ରଣପୁର : ଗ୍ରାମାଞ୍ଚଳରେ ବସବାସ କରୁଥିବା ସାଧାରଣ ଲୋକଙ୍କ ସମସ୍ୟା ତୁରନ୍ତ ସମାଧାନ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ‘ମୋ ସରକାର’ ନାମରେ ୫-ଟି ସୂତ୍ରାବଳୀ ପ୍ରଣୟନ କରିଛନ୍ତି। ବିଶେଷ କରି ଲୋକମାନଙ୍କର ଜୀବନ ଜୀବିକା ଉପରେ ଏହା ପୂର୍ଣ୍ଣ ଗୁରୁତ୍ବ ଦେଉଥିଲେ ହେଁ ଅନେକାଂଶରେ ଏହା ପ୍ରଭାବଶୂନ୍ୟ ହେଉଥିବା ଦେଖିବାକୁ ମିଳିଛି। ଉଦାହରଣ ସ୍ୱରୂପ, ରଣପୁର ବ୍ଲକ୍‌ ଅନ୍ତର୍ଗତ ମଝିଆଖଣ୍ତ ପଞ୍ଚାୟତ ଅଧୀନ ସିନ୍ଦୁରିଆ ତେଲିପାଟଣା ଗାଁର ଜଣେ ଦଳିତ ମହିଳା ପାବନି ପଟ୍ଟନାୟକଙ୍କ ପରିବାରର ଘରକୁ କିଛି ସବର୍ଣ୍ଣ ବ୍ୟକ୍ତି ଜୋର୍‌ଜବରଦସ୍ତ ଭାଙ୍ଗି ଦେଇଥିଲେ।

Advertisment

publive-image

ଏ ନେଇ କ୍ଷତିଗ୍ରସ୍ତ ମହିଳା ରଣପୁର ଥାନା, ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ଜାତୀୟ ତଫସିଲଭୁକ୍ତ ଜାତି ଓ ଜନଜାତି ବିଭାଗ ଓ ଓଡ଼ିଶା ମାନବ ସମ୍ବଳ ବିକାଶ ବିଭାଗ ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଅଦ୍ୟାବଧି ମହିଳାଙ୍କୁ କୌଣସି ନ୍ୟାୟ ମିଳିନାହିଁ। ତେବେ ଘର ଭାଙ୍ଗିବାର ଇତି ମଧ୍ୟରେ ୨ ବର୍ଷ ବିତି ଯାଇଥିଲେ ମଧ୍ୟ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବାରୁ କ୍ଷତିଗ୍ରସ୍ତ ପରିବାର ବିଭିନ୍ନ ସ୍ତରରେ ଅଭିଯୋଗ ଜଣାଇଛନ୍ତି।

publive-image

ଅଭିଯୋଗ ମୁତାବକ ରଣପୁର ଥାନା ଅନ୍ତର୍ଗତ ସିନ୍ଦୁରିଆ ତେଲିପାଟଣା ଗାଁର ବିନ ପଟ୍ଟନାୟକଙ୍କ ପତ୍ନୀ ପାବନି ପଟ୍ଟନାୟକ ଜଣେ ଦଳିତ ଭୂମିହୀନ ମହିଳା ହୋଇଥିବାରୁ ସରକାରଙ୍କ ତରଫରୁ ସିନ୍ଦୁରିଆ ମୌଜାର ଖାତା ନମ୍ବର–୧୦୦୩/୧୭୩, ପ୍ଲଟ ନମ୍ବର–୧୪୯୦/୨୮୪୧ରେ ୪ ଡେସିମାଲ୍‌ ଘରବାରି ଜମି ମିଳିଥିଲା ଏବଂ ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ମିଳିଥିଲା। କିନ୍ତୁ ୨୦୧୭ ମେ ୧୫ ତାରିଖରେ କିଛି ସବର୍ଣ୍ଣ ବ୍ୟକ୍ତି ଏହାକୁ ବିରୋଧ କରିବା ସହ ତୁ ଅଛୁଆଁ ଜାତି ତତେ ଛୁଇଁଲେ ଛୁଆଁ ହେବ କହି ଗାଁରୁ ତଡ଼ିଦେବା ପ୍ରୟାସରେ ଅର୍ଦ୍ଧନିର୍ମିତ ଘରକୁ ଭାଙ୍ଗିଦେଇଥିଲେ। ଏପରିକି ଗାଁରୁ ନଗଲେ ଜୀବନରେ ମାରିଦେବୁ ବୋଲି ଧମକ ଦେଇଥିଲେ। ସେହି ଅଭିଯୁକ୍ତମାନେ ହେଲେ ସେହି ଗାଁର ପଲ୍ଲେଇ ପରିଡ଼ାଙ୍କ ପୁଅ ହରି ପରିଡ଼ା, ଦଇତାରୀ ସାହୁଙ୍କ ପୁଅ ଧେଡ଼ି ସାହୁ, ଗିରିଧାରୀ ମୁଦୁଲିଙ୍କ ପୁଅ ବାବୁ ମୁଦୁଲି ଓ ବଂଶୀ ସାହୁଙ୍କ ପୁଅ ଜୟ ସାହୁ। ତେବେ ଏ ନେଇ କ୍ଷତିଗ୍ରସ୍ତ ପରିବାର ପକ୍ଷରୁ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ହେଲେ ଏଥିପ୍ରତି ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରିନଥିଲେ। ଶେଷରେ ନିରାଶ ହୋଇ ଉପରିସ୍ଥ ବିଭାଗୀୟ ଅଧିକାରୀଗଣଙ୍କୁ ଭେଟି ଅଭିଯୋଗ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏଣୁ ବାଧ୍ୟ ହୋଇ ଗାଁ ମୁଣ୍ଡରେ ଏକ ପଲିଥିନ ଟାଣି ସେଠାରେ ଆଶ୍ରୟ ନେଉଥିବା ଜଣାଯାଇଛି। ତୁରନ୍ତ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବାକୁ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଦାବି ହେଉଛି।