ଯୁବତୀଙ୍କୁ ଦେଖା କରିବା ମହଙ୍ଗା ପଡିଲା: ଗଛରେ ବାନ୍ଧି ଯୁବକକୁ ନିସ୍ତୁକ ମାଡ଼, ୩୦ ହଜାର ଟଙ୍କା ଜରିମାନା

ରାଇଘର: ପ୍ରେମ ପଡ଼ିଲା ମହଙ୍ଗା, ପ୍ରେମିକାକୁ ଦେଖା କରିବାକୁ ଯାଇ ଯୁବକ ଜଣକ ୩୦ ହଜାର ଟଙ୍କା ଜୋରିମାନା ଦେବା ସହ ଗାଁ ମଝିରେ ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ ଖାଇବା ଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ବିରିପୁର (ଡିଏନକେ) ଗ୍ରାମରେ।

ସୂଚନା ଅନୁଯାୟୀ ଗତକାଲି ରାତିରେ ପାଉରବେଲା ୧ ନମ୍ୱର ଗ୍ରାମର ହର୍ସିତ ଦାସ (୨୩) ନିଜ ଭଉଣୀଙ୍କ ଶଶୁର ଘର ବୀରପୁର (ଡିଏନକେ) ଗ୍ରାମକୁ ଯାଇଥିଲେ। ସେଠାରେ ଜଣେ ଯୁବତୀଙ୍କ ସହ ଦେଖା କରୁଥିବା ସମୟରେ ଉକ୍ତ ଯୁବତୀଙ୍କ ପରିବାର ଲୋକେ ଜାଣିପାରି ଗ୍ରାମବାସୀଙ୍କୁ ଜଣାଇଥିଲେ। ଏହାପରେ ଗ୍ରାମବାସୀ ହର୍ସିତଙ୍କୁ ଗଛରେ ବାନ୍ଧିବା ସହିତ କିଛି ବ୍ୟକ୍ତି ଉତ୍ତ୍ୟକ୍ତ ହୋଇ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଫଳରେ ହର୍ସିତଙ୍କ ପାଟିରୁ ରକ୍ତ ବାହାରି ଗୁରୁତର ହୋଇଥିଲେ | ଏହାପରେ ଦୁଇଗ୍ରାମର ମୁଖିଆଙ୍କୁ ନେଇ ଆଲୋଚନା କରିବା ସହିତ ହର୍ସିତଙ୍କୁ ୩୦ ହଜାର ଟଙ୍କା ଜରିମାନା ଆକାରରେ ନେଇ ଛାଡିଦେଇଥିଲେ। ଏହି ଘଟଣାର ସମ୍ପୂର୍ଣ୍ଣ ଭିଡିଓ ଏବେ ମୋବାଇଲରୁ ମୋବାଇଲ ଭାଇରଲ ହେଉଥିବା ଦେଖିବାକୁ ମିଳୁଥିବା ବେଳେ ଏହି ଘଟଣା ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର