ବର୍ଷ ଆରମ୍ଭରୁ ରାଜଧାନୀରେ ରକ୍ତର ହୋଲି: ମହିଳାଙ୍କୁ ହାଣିଲା, ଲୁଟିଲା; ଫେରାର୍ ହୋଇଗଲା

ଭୁବନେଶ୍ୱର : ବର୍ଷ ଆରମ୍ଭରୁ ରାଜଧାନୀରେ ଚାଲିଛି ଅପରାଧୀମାନଙ୍କ ରକ୍ତର ହୋଲି ଖେଳ। ଜିରୋ ନାଇଟ୍‌ ପାଳନ ବେଳେ ସୁନ୍ଦରପଦାରେ ଦୀପକଙ୍କୁ ବୀଭତ୍ସ ହତ୍ୟା କରାଯାଇଥିଲା। ସେଦିନ ରାତିର ସେହି ଭୟଙ୍କର ହତ୍ୟା ଘଟଣା ଲୋକଙ୍କ ମନରୁ ନଲିଭୁଣୁ ବୁଧବାର ଦିନ ଦି’ପହରରେ ଜନଗହଳିପୂର୍ଣ୍ଣ ସହିଦନଗରରେ ଘଟିଛି ଆଉ ଏକ ରକ୍ତାକ୍ତ ଆକ୍ରମଣ ଓ ଲୁଟ୍‌। ଏକ ଦୁଇ ମହଲା କୋଠାକୁ ଚଢ଼ି ଜଣେ ମହିଳାଙ୍କୁ ବୀଭତ୍ସଭାବେ ହାଣି ଦୁର୍ବୃତ୍ତଜଣକ ଲୁଟ୍‌ପାଟ୍‌ କରିବା ପରେ ଅନାୟସରେ ଚମ୍ପଟ ମାରିଛି। ପ୍ରାଣାନ୍ତକ ଆକ୍ରମଣ ଓ ଲୁଟ୍‌ର ଶିକାର ହୋଇଥିବା ମହିଳା ହେଲେ ଲେନ୍‌-୪ରେ ରହୁଥିବା ସୁଶାନ୍ତ ସ୍ବାଇଁଙ୍କ ସ୍ତ୍ରୀ ଗୀତାଞ୍ଜଳି ପାଲଟାସିଂହ। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେ ଏବେ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଦିନ ବେଳାଟାରେ ଏତେ ଲୋକଙ୍କ ଭିଡ଼ ସତ୍ତ୍ବେ କେହି ବି ଦୁର୍ବୃତ୍ତକୁ ପିଛା କରି ଧରିବାକୁ ସାହସ ଜୁଟାଇ ପାରିନାହାନ୍ତି। ପୁଲିସ ଘଟଣାସ୍ଥଳକୁ ଯାଇ ଛାନ୍‌ଭିନ୍ ଆରମ୍ଭ କରିଥିଲେ ବି ଦୁର୍ବୃତ୍ତର ପତ୍ତା ପାଇନାହିଁ। ସିସିଟିଭି ଫୁଟେଜ୍‌ ଆଧାରରେ ପୁଲିସ ଅନ୍ଧାରରେ ବାଡ଼ି ବୁଲାଇ ଚାଲିଛି ସିନା ଦିନ ଦିପହରରେ ଫେରାର୍ ହୋଇଯାଇଥିବା ଦୁର୍ବୃତ୍ତକୁ ଠାବ କରିପାରିନାହିଁ। ତେଣୁ ରାଜଧାନୀ କେତେ ସୁରକ୍ଷିତ ବୋଲି ଲୋକେ ପ୍ରମାଦ ଗଣିଲେଣି ବୋଲି ଅଭିଯୋଗ କରିଛନ୍ତି।

ଗୀତାଙ୍କୁ ଟାର୍ଗେଟ୍‌ କରିଥିଲା କି?
ଦୁଇ ମହଲାରେ କୋଠାରେ ରହୁଥିବା ଗୀତାଙ୍କୁ ଦିନ ଦି’ପହରରେ ଏଭଳି ଆକ୍ରମଣ କରି ଲୁଟ୍‌ପାଟ୍‌ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳାଇ ଦେଇଛି। ଘଟଣାକ୍ରମରୁ ଅନୁମାନ କରାଯାଉଛି କି ଦୁର୍ବୃତ୍ତ ଜଣକ ବହୁ ଦିନ ଧରି ଗୀତାଙ୍କୁ ଟାର୍ଗେଟ୍‌ କରିଥିଲା। ତାଙ୍କ ସ୍ବାମୀ ସୁଶାନ୍ତ ଘରେ ରହୁନଥିବା ସୁଯୋଗକୁ ଉଣ୍ତି ରହିଥିଲା। ବୃଦ୍ଧା ଶାଶୂ ଓ ଛୋଟ ପିଲାଟି ତାକୁ ପ୍ରତିରୋଧ କରିପାରିବେ ନାହିଁ ବୋଲି ସୁଶାନ୍ତଙ୍କ ଅନୁପସ୍ଥିତିର ସୁଯୋଗ ଅପେକ୍ଷାରେ ଥିଲା। ଆଜି ତାକୁ ସେହି ସୁଯୋଗ ଜୁଟିଥିଲା।

ତେବେ ଦୁର୍ବୃତ୍ତଜଣକ ଗୀତାଙ୍କୁ ଯେମିତି ହାଣିଛି, ତାହା କେବଳ ଲୁଟ୍‌ ପାଇଁ ବୋଲି ବିଶ୍ୱାସ ହେଉନାହିଁ। ଗୀତା ବା ତାଙ୍କ ପରିବାର ଉପରେ ଥିବା କୌଣସି ପୂର୍ବ ରାଗର ପ୍ରତିଶୋଧ ପାଇଁ ଦୁର୍ବୃତ୍ତ ତାଙ୍କୁ ବୀଭତ୍ସଭାବେ ହାଣି ପକାଇଛି ବୋଲି କୁହାଯାଉଛି। ହୁଏତ ଗୀତା ଲୁଟେରାକୁ ଜୋର୍‌ଦାର୍‌ ପ୍ରତିରୋଧ କରିବାରୁ ତାଙ୍କ କବଳରୁ ଖସିବା ପାଇଁ ଦୁର୍ବୃତ୍ତ ତାଙ୍କୁ ବିକଳରେ ଏମିତି ରକ୍ତାକ୍ତ ଆକ୍ରମଣ କରିଛି ବୋଲି ଚର୍ଚ୍ଚା ମଧ୍ୟ ହେଉଛି। ତେବେ ଦୁର୍ବୃତ୍ତ ଜଣକ କିଏ ଏହା ଏବେ ବି ରହସ୍ୟ ହୋଇ ରହିଛି। ତାକୁ ଗିରଫ ନକରିବା ପର୍ଯ୍ୟନ୍ତ ଘଟଣା ଉପରୁ ପର୍ଦ୍ଦା ହଟିବ ନାହିଁ। ଗୀତା ସୁସ୍ଥ ହେବା ପରେ ହୁଏତ ଦୁର୍ବୃତ୍ତ ବାବଦରେ ଅଧିକ କିଛି ସୂଚନା ଦେଇପାରିବେ ବୋଲି ପୁଲିସ ଆଶା ବାନ୍ଧିଛି।

ଘଟଣା ଥିଲା ଏମିତି
ବୁଧବାର ଅପରାହ୍ଣ ପାଖାପାଖି ସାଢ଼େ ଗୋଟାଏ। ଗୀତାଞ୍ଜଳି ଦୁଇ ମହଲା କୋଠାରେ ଥିବା ଘରେ ଥାଆନ୍ତି। ସ୍ୱାମୀ ସୁଶାନ୍ତ ସ୍ୱାଇଁ କୌଣସି କାମରେ ବାହାରକୁ ଯାଇଥିଲେ। ଶାଶୂ ଓ ଛୋଟ ପୁଅଟି ଛାତ ଉପରେ ଖରାରେ ଖେଳୁଥାଆନ୍ତି। ଏହି ସମୟରେ କେହି ଜଣେ ଦୁର୍ବୃତ୍ତ ଗୀତାଞ୍ଜଳିଙ୍କ ଘରକୁ ହଠାତ୍ ପଶି ଆସିଥିଲା। କବାଟ ଖୋଲା ଥିବା ମଉକାରେ ଦୁର୍ବୃତ୍ତ ସିଧା ଘରକୁ ଭିତରକୁ ପଶିଥିଲା। ଗୀତାଞ୍ଜଳି କିଛି ବୁଝିବା ପୂର୍ବରୁ ଦୁର୍ବୃତ୍ତ ତାଙ୍କୁ ଭୁଜାଲି ବା ବଡ଼ ଛୁରି ଭଳି କୌଣସି ମାରଣାସ୍ତ୍ରରେ ଆକ୍ରମଣ କରିଚାଲିଥିଲା। ମୁଣ୍ଡ, ବେକ, ହାତ, ପିଠିକୁ ଚୋଟ ପରେ ଚୋଟ ମାରିଥିଲା। ଗୀତାଞ୍ଜଳି ଚିତ୍କାର କରି ଚାଲିଥିଲେ। ତଥାପି ଦୁର୍ବୃତ୍ତଜଣ ଆକ୍ରମଣ କରିଚାଲିଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଗୀତା ଗୁରୁତର ହୋଇ ତଳେ ପଡ଼ିଯିବା ପରେ ଦୁର୍ବୃତ୍ତଜଣକ ତାଙ୍କ ସୁନାଗହଣା ନେଇ ଚମ୍ପଟ ମାରିଥିଲା। ଗୀତାଙ୍କ ପାଟି ଶୁଣି ଶାଶୂ ଓ ପୁଅ ଘର ଭିତରକୁ ଧାଇଁ ଆସିବାର ଠିକ୍‌ ପୂର୍ବରୁ ଦୁର୍ବୃତ୍ତ ଜଣକ ଘରୁ ବାହାରି ଦୌଡ଼ିଥିଲା। ଦେହସାରା ରକ୍ତର ଛିଟା ଲାଗିଥିବା ଅଜଣା ବ୍ୟକ୍ତିକୁ ଦେଖି ଶାଶୂ ପାଟି କରି ପାଖପଡ଼ୋଶୀଙ୍କୁ ଡାକ ପକାଇଥିଲେ ବି କେହି ଶୁଣିନଥିଲେ। ଦୁର୍ବୃତ୍ତଜଣକ ସହଜରେ ଖସି ପଳାଇଥିଲେ। ଘର ଭିତରେ ଧାରଧାର ରକ୍ତ ଭିତରେ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ିଥିବା ଗୀତାଙ୍କୁ ଦେଖି ଶାଶୂ ବିକଳ ହୋଇ ପଡ଼ିଥିଲେ। ପଡ଼ୋଶୀଙ୍କୁ ଡ଼ାକିବା ସହ ପୁଅକୁ ଫୋନ୍‌ କରି ଜଣାଇଥିଲେ। ଲୋକଙ୍କ ଭିଡ଼ ଜମିବା ସହ ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ପ୍ରଥମେ ଗୀତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲା। ମାତ୍ର ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତୁରନ୍ତ କଟକ ଏସ୍‌ସିବି ମେଡିକାଲ କଲେଜକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଖବର ପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଛାନ୍‌ଭିନ୍‌ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର