ବାଲେଶ୍ବର : ବାଲେଶ୍ବର ସହର ଉପକଣ୍ଠ ରେମୁଣା ଗୋଲେଇ ନିକଟରେ ବୁଧବାର ଅପରାହ୍‌ଣରେ ଦୁର୍ବୃତ୍ତମାନେ ଆତଙ୍କ ସୃଷ୍ଟି କରିଛନ୍ତି। ବିଚ୍‌ ରାସ୍ତାରେ ସ୍ଥାନୀୟ ଅଞ୍ଚଳର ୨ ଜଣ ଯୁବକଙ୍କୁ ଭୁଜାଲିରେ ଆକ୍ରମଣ କରିବା ସହ ଗୁଳି ଫୁଟାଇ ଫେରାର ହୋଇ ଯାଇଛନ୍ତି। ଦୁର୍ବୃତ୍ତମାନଙ୍କ ଆକ୍ରମଣରେ ରେମୁଣା ଥାନା ମନ୍ଦାରପୁର ଅଞ୍ଚଳର ପିଙ୍କୁ ଦାସ ଗୁରୁତର ଆହତ ହୋଇ ବାଲେଶ୍ବର ମେଡିକାଲ କଲେଜ ହାସପାତାଳ ଓ ନିଆଁବାଗ ଅଞ୍ଚଳର ଅମିତ କୁମାର ଦାସ ରେମୁଣା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।

Advertisment

ସୂଚନା ମୁତାବକ, ବୁଧବାର ଅପରାହ୍‌ଣ ୪ଟା ସମୟରେ ପିଙ୍କୁ ଓ ଅମିତ ରେମୁଣା ଗୋଲେଇସ୍ଥିତ ପେଟ୍ରୋଲ ପମ୍ପକୁ ବାଇକ୍‌ରେ ତେଲ ପକାଇବାକୁ ଆସିଥିଲେ। ଏହି ସମୟରେ ଜୋର୍‌ରେ ବର୍ଷା ହେଉଥିବାରୁ ଉଭୟ ରେମୁଣା ଗୋଲେଇ ‌ପୋଲ ତଳେ ଅଟକି ରହିଥିଲେ। ଏତିକି ବେଳେ ୩ଟି ବାଇକ୍‌ରେ ୬ ଜଣ ଯୁବକ ବିଭିନ୍ନ ମାରଣାସ୍ତ୍ର ଧରି ପିଙ୍କୁ ଓ ଅମିତ୍‌ଙ୍କୁ ଗାଳିଗୁଲଜ କରିବା ସହ ଭୁଜାଲି, ବନ୍ଧୁକ ବାହାର କରି ଅତର୍କିତ ଆକ୍ରମଣ କରିଥିଲେ। ସେମାନଙ୍କ ମଧ୍ୟରୁ ସହଦେବଖୁଣ୍ଟା ଥାନା ଭାସ୍କରଗଞ୍ଜ ଅଞ୍ଚଳର ଉଦିତ ନାୟକ ହଠାତ ଏକ ବନ୍ଧୁକ ବାହାର କରି ଅମିତ ଓ ରିଙ୍କୁ ଉପରକୁ ଗୁଳି ଚଳାଇଥିଲା। ଦୁହେଁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ଅମିତଙ୍କ ବେକରୁ ଏକ ସୁନାଚେନ୍‌ ଛଡ଼ାଇ ନେଇ ସେଠାରୁ ଫେରାର ହୋଇ ଯାଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ଶିଳ୍ପାଞ୍ଚଳ ଥାନା ପୁଲିସ ଘଟଣାସ୍ଥଳରୁ ରିଙ୍କୁ ଓ ଅମିତଙ୍କୁ ଉଦ୍ଧାର କରି ଡାକ୍ତରଖାନା ଆଣିଥିଲା। ତେବେ ଅନ୍‌ଲାଇନ୍‌ ‌ଗେମ୍‌ (ଫ୍ରି ଫାୟାର)କୁ ନେଇ ଉଭୟ ପକ୍ଷଙ୍କ ଆରୋପ, ପ୍ରତ୍ୟାରୋପରୁ ଏହି ଘଟଣା ଘଟିଥିବା କୁହାଯାଉଛି। ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଏ ସଂକ୍ରାନ୍ତରେ କୌଣସି ପ୍ରତିକ୍ରିୟା ରଖିନାହିଁ।