ଭାବେ ମାଡ଼ ମାରିଥିଲା। ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ ବି କରିଥିଲା। ନିର୍ଦ୍ଦୟ ଭାବରେ ପିଟୁଥିବା ସମୟର ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି। ସତେ ଯେମିତି ସେମାନେ ଶ୍ରମିକ ନୁହନ୍ତି, ଆଉ ଫିଲ୍ମ ଷ୍ଟାଇଲରେ ଭିଲିଆନ ଭଳି ମାଡ଼ ମାରୁଛି ସର୍ଦ୍ଦାର। ସର୍ଦ୍ଦାର କଣ୍ଟାବାଞ୍ଜିର ବାସିନ୍ଦା ରାଜା ଖାନ ବୋଲି ଜଣାପଡ଼ିବା ପରେ ପୁଲିସ ଥାନାକୁ ଡାକି ଅଟକ ରଖି ପଚରାଉଚୁରା ଚଳାଇଛି। ତେବେ ରାଜା ନାଁରେ ଆଗରୁ ବି ମାମଲା ରହିଛି। କଣ୍ଟାବାଞ୍ଜିରୁ ବାହାର ରାଜ୍ୟକୁ ଦାଦନ ପଠାଇବା ରାଜାର କାମ। ରାଜା ପଠାଇଥିବା ଶ୍ରମିକ ଯଦି ବାହାର ରାଜ୍ୟର ଇଟାଭାଟିର ମାଲିକ ଇସାରାରେ କାମ ନକଲେ ତାକୁ ସେ ଯାଇ ଏଭଳି ନିର୍ଦ୍ଦୟ ଭାବରେ ସମାନ ଷ୍ଟାଇଲରେ ମାଡ଼ ମାରିଥାଏ। ଘଟଣାର ଭିଡିଓ ଭାଇରାଲ ହେବା ପରେ ଏବେ ଏହାକୁ ଗୁରୁତ୍ବର ସହକାରେ ନେଇଛି ସିଡବ୍ଲୁସି। ସିଡବ୍ଲୁସି ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତି ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳ, ଏସ୍‌ପିଙ୍କୁ ପତ୍ର ଲେଖିବେ ବୋଲି କହିଛନ୍ତି।  କିନ୍ତୁ ଏହି ପ୍ରସଙ୍ଗରେ କଣ୍ଟାବାଞ୍ଜି ଥାନାଧିକାରୀ ସତ୍ୟଜିତ କାଣ୍ଡେଲକର ଏହା ଏକ ପୁରୁଣା ମାମଲା ଥିଲା ବୋଲି କହିଛନ୍ତି।

ଘଟଣାକୁ ଅନ୍ୟମୋଡ଼ ଦିଆଯାଉନି ତ?
କଣ୍ଟାବାଞ୍ଜି ପୁଲିସ ମାଡ଼ ମାରିଥିବା ଦାଦନ ସର୍ଦ୍ଦାର ରାଜା ଖାନକୁ ଥାନାକୁ ଡାକି ପଚରାଉଚୁରା ପରେ ଛାଡ଼ି ଦେଇଥିବା ଜଣାପଡ଼ିଛି। ଆଇଆଇସିଙ୍କୁ ଯୋଗାଯୋଗ କରିବାରୁ ତାଙ୍କ କହିବା ହେଲା, ଉକ୍ତ ଘଟଣା ପୁରୁଣା ମାମଲା। ପୂର୍ବତନ ଆଇଆଇସିଙ୍କ ସମୟରେ ସେହି ଘଟଣାର ଅଭିଯୋଗ ୨୦୧୬ ମସିହାରେ ଥାନାକୁ ଆସିଥିଲା ଓ ମାମଲା ରୁଜୁ ହୋଇଥିଲା। ଏପରିକି ମାଡ଼ ଖାଇଥିବା ଦୁଇ ନାବାଳକ ଏବେ ବାହାର ରାଜ୍ୟର ଇଟାଭାଟିରେ ଅଛନ୍ତି ବୋଲି ସେ କହିଛନ୍ତି। କିନ୍ତୁ ପୁରୁଣା ମାମଲାର ଭିଡିଓ ଏବେ କେମିତି ସାମ୍ନାକୁ ଆସିଲା? ଏତେ ବର୍ଷ ଯାଏ କିଏ ଓ କାହିଁକି ଭିଡିଓ ମୋବାଇଲରେ ରଖିଥିଲା? ବାହାର ରାଜ୍ୟରେ ଯୁବକ ଥିବା ବେଳେ ପୁଲିସ ସତ୍ୟତା ଜାଣିବାକୁ ଯୋଗାଯୋଗ କଲାଣି ନା ନାହିଁ? ଏଠି ଉକ୍ତ ନାବାଳକଦ୍ୱୟଙ୍କ ଗାଁରେ କେଉଁମାନେ ସଂପର୍କୀୟ ତଥା ପରିବାର ସଦସ୍ୟ ଅଛନ୍ତି? ଏସବୁର ତଦନ୍ତ ପୁଲିସ କରିଛି ନା ନାହିଁ? ଏଭଳି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି। କାରଣ ଏହି ଘଟଣାରେ ପୁଲିସ ଦାଦନ ସର୍ଦ୍ଦାରକୁ ଥାନାକୁ ଡାକି ଛାଡ଼ିଦେଇଛି। ଆଉ ଦାଦନ ସର୍ଦ୍ଦାରଙ୍କ କଣ୍ଟାବାଞ୍ଜି ଅଂଚଳରେ ବେଶ୍‌ ଦବଦବା ରହିଛି। ପୁଲିସଠାରୁ ନେଇ ରେଳ କର୍ମଚାରୀ ଯାଏ ତାଙ୍କରି ହାତ ବୋଲି ଶ୍ରମିକମାନେ କହୁଛନ୍ତି।

କିଛିଦିନ ତଳେ ବେଲପଡ଼ା ବ୍ଲକ୍‌ର ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ତେଲେଙ୍ଗାନା ଇଟାଭାଟିରେ ଗଣଦୁଷ୍କର୍ମ ହୋଇଥିଲା। ସେହି ଘଟଣାର ଅଭିଯୋଗ କରିବାକୁ ଇଟାଭାଟିରୁ ଲୁଚିକି ଆସିଥିବା ଦିବ୍ୟାଙ୍ଗ ଯୁବତୀଙ୍କ ବାପାଙ୍କୁ ଘରେ ପହଞ୍ଚୁ ପହଞ୍ଚୁ ଦାଦନ ସର୍ଦ୍ଦାର ସାଙ୍ଗରେ ନେଇ ପଲାଇଥିଲା। ଉକ୍ତ ଘଟଣାରେ ପୁଲିସ ଏ ପର୍ଯ୍ୟନ୍ତ ଚୁପଚାପ। ଏତଲା ଦେବାକୁ ଆସିଥିବା ବାପା ଏବେ କେଉଁଠି କେହି ଜାଣି ନାହାନ୍ତି। ପୁଲିସ-ଦାଦନ ସର୍ଦ୍ଦାରଙ୍କ ଭିତିରି ସଲାସୁତୁରା ରହୁଥିବାରୁ ଅନେକ ନିର୍ଯାତନା ଘଟଣା ସବୁରୁ ଖସି ଯାଉଛନ୍ତି ସର୍ଦ୍ଦାର। ଏଣୁ କଣ୍ଟାବାଞ୍ଜି ସର୍ଦ୍ଦାରର ମାଡ଼ ମାରିବାର ଭିଡିଓ ମଧ୍ୟ ପୁରୁଣା କହି ଘଟଣାକୁ ଅନ୍ୟମୋଡ଼ ଦିଆଯାଉନି ତ ବୋଲି ସାଧାରଣରେ ପ୍ରଶ୍ନ।


ସର୍ଦ୍ଦାର-ଶ୍ରମ ବିଭାଗ-ପୁଲିସର ମଧୁଚନ୍ଦ୍ରିକା!
ଦାଦନ ସମସ୍ୟାକୁ ନେଇ ଅନେକ ଘଟଣାରେ ଅଡୁଆରେ ପଡୁଛନ୍ତି ରାଜ୍ୟ ସରକାର। ବିଗତ ଦିନରେ ମୁଖ୍ୟମନ୍ତ୍ରୀ, ଶ୍ରମ ମନ୍ତ୍ରୀ ତାଙ୍କ ଗସ୍ତ ସମୟରେ ବଲାଙ୍ଗୀର ଦାଦନ ସମସ୍ୟାକୁ ସମାଧାନ କରିବାକୁ ଅନେକ ପଦକ୍ଷେପ ନିଆଯାଉଛି ଓ ୨୦୨୧ ସୁଦ୍ଧା ଏହାର ସମାଧାନ ହେବ ବୋଲି କହିଥିଲେ। ହେଲେ ଏଠି ବଢ଼ି ବଢ଼ି ଚାଲିଲାଣି ଦାଦନ ଚାଲାଣ। ଆଉ ନିର୍ଯାତନାର ଘଟଣାମାନ ବି ଅନେକ ସାମ୍ନାକୁ ଆସିଲାଣି। ଶ୍ରମ ବିଭାଗ-ପୁଲିସ-ଦାଦନ ସର୍ଦ୍ଦାରଙ୍କ ମଧୁଚନ୍ଦ୍ରିକାରେ ଏଠି ବିନଦାସ ଚାଲିଛି ମଣିଷ ବେପାର। ଶ୍ରମିକମାନଙ୍କ ପ୍ରତି ଏଠି ଶ୍ରମ ଅଧିକାରୀଙ୍କ ଦରଦ ନାହିଁ। ଯେ କୌଣସି ଘଟଣା ହେଲେ ଶ୍ରମ ବିଭାଗ ନିଜପଟୁ ତଦନ୍ତ କରିବା କଥା। ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା କଥା। ହେଲେ ଏଠି ଦାଦନ ସର୍ଦ୍ଦାରମାନଙ୍କୁ ପରୋକ୍ଷରେ ସହାୟତା ଦିଆଯାଉଛି। ଚୁପଚାପ ଶ୍ରମ ଅଧିକାରୀକୁ ଗୁମସୁମ ପୁଲିସ ଅଧିକାରୀ। ଦାଦନପ୍ରବଣ ବ୍ଲକ୍‌ ଅଂଚଳରେ ଥିବା ଥାନାଗୁଡ଼ିକରେ ଥାନାବାବୁମାନେ ନିଜ ଭାଗ ସର୍ଦ୍ଦାରଠାରୁ ନେଇ ଚୁପ ରହିଯାଉଛନ୍ତି। ଆଉ ଲାଇସେନ୍ସ ଦେବା ସମୟରେ ନିଜର ଭାଗ ନେଇ ଶ୍ରମ ବିଭାଗ ଚୁପ ବସିପଡୁଛି। ଫଳରେ ଲକ୍‌ଡାଉନ୍‌ରେ ଫେରିଥିବା ଶ୍ରମିକ ଏଠି କାମନପାଇ ପୁଣି ଦାଦନ ସାଜିଥିଲେ। ଗଣମାଧ୍ୟମରେ ବାରବାର ବାହାର ରାଜ୍ୟର ବସ୍‌ ଆସି ବେଆଇନ ଭାବରେ ଶ୍ରମିକଙ୍କୁ ନେଇ ଯାଉଥିବା ଖବର ପ୍ରକାଶିତ ହେଲା ପରେ ଚୁପ ଥିଲା ପ୍ରଶାସନ, ପୁଲିସ, ଶ୍ରମ ବିଭାଗ। ଆଉ ଏବେ ବାହାର ରାଜ୍ୟର ଇଟାଭାଟିଗୁଡ଼ିକରୁ ଗୋଟିଏ ପରେ ଗୋଟିଏ ବ୍ୟଥିତ କଲାଭଳି ଭିଡିଓ ସାମ୍ନାକୁ ଆସିବାରେ ଲାଗିଛି।

ସମ୍ବନ୍ଧିତ ଖବର