ମାନବିକତାର ସବୁ ସୀମା ସରହଦ ଟପିଗଲେ : ପାଣି ମାଗିବାରୁ ମୁହଁରେ ପରିସ୍ର‌ା ଢାଳିଲେ

ବିରୋଧ କରିବାରୁ ପତ୍ନୀଙ୍କୁ ମାଡ଼, ଛଡ଼ାଇନେଲେ ସୁନାହାର

ତିହିଡି : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଭଦ୍ରକ ଜିଲ୍ଲା ତିହିଡି ଥାନା ବାଉଁଶବାଗ ଗାଁରେ ଘଟିଛି ଏହି ଅମାନବୀୟ ଘଟଣା। ଜଣେ ଯୁବକଙ୍କୁ ଲଣ୍ଡା କରି ଜୋତାମାଳ ପିନ୍ଧାଇ ଗାଁ ବୁଲାଇଛନ୍ତି। ଏପରିକି, ପାଣିମାଗିବାରୁ ମୁହଁରେ ପରିସ୍ରା କରିଛନ୍ତି। ଏହି ଯୁବକ ହେଲେ, ଶୁକଦେବ ମହାଳିକ (୩୨)। ଯୁବକଙ୍କ ପତ୍ନୀ ସୁକାନ୍ତି ମହାଳିକ ଏ ନେଇ ଥାନାରେ ଅଭିଯୋଗ କରିଥିବାବେଳେ ୧୭ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି।

ଅଭିଯୋଗ ଅନୁସାରେ, ଗାଁର କିଛି ଲୋକ ଗତକାଲି ସନ୍ଧ୍ୟାରେ ତାଙ୍କ ଘର ନିକଟରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କ ସ୍ବାମୀ ଘରେ ଟିଭି ଦେଖୁଥିଲେ। ଉତ୍ତ୍ୟକ୍ତ ଲୋକମାନେ ତାଙ୍କ ଘର ବାରଣ୍ଡାରେ ଥିବା ବାଇକ୍‌କୁ ବାହାରକୁ ଟେକି ନେଇ କଚାଡ଼ି ଭାଙ୍ଗି ଦେଇଥିଲେ। ପରେ ସଂପୃକ୍ତ ଲୋକମାନେ ତାଙ୍କ ସ୍ବାମୀଙ୍କୁ ଦଉଡ଼ିରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ସହ ଘୋଷାରି ଘୋଷାରି ଗାଁ ଦାଣ୍ଡକୁ ନେଇ ଯାଇଥିଲେ। ଏପରିକି ପାଣି ପିଇବାକୁ ମାଗିବାରୁ ତାଙ୍କ ମୁହଁରେ କିଛି ଲୋକ ପରିସ୍ରା କରିଥିଲେ। କଥା ଏତିକିରେ ସରିନଥିଲା। ଗାଁ ଦାଣ୍ଡରେ ଯୁବକଙ୍କୁ ଲଣ୍ତା କରାଯିବା ପରେ ମୁହଁରେ ଚୂନକାଳି ବୋଳା ଯାଇଥିଲା ଏବଂ ବେକରେ ଜୋତାମାଳ ପକାଇ ଗାଁରେ ବୁଲାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି।

ଏ ସମ୍ପର୍କରେ ତିହିଡି ଥାନା ଆଇଆଇସି ରମେଶ ଚନ୍ଦ୍ର ସିଂଙ୍କୁ ପଚାରିବାରୁ ସେ କହିଛନ୍ତି, ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ ଅଭିଯୋଗରେ ଶୁକଦେବଙ୍କ ନାମରେ ଥାନାରେ ମାମଲା ରୁଜୁ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା। ପରେ ସେ ଜାମିନରେ ଆସିଥିଲେ। ଏହି ଘଟଣାରେ ରାଗ ରଖି ଶୁକଦେବଙ୍କୁ ଲଣ୍ତା କରି ଗାଁରେ ବୁଲାଇବା ଅଭିଯୋଗରେ ୧୭ ଜଣ ପୁରୁଷ ଓ ମହିଳାଙ୍କ ନାମରେ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର