ରାଜନୈତିକ ଶତ୍ରୁତାରୁ ଯୁବକଙ୍କୁ ବିଚ୍ ରାସ୍ତାରେ ହାଣିଲେ

ଚୌଦ୍ବାର : ଚୌଦ୍ବାର ନିକଟସ୍ଥ ୫୫ନମ୍ବର ଜାତୀୟ ରାଜପଥ ମଙ୍ଗୁଳିର ହାଇଲେବୁଲ କେନାଲ ନିକଟସ୍ଥରେ ଆଜି ରାତିରେ ଜଣେ ଯୁବକଙ୍କୁ ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ହାଣିବା ଘଟଣା ଆତଙ୍କ ସୃଷ୍ଟି କରିଛି । ଚୌଦ୍ବାର ଥାନା ଅନ୍ତର୍ଗତ ବଡସାମନ୍ତରାପୁର ଗ୍ରାମରେ ଦୀର୍ଘ ବର୍ଷ ହେବ ରାଜନୈତିକ ଶତୃତାକୁ କେନ୍ଦ୍ରକରି ବିବାଦ ଲାଗିରହିଛି । ଏହି ପଂଚାୟତରେ ଦୁଇ ଗୋଷ୍ଠୀର ସମର୍ଥକଙ୍କ ମଧ୍ୟରେ ବିଭିନ୍ନ ସମୟରେ ହିଂସା କାଣ୍ତ ଲାଗିରହୁଥିବାବେଳେ ବିଭିନ୍ନ ସମୟରେ ମାମଲା ରୁଜୁ ହୋଇ ପୁଲିସ ଅଭିଯୁକ୍ତଙ୍କୁ ପୂର୍ବରୁ ମଧ୍ୟ ଗିରଫ କରିଛି। ଆଜି ରାତି ୮ଟା ସମୟରେ ସ୍ଥାନୀୟ ଅଞ୍ଚଳର ନେତା ଅଭୟ ବାରିକଙ୍କ ସଂପର୍କୀୟ କୁହାଯାଉଥିବା ପ୍ରଫୁଲ୍ ବାରିକଙ୍କ ପୁଅ ବିଶ୍ବ ରଞ୍ଜନ ବାରିକ (୨୭)ଙ୍କୁ ଆକ୍ରମଣ ହୋଇଛି। ବିଶ୍ବରଞ୍ଜନ ମଂଗୁଳିରେ ଥିବା ଏକ ଗାଡି ସୋ’ ରୁମରେ କାର୍ଯ୍ୟସାରି ବଡସାମନ୍ତରାପୁର ଗ୍ରାମକୁ ବାଇକରେ ଫେରୁଥିଲେ । ମଙ୍ଗୁଳି ଛକରୁ ଚୌଦ୍ବାରକୁ ଫେରିବା ପରେ ହାଇଲେବୁଲ୍ କେନାଲ ପୂର୍ବରୁ ବିଶ୍ବ ରଞ୍ଜନଙ୍କୁ ୪ଜଣ ଯୁବକ ୨ଟି ବାଇକରେ ପିଛାକରି ଏକ ଧାରୁଆ ଖଣ୍ତାରେ ଆକ୍ରମଣ କରିଥିଲେ । ଏ ସଂପର୍କରେ ଖବର ପାଇ ଚୌଦ୍ବାର ପୁଲିସ ପିସିଆର୍ ଯୋଗେ ବିଶ୍ବ ରଞ୍ଜନକୁ କଟକ ବଡମେଡିକାଲ ପଠାଇଛନ୍ତି । ସେଠାରେ ତାଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଏହି ପଂଚାୟତରେ ଏଭଳି ରାଜନୈତିକ ହିଂସାକାଣ୍ତ ବୃଦ୍ଧି ପାଉଥିବାରୁ ପୁଲିସ ଦୃଢ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର