ପାଇକମାଳ : ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଜର୍ଜଗଡ଼ ଗ୍ରାମ ନିକଟରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗ୍ରାମର ମାଧବ ସତନାମୀଙ୍କ ଦୁଇ ଝିଅ ନମିତା ସତନାମୀ (୨୧ ବର୍ଷ) ଓ ସରୋଜିନୀ ସତନାମୀ (୧୮ ବର୍ଷ)ଙ୍କୁ ନୀଳାଥର ଗାଁର ଇନ୍ଦ୍ର ଧରୁଆ ଅତର୍କିତ ଆକ୍ରମଣ କରିଥିଲା। ଇନ୍ଦ୍ର ଧାରୁ୍ଆ ଅସ୍ତ୍ରରେ ନମିତାଙ୍କ ତଣ୍ଟି କାଟିଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବାବେଳେ ସରୋଜିନୀ ଆହତ ହୋଇଛନ୍ତି।
ଗୁରୁବାର ସକାଳ ୯ଟା ସମୟରେ ଦୁଇ ଭଉଣୀ ନମିତା ଓ ସରୋଜିନୀ ଗାଁ ନିକଟସ୍ଥ ନାଳା ପାଖକୁ ଶୌଚ ହେବା ପାଇଁ ଯାଇଥିଲେ। ସେଠାରେ ପୂର୍ବରୁ ଛପି ରହିଥିବା ଇନ୍ଦ୍ର ନମିତାଙ୍କୁ ମାଡ଼ି ବସିଥିଲା। ପରେ ଏକ ଧାରୁଆ ଅସ୍ତ୍ରରେ ନମିତାଙ୍କ ତଣ୍ଟିକୁ କାଟି ଦେଇଥିଲା।ଏତିକି ବେଳେ ସାନ ଭଉଣୀ ସରୋଜିନୀ ଚିତ୍କାର କରିଥିଲେ। ବଡ଼ ଭଉଣୀକୁ ରକ୍ଷା କରିବାକୁ ଯାଉଥିବା ସମୟରେ ଇନ୍ଦ୍ର ତାଙ୍କୁ ମଧ୍ୟ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଏଥିରେ ସରୋଜିନୀଙ୍କ ପାପୁଲି କଟି ଯାଇଥିଲା। ଏହା ପରେ ଅଭିଯୁକ୍ତ ଇନ୍ଦ୍ର ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲା।
ସରୋଜିନୀଙ୍କ ଚିତ୍କାର ଶୁଣି ପରିବାରବର୍ଗ ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଆସିଥିଲେ। ଖବର ପାଇ ପୁଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ପହଂଚିଥିଲା। ଆହତ ସରୋଜିନୀଙ୍କୁ ପାଇକମାଳ ସରକାରୀ ଚିକିତ୍ସାଳୟକୁ ନିଆଯାଇଥିଲା। ଶବ ଉଦ୍ଧାର କରି ପଦ୍ମପୁରକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ମୃତ ନମିତାଙ୍କ ବିବାହ ପ୍ରସ୍ତାବ ଚାଲିଥିବା ଜଣାଯାଇଛି। ଘଟଣା ସମୟରେ ସରୋଜିନୀ ଇନ୍ଦ୍ରର ମୋବାଇଲ ଛଡ଼ାଇ ଆଣି ପରେ ଥାନାରେ ଜିମା ଦେଇଥିବା ଜଣାପଡ଼ିଛି। ଅଭିଯୁକ୍ତ ଇନ୍ଦ୍ର କିଛି ଦିନ ପୂର୍ବରୁ ରାଜମିସ୍ତ୍ରି ଭାବେ ନମିତାଙ୍କ ଘରେ ସିମେଣ୍ଟ ପଲସ୍ତରା କାମ କରୁଥିଲା।