ଭୁବନେଶ୍ବର: ଭରତପୁର ଥାନା ଭିତରେ ମେଜରଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଜାତୀୟ ସ୍ତରରେ ଏହି ସମ୍ବେଦନଶୀଳ ଘଟଣାଟି ଏବେ ଚର୍ଚ୍ଚାର ବିଷୟ ହୋଇଛି। ୫ ପୁଲିସ ଅଧିକାରୀଙ୍କୁ ସରକାର ନିଲମ୍ବନ କରିଥିଲେ ବି ପୁଲିସ ବିରୋଧରେ ଅସନ୍ତୋଷ ଥମୁନି। ବିରୋଧୀ ଦଳଗୁଡ଼ିକ ଏହି ପ୍ରସଙ୍ଗରେ ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ପୁଲିସର ବେପରୱା ଆଭିମୁଖ୍ୟ ଯୋଗୁ ଏବେ ପୂରା ସରକାର ଅଡ଼ୁଆରେ ପଡ଼ିଯାଇଛି। ଗତକାଲି ଅଙ୍କିତା ନିଜେ ଗଣମାଧ୍ୟମକୁ ନିଜର ଛାତିଥରା ଅନୁଭୂତି କହିଲା ପରେ ବିଭିନ୍ନ ମହଲରୁ ଭୀଷଣ ପ୍ରତିକ୍ରିୟା ପ୍ରକାଶ ପାଇଛି। ପୁଲିସ କେତେ ନିଷ୍ଠୁର ଆଚରଣ କରିପାରେ, ତାହା ସମସ୍ତଙ୍କୁ ଚକିତ କରିଦେଇଥିଲା। ଅଭିଯୋଗକାରୀଙ୍କୁ ଅଭିଯୁକ୍ତ ସଜାଇ ଥାନା ବାବୁମାନେ କିପରି ନିର୍ଯାତନା ଦେଇଥିଲେ ତାହାକୁ ସାରା ରାଜ୍ୟ ଦେଖିଲା। ପୁଲିସର ଏକ ନକରାତ୍ମକ ଓ ଭୟଙ୍କର ଚିତ୍ର ରାଜ୍ୟବାସୀଙ୍କୁ ଆନ୍ଦୋଳିତ କରିଛି। ଏହି ଘଟଣାଟି ଜାତୀୟ ସ୍ତରରେ ଓଡ଼ିଶାକୁ ନିନ୍ଦିତ କରିଛି। 

Advertisment

ରାଜ୍ୟ ସରକାର ଦୁଇ ଦିନ ତଳେ ଘଟଣାର କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କ୍ରାଇମ୍‌ବ୍ରାଞ୍ଚ୍‌ ଘଟଣାର ତଦନ୍ତ ଜାରି ରଖିବା ସହ ଯେ କୌଣସି ସମୟରେ ଅଭିଯୁକ୍ତ ପୁଲିସ ଅଧିକାରୀଙ୍କୁ ଗିରଫ କରିବାର ସମ୍ଭାବନା ରହିଛି। କିନ୍ତୁ ରାଜ୍ୟ ପୁଲିସ କିମ୍ବା କ୍ରାଇମବ୍ରାଞ୍ଚ୍‌ ଉପରେ ସେନା ଅଧିକାରୀଙ୍କୁ ଭରସା ପାଇନି। ଆଜି ସେନାର ବରିଷ୍ଠ ଅଧିକାରୀ ସେଣ୍ଟ୍ରାଲ୍‌ ଇଣ୍ଡିଆର କମାଣ୍ଡିଂ ଜେନେରାଲ୍‌ ଅଫିସର୍‌ ଲେଫ୍ଟନାଣ୍ଟ୍‌ ଜେନେରାଲ୍‌ ପିଏସ୍‌‌ ଶେଖାୱତ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖି ନିଜ ଆଡ଼ୁ ଘଟଣାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ଏହା ଦ୍ବାରା ପୁଲିସ୍‌ ଆାହୁରି ଅକଳରେ ପଡ଼ିଯାଇଛି। ଭରତପୁର ଥାନା ପୁଲିସ୍‌ର ଦାଦାଗିରି ଓ ପରବର୍ତ୍ତୀ ସମୟରେ କମିସନରେଟ୍‌ ପୁଲିସର ବରିଷ୍ଠ ଅଧିକାରୀଙ୍କ ଖାମଖିଆଲ କାର୍ଯ୍ୟ ପାଇଁ ଘଟଣାଟି ଗୁରୁତର ଆକାର ଧାରଣ କରିସାରିଛି। 

ଏପଟେ ଘଟଣାକୁ ନେଇ ରାଜନୀତି ତେଜିବାରେ ଲାଗିଛି। ଏମ୍‌ସ୍‌ ଭୁବନେଶ୍ବରରେ  ଚିକିତ୍ସାଧୀନ ଥିବା ଅଙ୍କିତାଙ୍କୁ ଗତକାଲି ବିଜେଡି ଓ ଆଜି କଂଗ୍ରେସ ପ୍ରତିନିଧି ଦଳ ଭେଟିଥିଲେ। ବିରୋଧୀ ଦଳ ଏହି ଘଟଣାରେ ସରକାରଙ୍କୁ ଷଣ୍ଢୁଆସି ଆକ୍ରମଣ କରୁଥିବାରୁ ସରକାର ଆକ୍ସନ୍ ମୋଡ୍‌କୁ ଆସିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆଜି ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏମ୍‌ସ୍‌ ଯାଇ ଅଙ୍କିତାଙ୍କୁ ଭେଟିଥିଲେ। ତାଙ୍କୁ ଉଚିତ ନ୍ୟାୟ ମିଳିବ ବୋଲି ସେ ଆଶ୍ବାସନା ଦେଇଥିଲେ। ଏହା ପରେ ପୁଲିସ୍‌ କମିସନର୍‌ ଓ ଡିସିପିଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ଦୋଷୀ ଯେ କେହି ବି ହେଉ ଦଣ୍ଡ ନିଶ୍ଚିତ ମିଳିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।    

ଏହି ଘଟଣାରେ ସବୁଠାରୁ ଉଦ୍‌ବେଗର ବିଷୟ ହେଲା ଯେ ଭରତପୁର ଥାନାକୁ ଆଦର୍ଶ ଥାନା କରାଯାଇଛି। ଗତ ମାର୍ଚ୍ଚ ମାସ‌ରେ ଏହାର ଉଦ୍‌ଘାଟନ କରାଯାଇଥିଲା। ମାତ୍ର ୬ ମାସ ପରେ ଆଦର୍ଶ ଥାନାରେ ଏମିତି ଅମାନବୀୟ କାଣ୍ଡ ନିଜେ ପୁଲିସ୍‌ ଘଟାଇପାରେ, ତାହା ସଚେତନ ନାଗରିକମାନେ ଚିନ୍ତା ବି କରିପାରୁ ନାହାନ୍ତି। ପୁଣି ଏହି ଥାନାରେ ସିସିଟିଭି ନାହିଁ। ୬ ମାସ ଭିତରେ ଏକ ଆଦର୍ଶ ଥାନାରେ ସିସିଟିଭି ଲଗା ଯାଇ ନପାରିବା ପୂରା ପୁଲିସ୍‌ ବିଭାଗର ଦୁର୍ବଳତାକୁ ସୂଚାଉଛି। ଏ ଦିଗରେ ସୁପ୍ରିମ୍‌କୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଥିବା ସତ୍ତ୍ବେ କାହିଁକି ସିସିଟିଭି ଲଗାଯାଇ ନଥିଲା, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଥାନାରେ ସିସିଟିଭି ଥିଲେ ସେଦିନ ରାତିରେ କ’ଣ ଘଟିଥିଲା, ତାହା ସ୍ପଷ୍ଟ ହୋଇଯାଇଥା’ନ୍ତା।

ଭୁବନେଶ୍ବର: ଭରତପୁର ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଘଟଣାରେ ଅଭିଯୁକ୍ତ ପୁଲିସ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ସରକାର ସଚେତନ ଅଛନ୍ତି। ଆଗାମୀ ଦିନରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଆଜି କୁହାଯାଇଛି, ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ସହିତ ଥିବା ଜଣେ ମହିଳାଙ୍କୁ ଅସଦାଚରଣ ତଥା ଆକ୍ରମଣ ଅଭିଯୋଗକୁ ସରକାର ଅତ୍ୟନ୍ତ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି। ଘଟଣା ସରକାରଙ୍କ ଦୃଷ୍ଟିକୁ ଆସିବା ମାତ୍ରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସହିତ ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ କ୍ରାଇମବ୍ରାଞ୍ଚ୍ ଘଟଣାର ଯାଞ୍ଚ୍ କରି ତୁରନ୍ତ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ରିପୋର୍ଟ ପ୍ରାପ୍ତ ହେବା ମାତ୍ରେ ଆଇନ ଅନୁଯାୟୀ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯିବ। ମହିଳା ହିଂସା ବିରୋଧରେ ସରକାର ‘ଶୂନ୍ୟ ସହନଶୀଳତା’ ନୀତି ଅବଲମ୍ବନ କରୁଛନ୍ତି। ମହିଳା ନିର୍ଯ୍ୟାତନାକୁ କୌଣସି ପ୍ରକାରେ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

‘ବିଚାର ବିଭାଗୀୟ ତଦନ୍ତ କର’

ଭୁବନେଶ୍ୱର: ଭରତପୁର ଥାନା ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। ‌ଗଣମାଧ୍ୟମକୁ ସେ କହିଛନ୍ତି, ଏହି ଘଟଣା ଲୋମହର୍ଷଣକାରୀ ଓ କଳ୍ପନାତୀତ। ଥାନା ଭିତରେ ପୁଲିସ ଯେଭଳି ନିର୍ଦୟ ବ୍ୟବହାର କରିଥିବା ଅଭିଯୋଗ ହୋଇଛି ତାହା ସାରା ଦେଶର ବିବେକକୁ ଦୋହଲାଇ ଦେଇଛି। ଓଡ଼ିଶା ଭିତରେ ଜଣେ ମିଲିଟାରୀ ଅଧିକାରୀ ଓ ଜଣେ ମହିଳାଙ୍କ ପ୍ରତି ଏଭଳି ଅତ୍ୟାଚାର ଅତ୍ୟନ୍ତ ଦୁଃଖଦାୟକ। ଏହି ନାରକୀୟ ଘଟଣାକୁ ବିଜେଡି ଦୃଢ଼ ଭାବରେ ନିନ୍ଦା କରୁଛି। ଘଟଣାରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। କୋର୍ଟଙ୍କ 
ତତ୍ତ୍ବାବଧାନରେ ଏସ୍‌ଆଇଟି ତଦନ୍ତ ସହ ବିଚାର ବିଭାଗୀୟ ତଦନ୍ତ କରିବାକୁ ସେ ଦାବି କରିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି, ତାଙ୍କ ସରକାର ସମୟରେ ‘ମୋ ସରକାର’ ବ୍ୟବସ୍ଥା ଥିଲା। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଥାନା ଓ ଡାକ୍ତରଖାନା ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଯାଉଥିବା ନାଗରିକମାନଙ୍କ ଠାରୁ କର୍ମଚାରୀମାନଙ୍କ ବ୍ୟବହାର ଓ ବୃତ୍ତିଗତ ଦକ୍ଷତା ସମ୍ପର୍କରେ ମତାମତ ସଂଗ୍ରହ କରୁଥିଲେ। ବିଜେପି ସରକାର ଶାସନକୁ ଆସିବା ପରେ ପରେ ତୁରନ୍ତ ‘ମୋ ସରକାର’ ପରି ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ବନ୍ଦ କରିଦେଲେ, ଯାହାର ପରିଣାମ ଏବେ ସର୍ବତ୍ର ଦୃଶ୍ୟମାନ।  ବିରୋଧୀ ଦଳ ନେତା ଆହୁରି କହିଛନ୍ତି, ପୁରୀ ରାଜଭବନ ଘଟଣାରେ ଦାୟିତ୍ୱ ସମ୍ପାଦନ କରୁଥିବା ଜଣେ ସରକାରୀ ଅଧିକାରୀଙ୍କ ଉପରେ ରାଜ୍ୟପାଳଙ୍କ ପୁଅ ଆକ୍ରମଣ କରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ମନା କରିଦେବା ଦ୍ୱାରା ଏହା ଅପରାଧୀମାନଙ୍କୁ ଉତ୍ସାହିତ କରିଛି। ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି।