ରାସ୍ତା ମଝିରେ ମହିଳାଙ୍କୁ ଗୋଇଠା, ବିଧା ଭିଡିଓ ଭାଇରାଲ, ଦୁଇ ଅଟକ

ଭୁବନେଶ୍ବର : ଦୁଇଦିନ ତଳେ ପାଳିତ ହୋଇଛି ଅନ୍ତର୍ଜାତୀୟ ମହିଳା ଦିବସ। ମହିଳାଙ୍କ ସୁରକ୍ଷା ପାଇଁ କମିସନରେଟ୍‌ ପୁଲିସ ବିଭିନ୍ନ ଯୋଜନା ଘୋଷଣା କରିଛି। ଏହି ଘଟଣାକୁ ୨୪ ଘଣ୍ଟା ନ ପୂରୁଣୁ ଗତ ସନ୍ଧ୍ୟାରେ କମିସନ‌୍‌ରେଟ୍‌ ପୁଲିସ ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ରାସ୍ତା ମଝିରେ ଜଣେ ମହିଳାଙ୍କୁ ଘେରି ବିଧା, ଗୋଇଠା ମାରିଛନ୍ତି ‌କେତେକ ଯୁବକ। ମାଡ଼ରେ ମହିଳାଜଣକ ତଳେ ପଡ଼ି ଗଡ଼ି ଯାଉଛନ୍ତି। ପୁଣି ଉଠି ମାଡ଼ରୁ ବର୍ତ୍ତିବା ପାଇଁ ଉଦ୍ୟମ କରୁଛନ୍ତି। ହେଲେ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ମାରୁଛନ୍ତି। ଚୁଟିକୁ ଝିଙ୍କି ତଳେ ପକାଇ ଦେଉଛନ୍ତି। ଶ୍ରୀଲିଙ୍ଗରାଜ ଥାନା ବିନ୍ଦୁସାଗର ନିକଟରେ ଏହି ଲଜ୍ଜାଜନକ ଘଟଣା ଘଟିଛି।

ସିସିଟିଭି କ୍ୟାମେରାରେ କଏଦ୍‌ ହୋଇଥିବା ଏଭଳି ଏକ ଅଭାବନୀୟ ଦୃଶ୍ୟର ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି। ପୁଲିସ ଖବର ପାଇ ଦୁଇଜଣଙ୍କୁ ଅଟକ ରଖିଛି। ଅନ୍ୟପଟେ ମହିଳା ଓ ତାଙ୍କ ସମ୍ପର୍କୀୟ ମଧ୍ୟ କେତେକ ଯୁବକଙ୍କୁ ପୂର୍ବରୁ ଆକ୍ରମଣ କରିଥିବା ନେଇ ଅଭି‌ଯୋଗ ରହିଛି। ଏଣୁ ପୁଲିସ ମହିଳାଙ୍କ ସମ୍ପର୍କୀୟଙ୍କ ନାମରେ ମଧ୍ୟ ଏକ ମାମଲା ରୁଜୁ କରିଛି।

ସୂଚନା ମୁତାବକ, ପ୍ଲଟ ନମ୍ବର ୨୨୬୩ର ତରଙ୍ଗ କ୍ଲବ ସହ ଜମିଜମାକୁ କେନ୍ଦ୍ରକରି ସମ୍ପୃକ୍ତ ମହିଳାଙ୍କ ପରିବାରର ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା। ଏ ନେଇ ଗତସନ୍ଧ୍ୟାରେ ମହିଳା ଜଣକ ଏହି ପ୍ଲଟ୍‌ରେ କାମ ହେବା ବେଳେ ପ୍ରତିବାଦ କରିବାରୁ କିଛି ଯୁବକ ମିଶି ମହିଳାଙ୍କୁ ମାଡ଼ ମା‌ରିଥିଲେ। ମହିଳାଙ୍କ ଅଭିଯୋଗ ମୁତାବକ ପୂର୍ବରୁ ଏହି ଯୁବକମାନେ ମହିଳା ଓ ତାଙ୍କ ପରିବାରବର୍ଗଙ୍କୁ ଆକ୍ରମଣ କରିଛନ୍ତି।

କ୍ଲବର ସଦସ୍ୟ ସୁଧାଂଶୁ ଶେଖର ଗରାବଡ଼ୁ, କାହ୍ନା ପଣ୍ଡା, କାହ୍ନୁ ଚରଣ ପଣ୍ଡା, ରାକା ମହାସୁଆର, ସୁକେଶ ଗରାବଡ଼ୁ ଅଭିଯୋଗ କରିଛନ୍ତି, ସଂପୃକ୍ତ ପରିବାର ବହୁ ଦିନ ହେଲା କ୍ଲବ ସଦସ୍ୟମାନଙ୍କୁ ଗାଳିଗୁଲଜ କରିବା ସହ ବାଡ଼ିରେ ବାଡ଼େଇଛନ୍ତି। ଅନ୍ୟଏକ ଭିଡିଓରେ ଏହାର ପ୍ରମାଣ ରହିଛି। ମିଥ୍ୟା ମାମଲାରେ ଫସାଇବା ନେଇ ଧମକ ଦେଇ ଆସୁଛନ୍ତି। ସେଥିପାଇଁ ଥାନାରେ ଅଭିଯୋଗ ହୋଇଛି।

ଏସିପି ବିଷ୍ଣୁ ପ୍ରସାଦ ପାତ୍ର ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ଦୁଇ ଜଣ ଯୁବକଙ୍କୁ ଆଣି ପଚରା ଉଚରା କରୁଛନ୍ତି। ପୁଲିସ ଦୁଇ ଯୁବକଙ୍କୁ ଉଠାଇ ଆଣିବା ଖବର ପାଇ ପୁରୁଣା ଭୁବନେଶ୍ବରର ଶତାଧିକ ଯୁବକ ଥାନାରେ ପହଞ୍ଚିଛନ୍ତି। ଘଟଣାର ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି। ଶ୍ରୀଲିଙ୍ଗରାଜ ଥାନାରେ ସନ୍ଧ୍ୟା ଠାରୁ ରାତି ପର୍ଯ୍ୟନ୍ତ ପ୍ରବଳ ଉତ୍ତେଜନା ଦେଖାଯାଇଛି। ଡିସିପି ଦାୟିତ୍ବରେ ଥିବା ଅତିରିକ୍ତ ସିପି ଅନୁପ କୁମାର ସାହୁ ଥାନାରେ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର